ତୁ ରହିଲୁନି ତ ମୁଁ ବି ରହିବିନି ପ୍ରେମିକର ମୃତ୍ୟୁର ଚାରି ଦିନ ପରେ ମୃତ୍ୟୁକୁ ଆପଣେଇଲେ ପ୍ରେମିକା

ମୟୂରଭଞ୍ଜ ( ଦେବାଶିଷ ଦାଶ )
ପ୍ରେମ କେବେ ଅନ୍ତନାହିଁ, ଏହା ଶାଶ୍ୱତ ଓ ଅମର ବୋଲି କୁହାଯାଏ। ଏହାର ଏକ ଜ୍ୱଳନ୍ତ ତଥା ହୃଦୟବିଦାରକ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ। ଏପରି ଏକ କରୁଣ ଦୃଶ୍ୟ ଯାହା ସମସ୍ତଙ୍କ ହୃଦୟକୁ ଗଭୀର ଭାବରେ ବିଚଳିତ କରିଦେଇଛି। ସାଙ୍ଗ ହୋଇ ଜୀବନ ଜିଇଁବାର ସ୍ୱପ୍ନ ଦେଖିଥିବା ଏକ ଯୋଡ଼ି ଶେଷରେ ମୃତ୍ୟୁକୁ ଆପଣେଇ ନେଇଛନ୍ତି। ପ୍ରେମିକ ବିନା ଏକ ମୁହୂର୍ତ୍ତ ମଧ୍ୟ ବଞ୍ଚି ରହିପାରିବେ ନାହିଁ ବୋଲି ଭାବି ପ୍ରେମିକା ଜଣକ ଶେଷରେ ନିଜ ଜୀବନ ହାରି ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଡିମଗଡ଼ିଆ ଗ୍ରାମରୁ ଏଭଳି ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି। ଡିମଗଡ଼ିଆ ଗ୍ରାମର ମହେଶ୍ୱର ସିଂଙ୍କ ଝିଅ ଦେବି ସିଂ, ଅନୁଗୁଳ ନାଲକୋ ଅଞ୍ଚଳର ଯୁବକ ପିଣ୍ଟୁଙ୍କୁ ଦୀର୍ଘ ବର୍ଷ ହେବ ଭଲ ପାଇ ଆସୁଥିଲେ। ଉଭୟଙ୍କ ମଧ୍ୟରେ ଏତେ ନିବଡ଼ତା ଥିଲା ଯେ, ସେମାନେ ଭବିଷ୍ୟତରେ ବିବାହ କରିବେ ଏବଂ ଏକାଠି ଜୀବନ ବିତାଇବେ ବୋଲି ପ୍ରତିଜ୍ଞା କରିଥିଲେ। ମାତ୍ର ବିଧିର ବିଡ଼ମ୍ବନା ଥିଲା କିଛି ଅଲଗା। ଆଜକୁ ଚାରି ଦିନ ପୂର୍ବରୁ ପିଣ୍ଟୁ କାମ ନିମନ୍ତେ ଯାଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା ହୋଇଥିଲା। ଏହି ଦୁଃସମ୍ବାଦ ପାଇବା ପରେ ପ୍ରେମିକା ଦେବି ସିଂ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲେ ଏବଂ ପିଣ୍ଟୁଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ପାଇ ଈଶ୍ୱରଙ୍କ ନିକଟରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। କିନ୍ତୁ ଅଚାନକ ପ୍ରେମିକ ପିଣ୍ଟୁଙ୍କ ମୃତ୍ୟୁ ହୋଇଥିବା ଅତି ଦୁଃଖଦ ଖବର ପାଇବା ପରେ ଦେବି ସିଂ ନିଜର ମାନସିକ ଭାରସାମ୍ୟ ସମ୍ପୂର୍ଣ୍ଣ ଭାବରେ ହରାଇ ବସିଥିଲେ। ପ୍ରେମିର ବିରହ ସହି ନପାରି ଶେଷରେ ସେ ନିଜ ଘର ପଛ ବାଡ଼ିରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ତୁରନ୍ତ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରେମର ଏଭଳି ଏକ କରୁଣ ଓ ଦୃଦୟବିଦାରକ ପରିସମାପ୍ତି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ଏବଂ ଏହି ଘଟଣାକୁ ନେଇ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି।
