August 26, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ର ପଛୁଆ ଅଞ୍ଚଳରୁ ଜାତୀୟ ମଞ୍ଚରେ କ୍ରିଷ୍ଣାଙ୍କ କମାଲ୍‌: ‘ଇଣ୍ଡିଆ କ୍ରାଉନ୍ଡ ଲିଜେଣ୍ଡସ୍‌–ସିଜନ୍‌-୨’ ରେ ମିଷ୍ଟର କାଟେଗୋରୀରେ ବାଜିମାତ……

IMG-20260826-WA0024
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଆଦିବାସୀ ଅଧ୍ୟୁଷିତ ତଥା ରାଜ୍ୟର ଏକ ପଛୁଆ ଜିଲ୍ଲା ଭାବେ ପରିଚିତ ନବରଙ୍ଗପୁରରୁ ଜାତୀୟସ୍ତରୀୟ ମଞ୍ଚରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି ଜଣେ ଯୁବ ମଡେଲ୍‌। ଉମରକୋଟ ବ୍ଲକ ରାଜପୁର ଗ୍ରାମର କ୍ରିଷ୍ଣା ପୂଜାରୀ ‘ଇଣ୍ଡିଆ କ୍ରାଉନ୍ଡ ଲିଜେଣ୍ଡସ୍‌–ସିଜନ୍‌-୨’ ଜାତୀୟସ୍ତରୀୟ ବ୍ୟୁଟି ପେଜେଣ୍ଟ ଓ ଟ୍ୟାଲେଣ୍ଟ ହଣ୍ଟରେ ମିଷ୍ଟର କାଟେଗୋରୀରେ ବାଜିମାତ କରିଛନ୍ତି। ତାଙ୍କ ଏହି ସଫଳତା ପରେ ନବରଙ୍ଗପୁର ଜିଲ୍ଲାରୁ ଶୁଭେଚ୍ଛାର ସୁଅ ଛୁଟିଛି।ଗତ ୨୩ ଅଗଷ୍ଟରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ସ୍ଥିତ ରୁଙ୍ଗଟା ଟାଉନହଲ୍‌ ରେ ‘ଇଣ୍ଡିଆ କ୍ରାଉନ୍ଡଲିଜେଣ୍ଡସ୍‌–ସିଜନ୍‌-୨’ ଅନୁଷ୍ଠିତ ହୋଇଥିଲା। ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତା ରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରୁ ମୋଟ ୮୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସମସ୍ତଙ୍କୁ ପଛରେ ପକାଇ କ୍ରିଷ୍ଣା ମିଷ୍ଟର କାଟେଗୋରୀରେ ସଫଳତା ହାସଲ କରି ନବରଙ୍ଗପୁର ପାଇଁ ଗୌରବ ଆଣିଛନ୍ତି।ନବରଙ୍ଗପୁର ଜିଲ୍ଲାର ଏକ ଗ୍ରାମୀଣ ପରିବେଶରେ ଜନ୍ମ ନେଇଥିବା କ୍ରିଷ୍ଣାଙ୍କର ପିଲାଦିନରୁ ମଡେଲିଂ ଓ ଅଭିନୟ ପ୍ରତି ଆଗ୍ରହ ଥିଲା। ନିଜ ଗାଁରୁ ଉମରକୋଟ ସହର ଆସି ଶିକ୍ଷା ଗ୍ରହଣ କରିବା ସହ ମଡେଲିଂ ପ୍ରତି ନିଜର ଆଗ୍ରହକୁ ଜାରି ରଖିଥିଲେ।ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ୱର ଯାଇ MBA ପଢ଼ିବା ସମୟରେ ମଡେଲିଂ କ୍ଷେତ୍ରରେ ନିଜକୁ ଅଧିକ ପରିଚିତ କରାଇଥିଲେ। ବିଭିନ୍ନ ମଡେଲ୍‌ଙ୍କ ସହ କାମ କରିବା ଓ ନିରନ୍ତର ଅଭ୍ୟାସ ତାଙ୍କ ପ୍ରତିଭାକୁ ଆହୁରି ଶାଣିତ କରିଥିଲା। ଶେଷରେ ଜାତୀୟସ୍ତରୀୟ ମଞ୍ଚରେ ନିଜ ପ୍ରତିଭା ପ୍ରମାଣ କରି ସେ ସଫଳତା ହାସଲ କରିଛନ୍ତି। ନବରଙ୍ଗପୁର ଭଳି ଏକ ପଛୁଆ ଅଞ୍ଚଳର