ଉମରକୋଟ ବ୍ଲକ ଅନ୍ତର୍ଗତ ସେମଳା ପଞ୍ଚାୟତର ବଡ଼ବାସିନି ଗ୍ରାମ ରେ କାଦୁଅ ପଚ ପଚ ରାସ୍ତାରେ ଚାଲୁଛନ୍ତି କୋମଲମତି ଶିଶୁ………..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନକୁ ବିତିଗଲାଣି ସାତ ବର୍ଷ। ହେଲେ ଆଜି ପର୍ଯ୍ୟନ୍ତ କେନ୍ଦ୍ରକୁ ଯିବା ପାଇଁ ନିର୍ମାଣ ହୋଇପାରିନାହିଁ ଏକ ସୁଗମ ରାସ୍ତା। ଫଳରେ ବର୍ଷା ଦିନେ କାଦୁଆ ରାସ୍ତା ଦେଇ ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବାକୁ ପଡ଼ୁଛି କୋମଳମତି ଶିଶୁଙ୍କୁ। ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ସେମଳା ପଞ୍ଚାୟତର ବଡ଼ବାସିନି ଗ୍ରାମର ହରିଜନ ସାହିରେ। ସୂଚନା ଅନୁଯାୟୀ, ହରିଜନ ସାହିରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରଟି ସ୍ଥାପନ ହେବାର ସାତ ବର୍ଷ ବିତିଥିଲେ ମଧ୍ୟ ଅଙ୍ଗନବାଡି କେନ୍ଦ୍ରକୁ ଯିବା ପାଇଁ ଆଜି ପର୍ଯ୍ୟନ୍ତ ଠିକ୍ ରାସ୍ତା ନିର୍ମାଣ ହୋଇନାହିଁ। ବର୍ଷା ହେଲେ ରାସ୍ତାରେ କାଦୁଅ ଜମି ଯାଉଥିବାରୁ ଶିଶୁମାନଙ୍କ ଯାତାୟାତରେ ନାନା ସମସ୍ୟା ଦେଖାଦେଉଛି। ଏନେଇ ଅଙ୍ଗନବାଡ଼ି କର୍ମୀ ମମତା ନାୟକ ସେମଳା ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିଥିବା କହିଛନ୍ତି। ତେବେ ଅଭିଯୋଗ ପରେ ମଧ୍ୟ ରାସ୍ତା ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା ସେ ପ୍ରକାଶ କରିଛନ୍ତି।ଘଟଣା ସମ୍ପର୍କରେ ଉମରକୋଟ ସିଡିପିଓ ସଞ୍ଜୁକ୍ତା ବେହେରାଙ୍କ ସହ ଯୋଗାଯୋଗ କରିବାରୁ ଏ ସମ୍ପର୍କରେ ତାଙ୍କ ନିକଟରେ ପୂର୍ବରୁ କୌଣସି ସୂଚନା ନଥିବା କହିଥିଲେ। ଖବର ପାଇବା ପରେ ସେ ଖୁବଶୀଘ୍ର ବିଡିଓଙ୍କ ସହ ଆଲୋଚନା କରି ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବା ପାଇଁ ରାସ୍ତାର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସିଡିପିଓଙ୍କ ଏହି ପ୍ରତିଶ୍ରୁତି ପରେ ଏବେ କେବେ ରାସ୍ତା ନିର୍ମାଣ କାମ ଆରମ୍ଭ ହେଉଛି, ତାହାକୁ ନେଇ ଗ୍ରାମବାସୀଙ୍କ ନଜର ରହିଛି।
