ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ
ବରପାଲି – ୧୩/୮(ସୁଦାମ ଦୀପ)ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥର ବଲାଙ୍ଗୀର ରାସ୍ତା, ବର୍ଲାବହାଲ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ସୂଜିଆ ଗ୍ରାମର ରାଜୁ ରାଉତ (୪୨)। ସୂଚନା ଅନୁଯାୟୀ, ରାଜୁ ରାଉତ ନିଜ ବାଇକ୍ (OD 03 AB 3632) ଧରି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ସମୟରେ ଅପର ପାର୍ଶ୍ୱରୁ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ ହିରୋ ଡିଲକ୍ସ ବାଇକ୍ (OD 17 Z 3984) ତାଙ୍କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଫଳରେ ରାଜୁ ଗୁରୁତର ଭାବେ ଆହାତ ହୋଇଥିଲେ।
ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବରପାଲି ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯାହା ଖବର ମିଲିଛି ଧକ୍କା ଦେଇଥିବା ଗାଡି ଚାଳକ ବି ଗୁରୁତର ଆଘାତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଥିଲା। ବ୍ୟବଚ୍ଛେଦ ପରେ ଶବକୁ ସୁଜିଆ ଗ୍ରାମକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏହି ଘଟଣାକୁ ନେଇ ମୃତକଙ୍କ ପୁତୁରା ଗଣେଶ ରାଉତ ବରପାଲି ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି। ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।
