ବଦଳୁଛି ଡେବ୍ରିଗଡ଼ ଅଭୟାରଣ୍ୟ ନୂଆ ରୂପରେ ସଜେଇ ହେଉଛି ପର୍ଯ୍ୟଟନସ୍ଥଳୀ, ଟାଣିବ ପର୍ଯ୍ୟଟକ

ସମ୍ବଲପୁର, ୨୧/୦୮: ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ, ବନ୍ୟଜନ୍ତୁଙ୍କ ଅବାଧ ବିଚରଣ ଓ ହୀରାକୁଦ ଜଳଭଣ୍ଡାରର ମନୋରମ ପରିବେଶକୁ ନେଇ ଡେବ୍ରିଗଡ଼ ଅଭୟାରଣ୍ୟ ଏବେ ପର୍ଯ୍ୟଟକଙ୍କ ପାଇଁ ଆହୁରି ଆକର୍ଷଣୀୟ ହେବାକୁ ଯାଉଛି। ‘ଡେବ୍ରିଗଡ଼ ଉନ୍ନୟନ’ ତଥା ସମନ୍ୱିତ ହୀରାକୁଦ ବିକାଶ ଯୋଜନା ଅଧୀନରେ ଅଭୟାରଣ୍ୟରେ ଭିତ୍ତିଭୂମି ବିକାଶ ସହ ପର୍ଯ୍ୟଟକଙ୍କ ସୁବିଧାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଅଭୟାରଣ୍ୟର ପ୍ରବେଶ ଫାଟକ ନିକଟସ୍ଥ ଜିରୋ ପଏଣ୍ଟରେ ପର୍ଯ୍ୟଟକଙ୍କ ପାଇଁ ଆଧୁନିକ ସୁବିଧା ବିକଶିତ କରାଯାଇଛି। ଏଠାରେ ଏକ ସମୟରେ ପ୍ରାୟ ୫୦୦ରୁ ୮୦୦ ପର୍ଯ୍ୟଟକଙ୍କ ସମାଗମକୁ ସମ୍ଭାଳିବା ଭଳି ଭିତ୍ତିଭୂମି ସୃଷ୍ଟି ହୋଇଛି। ବୁକିଂ କାଉଣ୍ଟର ଓ ଇକୋ-ଟୁରିଜମ୍ ସେଲ୍ ସହ ପ୍ରାୟ ୭,୨୦୦ ବର୍ଗଫୁଟ୍ର ଏକ ସୁବିଧା କେନ୍ଦ୍ର ନିର୍ମାଣ କରାଯାଇଛି। ଏଠାରେ ପ୍ରାୟ ୫୦୦ ପର୍ଯ୍ୟଟକଙ୍କ ପାଇଁ ଲାଉଞ୍ଜ ଏବଂ ଶିଶୁ ଓ ଯୁବପିଢ଼ିଙ୍କ ପାଇଁ ପ୍ରକୃତି ଶିକ୍ଷା କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ବୈଠକ ସ୍ଥାନ ରହିଛି।
ବୁକିଂ କାଉଣ୍ଟରରେ ସଫାରି, କ୍ରୁଜ୍ ପ୍ୟାକେଜ୍, ରାତ୍ରି ରହଣି ସମେତ ବିଭିନ୍ନ ଇକୋ-ଟୁରିଜମ୍ କାର୍ଯ୍ୟକଳାପ ପାଇଁ ବୁକିଂ ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି। ସେହିପରି ପ୍ରାୟ ୨,୦୦୦ ବର୍ଗଫୁଟ୍ର ସ୍ମାରକୀ ଦୋକାନକୁ ମଧ୍ୟ ଉନ୍ନତ କରାଯାଇଛି। ଏଠାରେ ଏକ ସମୟରେ ପ୍ରାୟ ୧୦୦ ଜଣ ପର୍ଯ୍ୟଟକଙ୍କ ପାଇଁ ସୁବିଧା ରହିବ।