ଗ୍ରାମରୁ ଆସି କ୍ରିଷ୍ଣାଙ୍କ ଜାତୀୟସ୍ତରରେ ସଫଳତା ହାସଲ କରିବା ଅନ୍ୟ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛି। ବିଶେଷକରି ଗ୍ରାମାଞ୍ଚଳରେ ମଡେଲିଂ ଓ ଅଭିନୟକୁ କ୍ୟାରିୟର ଭାବେ ଗ୍ରହଣ କରିବାକୁ ଇଚ୍ଛୁଥିବା ଯୁବପ୍ରତିଭାଙ୍କୁ ତାଙ୍କ ସଫଳତା ଉତ୍ସାହିତ କରିବ ବୋଲି ମତ ପ୍ରକାଶ ପାଇଛି।ସୁଯୋଗର ଅଭାବ ଥିଲେ ମଧ୍ୟ ପ୍ରତିଭା, ପରିଶ୍ରମ, ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ଥିଲେ ସଫଳତା ହାସଲ କରାଯାଇପାରେ—କ୍ରିଷ୍ଣାଙ୍କ ସଫଳତା ଏହାର ଏକ ଉଦାହରଣ। ନବରଙ୍ଗପୁର ଭଳି ଅପେକ୍ଷାକୃତ ପଛୁଆ ଅଞ୍ଚଳରୁ ଜାତୀୟ ମଞ୍ଚରେ ପହଞ୍ଚି ନିଜ ପ୍ରତିଭାର ପରିଚୟ ଦେବା ତାଙ୍କ ପାଇଁ ଏକ ବଡ଼ ଉପଲବ୍ଧି ବୋଲି ତାଙ୍କ ଶୁଭେଚ୍ଛୁମାନେ କହିଛନ୍ତି। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ଗ୍ରାମୀଣ ଅଞ୍ଚଳରୁ ଜଣେ ଯୁବକ ଜାତୀୟସ୍ତରୀୟ ବ୍ୟୁଟି ପେଜେଣ୍ଟରେ ମିଷ୍ଟର କାଟେଗୋରୀରେ ସଫଳତା ହାସଲ କରିବା ଜିଲ୍ଲା ପାଇଁ ଏକ ନୂଆ ପରିଚୟ ଆଣିଛି। ଏହି ସଫଳତା ଜିଲ୍ଲାର ଅନ୍ୟ ଲୁକ୍କାୟିତ ପ୍ରତିଭାଙ୍କୁ ମଧ୍ୟ ଜାତୀୟ ମଞ୍ଚ ଆଡ଼କୁ ଆଗେଇବାକୁ ପ୍ରେରଣା ଦେବ ବୋଲି ଆଶା କରାଯାଉଛି।କ୍ରିଷ୍ଣାଙ୍କ ଏହି ସଫଳତା ପାଇଁ ରାଜପୁର ଗ୍ରାମ ସମେତ ଉମରକୋଟ ସହର ଓ ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ବିଭିନ୍ନ ମହଲରୁ କ୍ରିଷ୍ଣାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି।ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ ଶ୍ରୀ ଅତୁଲ ଗିରିଙ୍କ ତତ୍ତ୍ୱାବଧାନରେ ହୋଇଥିଲା। କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଭାବେ ଶ୍ରୀ ଧନଞ୍ଜୟ ଦାସ, ସହ-ନିର୍ଦ୍ଦେଶକ ଭାବେ ଶ୍ରୀ ରଞ୍ଜିତ ପାତ୍ର ଏବଂ ସେଫ୍ଟି ଆମ୍ବାସାଡର ଓ ସହ-ନିର୍ଦ୍ଦେଶକ ଭାବେ ସୁଶ୍ରୀ ଭାରତୀ ପ୍ରଧାନ ଦାୟିତ୍ୱ ତୁଲାଇଥିଲେ। ଆୟୋଜକ ଟିମ୍‌ର ସୁଚାରୁ ବ୍ୟବସ୍ଥାପନା ଓ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ଆୟୋଜିତ ହୋଇଥିଲା। ପ୍ରତିଭାର ଠିକଣା କେବଳ ବଡ଼ ସହର ନୁହେଁ; ଗାଁ ମାଟିରୁ ମଧ୍ୟ ଜାତୀୟ ମଞ୍ଚ ଜିତିହେବ। କ୍ରିଷ୍ଣା ପୂଜାରୀ ଏହାର ଏକ ଜୀବନ୍ତ ଉଦାହରଣ।

You may have missed