August 10, 2026

ଉମରକୋଟ ରେ କଅଁଳ କରଡ଼ି ର ଚାହିଦା ବୃଦ୍ଧି ପାଇଛି………

IMG-20260810-WA0017
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ବର୍ଷା ଋତୁ ଆସିଲେ ଜଙ୍ଗଲରେ ବାଉଁଶ କଅଁଳ ଗଜା ଅର୍ଥାତ୍ କରଡ଼ି ବାହାରିଥାଏ। ଏହି କରଡ଼ି ହେଉଛି ଆଦିବାସୀ ସମ୍ପ୍ରଦାୟର ଏକ ପାରମ୍ପରିକ ଓ ପ୍ରିୟ ଖାଦ୍ୟ। ନିଜ ପରିବାର ପାଇଁ ଏହାକୁ ସଂଗ୍ରହ କରି ଖାଇବା ସହ ହାଟବଜାରରେ ବିକ୍ରି କରି ଆଦିବାସୀମାନେ ଭଲ ଆୟ ମଧ୍ୟ କରୁଛନ୍ତି। ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅଞ୍ଚଳର ବିଭିନ୍ନ ସାପ୍ତାହିକ ହାଟ ଓ ବଜାରରେ ଏବେ କରଡ଼ିର ପସରା ଦେଖିବାକୁ ମିଳୁଛି। ପଶ୍ଚିମ ଓଡ଼ିଶାରେ ଏହାର ବ୍ୟାପକ ବ୍ୟବହାର ରହିଥିବା ବେଳେ, ଧୀରେ ଧୀରେ ଏହା ସବୁ ବର୍ଗର ଲୋକଙ୍କ ପସନ୍ଦର ଖାଦ୍ୟ ପାଲଟିଛି। କରଡ଼ିକୁ ଶୁଖାଇ ଦୀର୍ଘଦିନ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇପାରେ। ବର୍ଷା ଋତୁରେ ମାତ୍ର ଏହା ଉପଲବ୍ଧ ହେଉଥିବାରୁ ବଜାରରେ ଏହାର ଚାହିଦା ବେଶି ରହିଥାଏ। କରଡ଼ିରେ ପ୍ରସ୍ତୁତ ତରକାରୀ, ଭଜା, ଖଟା ଓ ଆଚାରର ସ୍ୱାଦ ବେଶ ନିଆରା ହୋଇଥିବାରୁ ଖାଦ୍ୟପ୍ରେମୀଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ବଢ଼ୁଛି। ଅନାଦି କାଳରୁ ଆଦିବାସୀମାନେ ବାଉଁଶ କରଡ଼ିକୁ ନିଜ ଖାଦ୍ୟର ଅଂଶ ଭାବେ ବ୍ୟବହାର କରିଆସୁଛନ୍ତି। ପୌଷ୍ଟିକ ଗୁଣରେ ଭରପୂର କରଡ଼ିରେ ପ୍ରଚୁର ପରିମାଣର ଫାଇବର, ଭିଟାମିନ୍‌, ପ୍ରୋଟିନ୍‌ ଓ ବିଭିନ୍ନ ମିନେରାଲ ରହିଛି। ସେଥିପାଇଁ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ବୋଲି କୁହାଯାଏ। ବର୍ଷା ଋତୁରେ ମିଳୁଥିବା ଏହି ସୁସ୍ୱାଦୁ ବନଜାତ ଖାଦ୍ୟ ଆଦିବାସୀଙ୍କ ପାଇଁ କେବଳ ଖାଦ୍ୟ ନୁହେଁ, ବରଂ ରୋଜଗାରର ଏକ ମହତ୍ୱପୂର୍ଣ୍ଣ ମାଧ୍ୟମ ମଧ୍ୟ। ବଜାରରେ କ୍ରମବର୍ଦ୍ଧମାନ ଚାହିଦାକୁ ଦୃଷ୍ଟିରେ ରଖି ବାଣିଜ୍ୟିକ ଭିତ୍ତିରେ ବାଉଁଶ ଚାଷ କରି କରଡ଼ି ଉତ୍ପାଦନ ବଢ଼ାଇଲେ ଆଦିବାସୀଙ୍କ ଆର୍ଥିକ ସ୍ଥିତି ଆହୁରି ସୁଦୃଢ଼ ହେବ ବୋଲି ବୁଦ୍ଧିଜୀବୀ ମହଳରେ ମତ ପ୍ରକାଶ ପାଇଛି।

You may have missed