August 28, 2026

ହୀରାକୁଦ ନଦୀବନ୍ଧରେ ବଢୁଛି ଜଳସ୍ତର କ୍ଷମତାଠାରୁ ମାତ୍ର ୫ ଫୁଟ ତଳେ ପାଣି; ୧୦ ସ୍ଲୁଇସ୍‌ ଗେଟ୍‌ ଖୋଲା

IMG-20260828-WA0019
Share

 

 

ସମ୍ବଲପୁର, ୨୮/୮: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ପୁଣି ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ସକାଳ ୯ଟାରେ ଜଳଭଣ୍ଡାରର ଜଳସ୍ତର ୬୨୪.୨୫ ଫୁଟ୍‌ରେ ପହଞ୍ଚିଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ହୋଇଥିବାରୁ ବର୍ତ୍ତମାନ ଜଳସ୍ତର କ୍ଷମତାଠାରୁ ମାତ୍ର ୫.୭୫ ଫୁଟ୍‌ ତଳେ ରହିଛି। ଜଳସ୍ତରରେ ବୃଦ୍ଧି ପ୍ରବଣତା ରହିଥିବାରୁ ତଳମୁଣ୍ଡର ନଦୀ ପ୍ରବାହ ଉପରେ ମଧ୍ୟ ନଜର ରଖାଯାଇଛି।

 

ଜଳସ୍ତର ବୃଦ୍ଧି ପାଉଥିବା ବେଳେ ହୀରାକୁଦ ନଦୀବନ୍ଧରୁ ପର୍ଯ୍ୟାୟକ୍ରମେ ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି। ପୂର୍ବରୁ ଖୋଲାଥିବା ୧୬ଟି ସ୍ଲୁଇସ୍‌ ଗେଟ୍‌ ମଧ୍ୟରୁ ୬ଟି ବନ୍ଦ ହେବା ପରେ ବର୍ତ୍ତମାନ ୧୦ଟି ଗେଟ୍‌ ଖୋଲା ରହିଛି। ଏଥିରୁ ବାମପାର୍ଶ୍ୱରେ ୭ଟି ଏବଂ ଡାହାଣପାର୍ଶ୍ୱରେ ୩ଟି ଗେଟ୍‌ ରହିଛି।

 

ସକାଳ ୯ଟାର ତଥ୍ୟ ଅନୁଯାୟୀ, ଜଳଭଣ୍ଡାରକୁ ହାରାହାରି ୨,୦୫,୯୭୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ହାରାହାରି ୧,୯୪,୯୨୭ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ଏଥିରୁ ସ୍ପିଲ୍‌ୱେ ଦେଇ ୧,୫୯,୯୭୦ କ୍ୟୁସେକ୍‌, ପାୱାର ଚ୍ୟାନେଲ ଦେଇ ୩୨,୦୧୬ କ୍ୟୁସେକ୍‌ ଏବଂ ଶିଳ୍ପ ବ୍ୟବହାର ପାଇଁ ୨୨୯ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି। ବିଭିନ୍ନ କେନାଲ ମାଧ୍ୟମରେ ମୋଟ ୨,୭୧୨ କ୍ୟୁସେକ୍‌ ଜଳ ଯାଉଛି।

 

ଅନ୍ୟପକ୍ଷରେ, ମହାନଦୀର ତଳମୁଣ୍ଡରେ ମଧ୍ୟ ଜଳପ୍ରବାହ ଉଲ୍ଲେଖନୀୟ ରହିଛି। ବେଲଗାଁଠାରେ ୧୬,୦୦୦ କ୍ୟୁସେକ୍‌, ପଥର୍ଲାରେ ୫୦,୫୦୯ କ୍ୟୁସେକ୍‌, ଖଇରମାଳରେ ୩,୦୫,୦୦୦ କ୍ୟୁସେକ୍‌, ବାରମୁଳରେ ୩,୬୨,୫୦୦ କ୍ୟୁସେକ୍‌ ଏବଂ ମୁଣ୍ଡଳୀରେ ୫,୧୧,୨୫୮ କ୍ୟୁସେକ୍‌ ଜଳପ୍ରବାହ ରେକର୍ଡ ହୋଇଛି। ତେବେ ତଳମୁଣ୍ଡର ଅଧିକାଂଶ ସ୍ଥାନରେ ଜଳପ୍ରବାହ ହ୍ରାସ ପ୍ରବଣତା ରହିଛି।

ହୀରାକୁଦ ଓ ବୁର୍ଲା ଅଞ୍ଚଳରେ ମଧ୍ୟ ସାମାନ୍ୟ ବର୍ଷା ରେକର୍ଡ ହୋଇଛି। ଜଳଭଣ୍ଡାରର ଜଳସ୍ତର କ୍ଷମତାର ନିକଟତର ହେଉଥିବାରୁ ଆଗାମୀ କିଛି ଘଣ୍ଟାରେ ଜଳପ୍ରବାହ ଓ ଗେଟ୍‌ ପରିଚାଳନା ଉପରେ ନଜର ରହିବ।