July 28, 2026

ବଜରଙ୍ଗ ଦଳର ମାନବିକ ପଦକ୍ଷେପକୁ ସାଧୁବାଦ, ଜିଲ୍ଲାପାଳଙ୍କୁ ଦେଲେ ଗୋସୁରକ୍ଷା ଦାବିପତ୍ର

IMG-20260728-WA0000
Share

 

 

ତିର୍ତୋଲ

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଲଘୁଚାପ ଜନିତ ଅବିରତ ବର୍ଷା ମଧ୍ୟରେ ଦୁଇ ଦିନଧରି ରାସ୍ତା କଡ଼ରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଏକ ଆହତ ଗୋ ମାତାଙ୍କୁ ଉଦ୍ଧାର କରି ମାନବିକତାର ଅନନ୍ୟ ପରିଚୟ ଦେଇଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ବାବା ଆଖଣ୍ଡଳମଣି ଗୋସେବା ଫାଉଣ୍ଡେସନ ଓ ବଜରଙ୍ଗ ଦଳର କର୍ମୀମାନେ । ସେମାନଙ୍କ ଏହି ନିଃସ୍ୱାର୍ଥ ସେବାକାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ସାଉଁଟିବା ସହ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ସତସଙ୍ଗ ମନ୍ଦିର ନିକଟସ୍ଥ ତାଳପଡା ବସ୍‌ଷ୍ଟପ୍ ପାଖରେ ଏକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଗୋମାତା ଦୁଇ ଦିନ ଧରି ରାସ୍ତା କଡ଼ରେ ପଡ଼ି ରହିଥିଲେ । ଅବିରତ ବର୍ଷା, ଭୋକ ଓ ଯନ୍ତ୍ରଣା ମଧ୍ୟରେ ତାଙ୍କ ଅବସ୍ଥା ଦିନକୁ ଦିନ ସଙ୍କଟାପନ୍ନ ହେଉଥିଲା । ଖବର ପାଇବା ପରେ ଆଠ ଜଣିଆ ଗୋ ସେବକ ଦଳ ପ୍ରବଳ ବର୍ଷାକୁ ଖାତିର ନକରି ଘଟଣା ସ୍ଥଳରେ ପହଞ୍ଚି ଆହତ ଗୋମାତାଙ୍କୁ ଉଦ୍ଧାର କରି ବସ୍‌ଷ୍ଟପ୍‌ର ରହଣି ସ୍ଥଳକୁ ସ୍ଥାନାନ୍ତର କରିଥିଲେ । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା, ଖାଦ୍ୟ ଓ ଆବଶ୍ୟକ ସେବା ଯୋଗାଇ ଦିଆଯାଇଥିଲା । ଏହି ମାନବିକ ସେବା କାର୍ଯ୍ୟରେ ବଜରଙ୍ଗ ଦଳର ଗୋରକ୍ଷା ପ୍ରମୁଖ ନିରୋଜ କୁମାର ବେହେରାଙ୍କ ନେତୃତ୍ୱରେ ବବୁଲ ପାତ୍ର, ସିବୁନି ଦାସ, ଭିକାରି, ପ୍ରସନ୍ନଙ୍କ ସମେତ ଅନେକ ଗୋପ୍ରେମୀ ଓ ସ୍ଥାନୀୟ ଯୁବକ ସକ୍ରିୟ ଭାବେ ସାମିଲ ହୋଇଥିଲେ । ପ୍ରତିକୂଳ ପାଗ ସତ୍ତ୍ୱେ ସେମାନଙ୍କ ଏହି ନିଃସ୍ୱାର୍ଥ ପଦକ୍ଷେପକୁ ସାଧାରଣ ଲୋକେ ଭୂୟସୀ ପ୍ରଶଂସା କରୁଛନ୍ତି । ଏହା ସହ ଗୋମାତାଙ୍କ ସୁରକ୍ଷା, ଗୋହତ୍ୟା ନିଷେଧ, ଗୋସେବା ପାଇଁ ଉପଯୁକ୍ତ ଅନୁଦାନ ଏବଂ ଗୋ ମାତାଙ୍କୁ ‘ରାଷ୍ଟ୍ରମାତା’ର ମାନ୍ୟତା ପ୍ରଦାନ ଦାବିରେ ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପ୍ରତିନିଧି ଦଳରେ ଗୋ ସମ୍ମାନ ଆହ୍ୱାନ ଜଗତସିଂହପୁର ର ମୁଖ୍ୟ ନିରୋଜ କୁମାର ବେହେରା, ବଜରଙ୍ଗ ଦଳ ପ୍ରାନ୍ତ ବିଦ୍ୟାର୍ଥୀ ପ୍ରମୁଖ ସ୍ୟାମସୁନ୍ଦର ସାହୁ, ସହ-ସଂଯୋଜକ ଜ୍ୟୋତିପ୍ରକାଶ ଙ୍କ ସମେତ ବବୁଲ ପାତ୍ର, ନାନକ ପଟ୍ଟନାୟକ ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ସାମିଲ ଥିଲେ । ପ୍ରକୃତିର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଜୀବ ପ୍ରତି ସହାନୁଭୂତି ଓ ସାମାଜିକ ଦାୟିତ୍ୱ ବୋଧର ଏହି ଉଦାହରଣ ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ଦେଇଛି । ଏଭଳି ସେବାମୂଳକ ପଦକ୍ଷେପ ଅନ୍ୟ ମାନଙ୍କ ପାଇଁ ମଧ୍ୟ ପ୍ରେରଣା ସୃଷ୍ଟି କରିବ ବୋଲି ବୁଦ୍ଧିଜୀବୀ ମହଲ ରେ ମତ ପ୍ରକାଶ ପାଇଛି ।