August 26, 2026

ଉମରକୋଟ ମାଟି ମୂର୍ତ୍ତିର ଚାହିଦା କମୁଛି, ପ୍ଲାଷ୍ଟର ପ୍ୟାରିସ୍‌ର ଚାହିଦା ବଢୁଛି କୌଳିକ ବୃତ୍ତି ହରାଇବା ଆଶଙ୍କାରେ ମାଟି କାରିଗର, ସରକାରୀ ପ୍ରୋତ୍ସାହନ ଦାବି….

IMG-20260826-WA0021
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ପାରମ୍ପରିକ ମାଟି ମୂର୍ତ୍ତି ନିର୍ମାଣର ଚାହିଦା କ୍ରମଶଃ କମିବାରେ ଲାଗିଥିବାବେଳେ ବଜାରରେ ପ୍ଲାଷ୍ଟର ପ୍ୟାରିସ୍‌ ମୂର୍ତ୍ତିର ଚାହିଦା ବଢୁଛି। ଫଳରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ମାଟି କାରିଗରମାନେ ନିଜ କୌଳିକ ବୃତ୍ତିକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

ଆଗକୁ ଗଣେଶ ପୂଜା ଥିବାରୁ କାରିଗରମାନେ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ହୋଇପଡ଼ିଛନ୍ତି। ଭଲ କିସମର ମାଟି ସଂଗ୍ରହ କରି ଏଥିରେ ପାଳ, ଛଣ ଓ କନାର ସହାୟତାରେ ପର୍ଯ୍ୟାୟକ୍ରମେ ମାଟିର ଲେପ ଦେଇ ମୂର୍ତ୍ତିକୁ ଆକାର ଦିଆଯାଉଛି। ପରେ ବିଭିନ୍ନ ରଙ୍ଗରେ ସଜାଇ ପୂର୍ଣ୍ଣାଙ୍ଗ ମୂର୍ତ୍ତି ପ୍ରସ୍ତୁତ କରିବାକୁ ପ୍ରାୟ ୩ରୁ ୪ ଦିନ ସମୟ ଲାଗୁଛି। କାରିଗରଙ୍କ କହିବା ଅନୁସାରେ, ଗୋଟିଏ ମାଟି ମୂର୍ତ୍ତି ପାଇଁ ମାତ୍ର ୩୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ମିଳୁଛି। ମାଟି, ରଙ୍ଗ, ପାଳ, ଛଣ ଓ ଅନ୍ୟାନ୍ୟ ସାମଗ୍ରୀରେ ଖର୍ଚ୍ଚ ହେଉଥିବା ଅର୍ଥ ତୁଳନାରେ ଆୟ ଅତ୍ୟନ୍ତ କମ୍। ଅନ୍ୟପକ୍ଷରେ ବଜାରରେ ଆକର୍ଷଣୀୟ ପ୍ଲାଷ୍ଟର ପ୍ୟାରିସ୍‌ ମୂର୍ତ୍ତି ସହଜରେ ଉପଲବ୍ଧ ହେଉଥିବାରୁ ଗ୍ରାହକମାନେ ସେଥିପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ତଥାପି ନିଜ ପାରମ୍ପରିକ ବୃତ୍ତିକୁ ଛାଡ଼ି ନଦେଇ ମାଟି କାରିଗରମାନେ ଦିନରାତି ପରିଶ୍ରମ କରି ମୂର୍ତ୍ତି ତିଆରି କରୁଛନ୍ତି। ଏହି ପାରମ୍ପରିକ କଳାକୁ ବଞ୍ଚାଇ ରଖିବା ପାଇଁ ସରକାରଙ୍କ ପକ୍ଷରୁ ଅଧିକ ପ୍ରୋତ୍ସାହନ, ଆର୍ଥିକ ସହାୟତା ଓ ବଜାର ସୁବିଧା ଯୋଗାଇ ଦେବାକୁ କାରିଗରମାନେ ଦାବି କରିଛନ୍ତି। ସରକାରୀ ସହାୟତା ଓ ଲୋକଙ୍କ ସମର୍ଥନ ନମିଳିଲେ ଆଗାମୀ ଦିନରେ ଉମରକୋଟର ଏହି ପାରମ୍ପରିକ ମାଟି ମୂର୍ତ୍ତି ନିର୍ମାଣ କଳା ଧୀରେଧୀରେ ଲୋପ ପାଇଯିବ ବୋଲି କାରିଗରମାନେ ଆଶଙ୍କା ପ୍ରକାଶ କରିଛନ୍ତି।

You may have missed