ପର୍ଯ୍ୟଟକଙ୍କ ପ୍ରବେଶ ଓ ଯାତାୟାତ ପରିଚାଳନାକୁ ସୁଗମ କରିବା ପାଇଁ ପ୍ରବେଶ ଫାଟକକୁ ମଧ୍ୟ ଉନ୍ନତ କରାଯାଇଛି। ପାର୍ବତୀତୁଙ୍ଗ ଅଞ୍ଚଳର ବିକାଶ ସହ ପ୍ରକୃତି ଶିବିରରେ ଦୁଇଟି କାଠ ଲଗ୍ ହାଉସ୍ ନିର୍ମାଣ କରାଯାଇଛି। ଏହା ବିଶେଷକରି ବାହାର ରାଜ୍ୟ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହେବ ବୋଲି ଆଶା କରାଯାଉଛି।
ଏହି ଯୋଜନା ଅଧୀନରେ ନୂତନ ସଫାରି ଯାନ ଓ କ୍ରୁଜ୍ ଡଙ୍ଗା ନିର୍ମାଣ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି। ଏଥିସହ କାନୋପି ୱାକ୍ ନିର୍ମାଣ କାର୍ଯ୍ୟ ମଧ୍ୟ ପ୍ରଗତିରେ ରହିଛି। ଏସବୁ ସୁବିଧା ଯୋଡ଼ି ହେବା ପରେ ଡେବ୍ରିଗଡ଼ ଇକୋ-ଟୁରିଜମ୍ର ନୂଆ ଠିକଣା ଭାବେ ଉଭା ହେବାର ସମ୍ଭାବନା ବଢ଼ିଛି।
ଅନ୍ୟପକ୍ଷରେ, ଡେବ୍ରିଗଡ଼ର ସବୁଜ ଜଙ୍ଗଲ ଏବେ ବନ୍ୟଜନ୍ତୁପ୍ରେମୀଙ୍କୁ ମଧ୍ୟ ଆକର୍ଷିତ କରୁଛି। ସଫାରି ରାସ୍ତାରେ କଲରାପତରିଆ ବାଘ, ସମ୍ବର, ଭାଲୁ, ହରିଣ, ବାଇସନ୍, ବନ୍ୟ ଶୂକର ଓ ମୟୂର ଆଦି ବନ୍ୟଜନ୍ତୁ ଓ ପକ୍ଷୀଙ୍କ ଦର୍ଶନ ମିଳୁଥିବାରୁ ପର୍ଯ୍ୟଟକଙ୍କ ଉତ୍ସାହ ବଢ଼ିଛି। ବିଶେଷକରି ସଫାରି ସମୟରେ ବନ୍ୟଜନ୍ତୁ ଦେଖିବାର ସୁଯୋଗ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟର ମୁଖ୍ୟ ଆକର୍ଷଣ ପାଲଟିଛି।
ହୀରାକୁଦ ବନାଞ୍ଚଳର ଡିଏଫ୍ଓ ଅଂଶୁ ପ୍ରଜ୍ଞା ଦାସଙ୍କ ସୂଚନା ଅନୁଯାୟୀ, ଡେବ୍ରିଗଡ଼ର ପ୍ରାକୃତିକ ପରିବେଶ ସହ ନୂଆ ପର୍ଯ୍ୟଟନ ଭିତ୍ତିଭୂମି ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରୁଛି। ଆଗାମୀ ଦିନରେ ନୂଆ ସୁବିଧା ଓ ଆକର୍ଷଣ ଯୋଡ଼ି ହେବା ସହ ଡେବ୍ରିଗଡ଼ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଇକୋ-ଟୁରିଜମ୍ ଗନ୍ତବ୍ୟସ୍ଥଳୀ ଭାବେ ନୂଆ ପରିଚୟ ହାସଲ କରିବ ବୋଲି ଆଶା ଦୃଢ଼ ହୋଇଛି।
