ପାଟିକୋଟା ସେବା ସମବାୟ ସମିତିରେ ବିଧାୟକଙ୍କ ଅଚାନକ ଗ୍ରସ୍ତ କରି ସମସ୍ତ ପ୍ରକାର ଯାଞ୍ଚ କଲେ
ଗୋଷାଣୀ ବ୍ଲକ: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଉପଲଡା ପଞ୍ଚାୟତ ଅନ୍ତର୍ଗତ ପାଟିକୋଟା ସେବା ସମବାୟ ସମିତି ଲିମିଟେଡ୍କୁ ଅଚାନକ ଗସ୍ତ କରି ସମିତିର ବିଭିନ୍ନ କାର୍ଯ୍ୟକଳାପ ଓ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ।
ଅଚାନକ ଗସ୍ତ ସମୟରେ ବିଧାୟକ ସମିତିର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀ, ଚାଷୀମାନଙ୍କ ସହ ଜଡ଼ିତ ସେବା, ରେକର୍ଡପତ୍ର, ଧାନ ଓ କୃଷି ସମ୍ପର୍କିତ ବ୍ୟବସ୍ଥା ସମେତ ବିଭିନ୍ନ ବିଷୟରେ ତଥ୍ୟ ନେଇଥିଲେ। ଚାଷୀମାନେ ଯେପରି ସମବାୟ ସମିତି ମାଧ୍ୟମରେ ସରକାରୀ ସୁବିଧା ଓ ସେବା ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପ୍ରତି ବିଧାୟକ ଗୁରୁତ୍ୱାରୋପ କରିଥିଲେ।
ସମିତିର ବ୍ୟବସ୍ଥାରେ କୌଣସି ପ୍ରକାର ଅବହେଳା, ଅନିୟମିତତା କିମ୍ବା ଚାଷୀଙ୍କ ସ୍ୱାର୍ଥରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଧାୟକ କଡ଼ା ଆଭିମୁଖ୍ୟ ପ୍ରକାଶ କରିଥିବା ଜଣାପଡ଼ିଛି। ସମିତିର ସମସ୍ତ କାର୍ଯ୍ୟକାରିତାରେ ସ୍ୱଚ୍ଛତା, ଦାୟିତ୍ୱବୋଧ ଓ ଚାଷୀମୁଖୀ ସେବାକୁ ପ୍ରାଥମିକତା ଦେବାକୁ ସେ ସମ୍ପୃକ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ।
ବିଧାୟକଙ୍କ ଏହି ଅଚାନକ ଗସ୍ତ ଚାଷୀ ମହଲରେ ଗୁରୁତ୍ୱ ବହନ କରିଛି। ତୃଣମୂଳ ସ୍ତରରେ ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ଚାଷୀଙ୍କ ଅଭିଯୋଗ ଓ ସମସ୍ୟାର ତ୍ୱରିତ ସମାଧାନ ଦିଗରେ ଏଭଳି ଯାଞ୍ଚ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଆଶା ପ୍ରକାଶ ପାଇଛି।
ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ଏଭଳି ଅଚାନକ ତଦାରଖକୁ “କାର୍ଯ୍ୟାଳୟରେ ବସି କାଗଜ ଦେଖିବା ନୁହେଁ, ମାଟିକୁ ଓହ୍ଲାଇ ବାସ୍ତବ ସ୍ଥିତି ପରଖିବା” ଭଳି ପଦକ୍ଷେପ ବୋଲି ସ୍ଥାନୀୟ ମହଲରେ ଚର୍ଚ୍ଚା ହେଉଛି। ଚାଷୀଙ୍କ ସ୍ୱାର୍ଥ ଓ ସମବାୟ ବ୍ୟବସ୍ଥାର ସ୍ୱଚ୍ଛତା ହିଁ ଏହି ଯାଞ୍ଚର ମୁଖ୍ୟ କେନ୍ଦ୍ରବିନ୍ଦୁ ଥିବା ଜଣାପଡ଼ିଛି।
