କୋରାପୁଟରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ
କୋରାପୁଟ, ୧୦/୦୮/ ୨୦୨୬ : ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଆଜି କୋରାପୁଟ ସହରରେ ‘ହର ଘର ତ୍ରିରଙ୍ଗା–୨୦୨୬’ କାର୍ଯ୍ୟକ୍ରମ ଉତ୍ସାହ ଓ ଦେଶଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ତ୍ରିରଙ୍ଗା ରାଲିରେ ବହୁ ସଂଖ୍ୟାରେ ସ୍କୁଲ ଛାତ୍ରଛାତ୍ରୀ, ଯୁବବର୍ଗ ଓ ସାଧାରଣ ଲୋକ ଯୋଗଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ହାତରେ ଜାତୀୟ ପତାକା ଧରି ଦେଶପ୍ରେମର ସ୍ଲୋଗାନ ଦେଇ ରାଲିରେ ସାମିଲ ହୋଇଥିଲେ। ବିଭିନ୍ନ ବର୍ଗର ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ଜନପ୍ରତିନିଧି, ଅଧିକାରୀ ଓ ସାମାଜିକ ସଂଗଠନର ପ୍ରତିନିଧିମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ରାଲି ମାଧ୍ୟମରେ ଜାତୀୟ ପତାକା ପ୍ରତି ସମ୍ମାନ, ଦେଶପ୍ରେମ, ଜାତୀୟ ଏକତା ଓ ଅଖଣ୍ଡତାର ବାର୍ତ୍ତା ଦିଆଯାଇଥିଲା। ସମଗ୍ର କୋରାପୁଟ ସହର ତ୍ରିରଙ୍ଗାମୟ ହୋଇଉଠିବା ସହିତ କାର୍ଯ୍ୟକ୍ରମରେ ଏକ ଉତ୍ସାହପୂର୍ଣ୍ଣ ଓ ଦେଶଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ‘ହର ଘର ତ୍ରିରଙ୍ଗା’ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ନାଗରିକଙ୍କ ମନରେ ଜାତୀୟ ପତାକା ପ୍ରତି ଗର୍ବ ଓ ଦେଶପ୍ରେମର ଭାବନାକୁ ଆହୁରି ଦୃଢ଼ କରିବା।(ଗୁପ୍ତେଶ୍ୱର ରଥ କୋରାପୁଟ)
