ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ
ବରପାଲି : (ସୁଦାମ ଦୀପ) ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-2026 ଅନ୍ତର୍ଗତ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଭରତ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅତିଥିମାନେ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ବରପାଲି ଥାନାର ଆଇଆଇସି ପ୍ରମୋଦ କୁମାର ସାହୁ ଯୋଗଦେଇ ଛାତ୍ରୀମାନଙ୍କୁ ସାଇବର ଅପରାଧ ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରିଥିଲେ। ବର୍ତ୍ତମାନର ଡିଜିଟାଲ ଯୁଗରେ ମୋବାଇଲ ଫୋନ୍, ଇଣ୍ଟରନେଟ୍ ଓ ସୋସିଆଲ ମିଡିଆର ବ୍ୟବହାର ବଢ଼ିଥିବାରୁ ଏହାର ସୁରକ୍ଷିତ ଓ ସତର୍କ ବ୍ୟବହାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଅଜଣା ବ୍ୟକ୍ତିଙ୍କ ଫୋନ୍ କଲ୍, ସନ୍ଦେହଜନକ ମେସେଜ୍, ଲିଙ୍କ୍ କିମ୍ବା ଅନଲାଇନ୍ ଲୋଭନୀୟ ପ୍ରସ୍ତାବରେ ପ୍ରଲୋଭିତ ନ ହେବା ସହିତ ବ୍ୟକ୍ତିଗତ ତଥ୍ୟ, ପାସୱାର୍ଡ ଓ ଓଟିପି ଆଦି କାହା ସହିତ ଅନାବଶ୍ୟକ ଭାବେ ଅଂଶୀଦାର ନ କରିବାକୁ ସେ ପରାମର୍ଶ ଦେଇଥିଲେ।
ଏଥିସହ ଅନଲାଇନ୍ ଠକେଇ, ନକଲି ସୋସିଆଲ ମିଡିଆ ଆକାଉଣ୍ଟ, ଫିଶିଂ ଲିଙ୍କ୍, ଡିଜିଟାଲ ପେମେଣ୍ଟ ସମ୍ପର୍କିତ ଠକେଇ ଓ ସାଇବର ବୁଲିଂ ଭଳି ଘଟଣାରୁ କିପରି ନିଜକୁ ସୁରକ୍ଷିତ ରଖିହେବ, ସେନେଇ ମଧ୍ୟ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। କୌଣସି ସାଇବର ଠକେଇର ଶିକାର ହେଲେ ଭୟଭୀତ ନହୋଇ ତୁରନ୍ତ ଅଭିଭାବକ, ଶିକ୍ଷକ କିମ୍ବା ପୋଲିସର ସହାୟତା ନେବାକୁ ଆଇଆଇସି ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରତିନିଧି ରାଘବ ନାଏକ ଓ ବାଳିକା ଉଚ୍ଚ ବିଦ୍ୟାଳୟ ର ବିଧାୟକ ପ୍ରତିନିଧି ସୁବୋଧ କୁମାର ସାହୁ ଯୋଗଦେଇ ସାଇବର ସୁରକ୍ଷାର ଗୁରୁତ୍ୱ ଉପରେ ନିଜ ମତ ରଖିଥିଲେ। ଛାତ୍ରୀମାନେ ସାଇବର ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ରଖିଥିବାବେଳେ ଅତିଥିମାନେ ସେଗୁଡ଼ିକର ଉତ୍ତର ଦେଇଥିଲେ। ଏହି ଅବସରରେ ମୋହନଚାନ୍ଦ ପଧାନ, ଅରୁନ୍ଧତୀ ପଣ୍ଡା ଓ ଭାଗୀରଥୀ ପଧାନଙ୍କ ସମେତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସୁବାସନ ସାହୁ, ଶ୍ରୀକାନ୍ତ ସାହୁ, ଅଲେଖ ମହାକୁର ଓ ଦୁର୍ଯୋଧନ ପଧାନ ପ୍ରମୁଖ ସହଯୋଗ କରିଥିଲେ। ସାଇବର ଅପରାଧ ଦିନକୁ ଦିନ ନୂଆ ରୂପ ନେଉଥିବା ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିଜିଟାଲ ସୁରକ୍ଷା ସମ୍ପର୍କିତ ସଚେତନତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା।
