ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ। ଜିଲ୍ଲାପାଳ ଙ୍କ ଜଳ ପ୍ଲାବିତ ଅଞ୍ଚଳ ପରିଦର୍ଶନ ଓ ପ୍ରଭାବିତ ଙ୍କ ସହ ଆଲୋଚନା
ପୁରୀ – ଚଳିତ ବନ୍ୟାରେ ପୁରୀ ଜିଲ୍ଲାର ନିମାପଡା, ପିପିଲି,ଡେଲାଙ୍ଗ, ପୁରୀ ସଦର ଓ କଣାସ ବ୍ଲକ ର ମୋଟ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ପ୍ରଭାବିତ ହୋଇଛି।ଏଥିରେ ମୋଟ ୧୭୨୨୧ ଜଣ ବ୍ୟକ୍ତି ପ୍ରଭାବିତ ହୋଇଛନ୍ତି ବୋଲି ଜିଲ୍ଲା ଜରୁରୀ ବିଭାଗ ସୂଚନା ଦେଇଛନ୍ତି। ଏଯାବତ ୩୪୫ ଜଣ ଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀରେ ରଖାଯାଇଛି ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି I କଣାସ ଦୋକନ୍ଦା ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ୩୦୦, ପିପିଲି ବ୍ଲକ କଣ୍ଟି ଆଶ୍ରୟସ୍ଥଳୀରେ ୩୦ ଏବଂ ନିମାପଡା ବ୍ଲକରେ କନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୫ ଜଣ ଙ୍କୁ ସୁରକ୍ଷିତ ଭାବରେ ରଖାଯାଇଛି I
ଏତଦ ବ୍ୟତୀତ ଆଜି କଣାସ ବ୍ଲକରେ ୧୦ ହଜାର ପାଣି ବୋତଲ ବଣ୍ଟନ କରାଯାଇଛି l ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଆଜି ପୂର୍ବାହ୍ନ ରେ ଉପ ଜ଼ିଲ୍ଲାପାଳ ରାଜ କିଶୋର ଜେନାଙ୍କ ସହ କଣାସର ବନ୍ୟା କ୍ଷତିଗ୍ରସ୍ଥ ଅଂଚଳ ପରିଦର୍ଶନ କରିଥିଲେ ଏବଂ ସ୍ଥିତି ଅନୁଧ୍ୟାନ କରିଥିଲେ l
ଜିଲ୍ଲା ଜରୁରୀ ବିଭାଗର ତଥ୍ୟ ଅନୁସାରେ ନିମାପଡା ବ୍ଲକର ଶଗଡା ପଞ୍ଚାୟତ,ପିପିଲି ବ୍ଲକ ର ପୁବା ଶାସନ, କଣ୍ଟି,ପୋପରଙ୍ଗା,ଓ ଭାରତୀପୁର ପଞ୍ଚାୟତ,କଣାସ ବ୍ଲକର ବଡାଶ, ଦୋକନ୍ଦା, ପାଣ୍ଡିଆକେରା ଓ ଗଡବଳଭଦ୍ରପୁର ପଞ୍ଚାୟତ ଏବଂ ଡେଲାଙ୍ଗ ବ୍ଲକର ସିଂହବରହମପୁର ପଞ୍ଚାୟତ ଓ ପୁରୀ ସଦର ବ୍ଲକର ଗୋପୀନାଥପୁର, କାସିହରେକୃଷ୍ଣପୁର, ଶାସନଦା ମୋଦରପୁର, କାସିହରିପୁର ଗ୍ରାମ ପଂଚାୟତ ପ୍ରଭାବିତ ହୋଇଛି । ପ୍ରଭାବିତ ମାନଙ୍କ ମଧ୍ୟରେ ୪୬ କ୍ୟୁଣ୍ଟାଲ ଚୁଡା ଓ ୫.୩ କ୍ୟୁଣ୍ଟାଲ ଗୁଡ ବଣ୍ଟନ କରାଯାଇଛି।କୃଷି ବିଭାଗର ପ୍ରାଥମିକ ରିପୋର୍ଟ ଅନୁସାରେ ପ୍ରାୟ ୩୨୯୯ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି।ଚିକିତ୍ସା ସୁବିଧା ପାଇଁ କଣାସ, ପୁରୀ ସଦର, ପିପିଲି ବ୍ଲକରେ ଗୋଟିଏ ଲେଖାଏଁ ମେଡ଼ିକାଲ ଟିମ ମୁତୟନ କରାଯାଇଛି।ବନ୍ୟା ର ମୁକାବିଲା ପାଇଁ ପୂର୍ବରୁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଏକ ଆଭାସୀ ବୈଠକ ମାଧ୍ୟମରେ ସମସ୍ତ ବିଡ଼ିଓ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।ଆବଶ୍ୟକ ସ୍ଥଳେ ଖାଲୁଆ ଅଞ୍ଚଳ ରୁ ଲୋକ ମାନଙ୍କୁ ଉଦ୍ଧାର କରି ନିରାପଦ ଆଶ୍ରୟ ସ୍ଥଳରେ ରଖିବା, ଖାଦ୍ୟ,ପାନୀୟ ଜଳ, ଚିକିତ୍ସା ପ୍ରଦାନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥଲେ।ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରେ ରହିଛି।ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି ଓ ବନ୍ୟା ର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ସୂଚନା ଦେବା ସହ ଅଯଥା ଭୟଭୀତ ନ ହେବାକୁ ଅନୁରୋଧ କରିଛନ୍ତି।ଅପରପକ୍ଷରେ ଜଳସ୍ତର ହ୍ରାସ ପାଉଛି ବୋଲି ଜଳସେଚନ ବିଭାଗ ସୂଚନା ଦେଇଛନ୍ତି।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
