August 25, 2026

ମରୈଗାଁ-ବଳିପୁର ରାସ୍ତା ନିର୍ମାଣରେ ବିଳମ୍ବ ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

IMG-20260825-WA0049
Share

ହାଟଡିହି ତା ୨୫/୮(ମନମୋହନ ନାୟକ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ର ବିଭିନ୍ନ ପଞ୍ଚାୟତକୁ ସଂଯୋଗ କରୁଥିବା ମରୈଗାଁ-ବଳିପୁର ନଦୀବନ୍ଧ ରାସ୍ତା ଶୋଚନୀୟ ହୋଇଥିବାରୁ ଏହା ଅଞ୍ଚଳବାସୀଙ୍କ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରିଛି। ରାସ୍ତା ନିର୍ମାଣ ପାଇଁ ଅନୁଦାନ ଘୋଷଣା ହୋଇଥିଲେ ମଧ୍ୟ ଏଯାଏଁ । ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହି ୧୯ କିଲୋମିଟର ରାସ୍ତା ଉପରେ ହାଟଡିହି ବ୍ଲକ୍‌ର ଓରାଳି, ଇଞ୍ଚୋଳ, ଶାଳଣିଆ, ଡଅଁର, ଗେଡ଼ମା, ଆଇତିପୁର, ସଡ଼ଙ୍ଗ ପଞ୍ଚାୟତର ୫୦ରୁ ଉର୍ଦ୍ଧ ଗ୍ରାମର ଲୋକେ ନିର୍ଭର କରୁଛନ୍ତି। ୭ବର୍ଷ ତଳେ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୧୭କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କରାଯାଇଥିଲା । ନିମ୍ନମାନର କାମ ଯୋଗୁଁ କିଛିଦିନ ମଧ୍ୟରେ ରାସ୍ତା ଶୋଚନୀୟ ହୋଇଥିଲା। ବିଭିନ୍ନ ସ୍ଥାନରେ ମାଟି ଧସିବା, ପିଚୁ ଉଠିଯାଇ ବଡ଼ବଡ଼ ଖାଲ ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ବାରମ୍ବାର ଦାବି ପରେ ଜିଲ୍ଲା ପ୍ରଶାସନ ଏହି ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରି ନୂତନ ଭାବେ ନିର୍ମାଣ କରିବାପାଇଁ ପ୍ରସ୍ତାବ ଦେଇଥିଲା। ରାସ୍ତା ନିର୍ମାଣ ପାଇଁ ଦାବି ହେଉଥିଲେ ମଧ୍ୟ କାମ ଆରମ୍ଭ ହେଉନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାସ୍ତା ନିର୍ମାଣ ପାଇଁ ତତ୍କାଳୀନ ବିଧାୟକ ଭାଗୀରଥି ସେଠୀ ଏବଂ ବର୍ତ୍ତମାନର ବିଧାୟକ ଅଭିମନ୍ୟୁ ସେଠୀ ବିଧାନସଭାରେ ବାରମ୍ବାର ଦାବି ଉଠାଇଛନ୍ତି। ବିଜେପି ନେତା ଆଲୋକ ସେଠୀ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ରାସ୍ତା ନିର୍ମାଣ ପାଇଁ ଦାବି ଜଣାଇଥିଲେ । ଏହାପରେ ପୂର୍ତ ବିଭାଗକୁ ରାସ୍ତା ହସ୍ତାନ୍ତର କରିବାପାଇଁ ସୁପାରିସ କରାଯାଇଥିଲା। ପରବର୍ତ୍ତୀ ସମୟରେ ରାସ୍ତା ନିର୍ମାଣ ପାଇଁ ଓମ୍‌ବାଡ୍‌ସିରୁ ୬୫କୋଟି ୯୨ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଆନନ୍ଦପୁର ଗସ୍ତରେ ଆସିଥିବା ବେଳେ ରାସ୍ତା ନିର୍ମାଣପାଇଁ ଅନୁଦାନ ଯୋଗାଇ ଦିଆଯାଇଥିବା ଘୋଷଣା କରିଥିଲେ। ଘୋଷଣାର ବର୍ଷେ ପରେ ବି ରାସ୍ତା ନିର୍ମାଣ ନେଇ ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ରାସ୍ତାରେ ବଡ଼ବଡ଼ ଖାଲ ହୋଇ ବର୍ଷାପାଣି ଜମିଛି। ଚାରିଚକିଆ ଗାଡ଼ି ଯିବାରେ ସମସ୍ୟା ହେଉଛି ରୋଗୀଙ୍କୁ ହସ୍ପିଟାଲ ନେବାରେ ଅସୁବିଧା ହେଉଛି ଧୀରେଧୀରେ ଯିବାକୁ ବାଧ୍ୟ ଆମ୍ବୁଲାନ୍ସ ହେଉଛି ବିଭିନ୍ନ ଗ୍ରାମର ଛାତ୍ରଛାତ୍ରୀ ସ୍କୁଲ, କଲେଜ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ବାଲି ବୋଝେଇ ଭାରୀଯାନ ଚଳାଚଳ ସମସ୍ୟାକୁ ଆହୁରି ଜଟିଳ କରିଦେଇଛି। ବିଶେଷ କରି ଡଅଁର ପଞ୍ଚାୟତବାସୀ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଅନ୍ୟ କେତେକ ପଞ୍ଚାୟତକୁ ବିକଳ୍ପ ରାସ୍ତା ଥିବାରୁ ଜରୁରି ସମୟରେ ଲୋକେ ସେହି ରାସ୍ତାକୁ ବ୍ୟବହାର କରୁଛନ୍ତି । ଡଅଁର ପଞ୍ଚାୟତବାସୀଙ୍କ ପାଇଁ ଏହି ରାସ୍ତା ହିଁ ଏକମାତ୍ର ମାଧ୍ୟମ ରାସ୍ତା ସମସ୍ୟା ପାଇଁ ଏହି ପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ବନ୍ଦ ହୋଇଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଟେଣ୍ଡର ପ୍ରକ୍ରିୟା ଶେଷ କରି ରାସ୍ତା ନିର୍ମାଣ ଆରମ୍ଭ କରିବାକୁ ଦାବି କରାଯାଇଛି। ଏହା ପୂର୍ବରୁ ଅସ୍ଥାୟୀ ଭାବେ ରାସ୍ତା ମରାମତି କରି ଯାତାୟାତ ଉପଯୋଗୀ କରିବାକୁ ଲୋକେ ଦାବି କରିଛନ୍ତି ସପ୍ତାହେ ମଧ୍ୟରେ ଏନେଇ କୌଣସି ପଦକ୍ଷେପ ନନେଲେ ଆନ୍ଦୋଳନ ହେବ ବୋଲି ନିର୍ମଳ ସେଠୀ, ପଞ୍ଚାନନ ଦେଓ, ବ୍ରହ୍ମାନନ୍ଦ ଜେନା, ବାବାଜି ଜେନା, ପ୍ରସନ୍ନ କୁମାର ଜେନା, ଜ୍ୟୋତି ଶଙ୍କର ଖଣ୍ଡାଇ, ଯତୀନ୍ଦ୍ର କୁମାର ନାୟକ, ରୁଦ୍ରନାରାୟଣ ସା ଓ ଯୁବ ସମାଜସେବୀ ପରେଶ କୁମାର ପରିଡ଼ା ପ୍ରମୁଖ ଚେତାବନୀ ଦେଇଛନ୍ତି।