August 28, 2026

ଜଗନ୍ନାଥ କଲୋନୀ ଶାଖାରେ ଆର୍‌ଏସ୍‌ଏସ୍‌ର ରକ୍ଷାବନ୍ଧନ ଉତ୍ସବ ସ୍ୱୟଂସେବକଙ୍କ ସହ ବୃକ୍ଷକୁ ବନ୍ଧାଗଲା ରକ୍ଷାସୂତ୍ର

IMG-20260828-WA0020
Share

 

 

ସମ୍ବଲପୁର, ୨୮/୮: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ବୁଢ଼ାରଜା ନଗର ଅନ୍ତର୍ଗତ ଜଗନ୍ନାଥ କଲୋନୀ ଶାଖା ପକ୍ଷରୁ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ସାମାଜିକ ସଂହତି, ଭାଇଚାରା ଓ ପାରସ୍ପରିକ ସୌହାର୍ଦ୍ଦ୍ୟର ବାର୍ତ୍ତା ନେଇ ଆୟୋଜିତ ଏହି ଉତ୍ସବରେ ପରିବେଶ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

 

କାର୍ଯ୍ୟକ୍ରମର ଆରମ୍ଭରେ ପରମ ପବିତ୍ର ଭଗବା ଧ୍ୱଜକୁ ମହାନଗର କାର୍ଯ୍ୟବାହ ପ୍ରିୟଦର୍ଶୀ ଯୋଶୀ ରକ୍ଷାସୂତ୍ର ପ୍ରଦାନ କରିଥିଲେ। ପରେ ସ୍ୱୟଂସେବକମାନେ ପରସ୍ପରକୁ ରକ୍ଷାସୂତ୍ର ବାନ୍ଧି ଏକତା, ଭାତୃତ୍ୱ ଓ ସାମାଜିକ ଦାୟିତ୍ୱର ସଂକଳ୍ପ ନେଇଥିଲେ।

 

ଏହି ଅବସରରେ ବିଭାଗ ପ୍ରଚାରକ ଶ୍ରୀମନ୍ତ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ରକ୍ଷାବନ୍ଧନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, “ପୁରାଣ କାଳରୁ ଆଜି ପର୍ଯ୍ୟନ୍ତ ରକ୍ଷାବନ୍ଧନ କେବଳ ଏକ ସୂତାର ପର୍ବ ହୋଇ ରହିନାହିଁ; ଏହା ସମାଜକୁ ବିପଦରୁ ରକ୍ଷା କରିବା ଓ ପରସ୍ପର ପ୍ରତି ଦାୟିତ୍ୱବୋଧର ଦୃଢ଼ ସଂକଳ୍ପର ପ୍ରତୀକ।” ବର୍ତ୍ତମାନ ସମୟରେ ସମାଜରେ ପୁନର୍ବାର ଭାଇଚାରା, ଏକତା ଓ ସୌହାର୍ଦ୍ଦ୍ୟର ପରିବେଶ ସୃଷ୍ଟି କରିବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ।

 

ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ବୃକ୍ଷକୁ ରକ୍ଷାସୂତ୍ର ବନ୍ଧନ। ପରିବେଶ ସୁରକ୍ଷା ଓ ବୃକ୍ଷ ସଂରକ୍ଷଣର ବାର୍ତ୍ତା ଦେଇ ସ୍ୱୟଂସେବକମାନେ ବିଭିନ୍ନ ବୃକ୍ଷରେ ରକ୍ଷାସୂତ୍ର ବାନ୍ଧିଥିଲେ। ପ୍ରକୃତି ଓ ମଣିଷ ମଧ୍ୟରେ ଥିବା ଅବିଚ୍ଛେଦ୍ୟ ସମ୍ପର୍କକୁ ସୁଦୃଢ଼ କରିବା ସହ ଗଛ ସୁରକ୍ଷା ପାଇଁ ସମାଜକୁ ସଚେତନ କରିବା ଏହାର ଉଦ୍ଦେଶ୍ୟ ଥିଲା।

 

କାର୍ଯ୍ୟକ୍ରମରେ ମହାନଗର ସହ କାର୍ଯ୍ୟବାହ ଜ୍ୟୋତି ରଞ୍ଜନ ପ୍ରଧାନ, ବୁଢ଼ାରଜା ନଗର କାର୍ଯ୍ୟବାହ ବ୍ୟୋମକେଶ ସାହୁ, ମହାନଗର ପ୍ରଚାରକ ପ୍ରଫୁଲ୍ଲ କୁମାର ସାହୁଙ୍କ ସମେତ ବୁଢ଼ାରଜା ନଗରର ବହୁ ସ୍ୱୟଂସେବକ ଉପସ୍ଥିତ ରହି ରକ୍ଷାବନ୍ଧନ ଉତ୍ସବରେ ସାମିଲ ହୋଇଥିଲେ।