July 24, 2026

ବାହୁଡ଼ା, ସୁନାବେଶ ଲାଗି ପୁଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା ,୨୦୫ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୩ ରଥ ଲାଗି ୨ କର୍ଡନ..   

IMG-20260724-WA0003
Share

 

 

ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଶନିବାର ସୁନାବେଶ । ଦୁଇଦିନ ଧରି ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ବାହୁଡ଼ା ପରିବର୍ତ୍ତେ ସୁନାବେଶରେ ୧୦ଲକ୍ଷରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ ବୋଲି ଆକଳନ କରିଛି ପୁଲିସ ପ୍ରଶାସନ । ହଜାର ହଜାର ସଂଖ୍ୟାର ଗାଡ଼ିର ସୁଅ ଛୁଟିବ । ଏହାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇ ଥିବା ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏଡିଜି ତଥା ରଥ ପରିଚାଳନା ସ୍ୱତନ୍ତ୍ର ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ।

 

ଶ୍ରୀ ପ୍ରିୟଦର୍ଶୀଙ୍କ କହିବାନୁଯାୟୀ, ବାହୁଡ଼ା ଓ ସୁନାବେଶ ଲାଗି ଶ୍ରୀକ୍ଷେତ୍ରକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । ଟ୍ରାଫିକ ସୁପରିଚାଳନାଠୁ ଆରମ୍ଭକରି ସୁରକ୍ଷା ଲାଗି ବ୍ୟପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିଲାଗି ୧୯ଜଣ ଆଇପିଏସ୍‌ ଅଧିକାରୀ ଓ ୧୩ ହଜାର ପୁଲିସ କର୍ମଚାରୀ ଓ ୨୦୫ ପ୍ଲାଟୁନ୍‌ ଫୋର୍ସଙ୍କୁ ମୁତୟନ କରାଯାଇଛି । ସେହିଭଳି ସେଣ୍ଟ୍ରାଲ ଫୋର୍ସର ୧୫ କମ୍ପାନୀ ଫୋର୍ସ ମୁତୟନ । ଏହାମଧ୍ୟରେ ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ଆର୍‌ପିଏଏଫ୍‌, ଏନ୍‌ଏସ୍‌ଜି ମୁତୟନ କରାଯାଇଛି । ୩ ରଥ ଲାଗି ୨ଟି କର୍ଡନ କରାଯାଇଛି । ଭିତର ଓ ବାହାର କର୍ଡନ । ବଡ଼ଦାଣ୍ଡକୁ ସେକ୍ଟର ଅନୁଯାୟୀ ବଣ୍ଟନ କରାଯାଇଛି । ପ୍ରତ୍ୟେକ ସେକ୍ଟରରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଧିକାରୀ ଓ କର୍ମଚାରୀ ମୁତୟନ ଅଛନ୍ତି । ସେମାନେ ଭିଡ଼କୁ ନିୟନ୍ତ୍ରଣ କରିବେ ।

 

 

 

ଅନ୍ୟପକ୍ଷରେ ଶ୍ରଦ୍ଧାଳୁ ଅଚେତ୍‌ ହୋଇପଡ଼ିଲେ ସେମାନଙ୍କୁ ତ୍ୱରିତ ସେବା ଯୋଗାଇବା ଲାଗି ଅଗ୍ନିଶମ କର୍ମଚାରୀ ଓ ସ୍ୱେଚ୍ଛାସେବୀ ମୁତୟନ ରହିବେ । ସେହିପରି ସମୁଦ୍ର ଉପକୂଳ ଅଞ୍ଚଳରେ ନ୍ୟାଭି ଓ ଏୟାରଫୋର୍ସ ଏବଂ ମେରାଇନ୍‌ ପୁଲିସ ସଜାଗ ରହିଛନ୍ତି । ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ଲାଇଫଗାର୍ଡମାନଙ୍କୁ ନିୟୋଜିତ କରାଯାଇଛି । ବମ୍‌ସ୍କ୍ୱାଡ, ଡଗ୍‌ ସ୍କ୍ୱାଡମାନଙ୍କୁ ନିୟୋଜିତ କରାଯାଇଛି । ସେମାନେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସନ୍ଦେହପୂର୍ଣ୍ଣ ଜାଗାକୁ ତନ୍ନତନ୍ନ କରି ଯାଞ୍ଚ କରିବେ । ପୁଲିସ ପକ୍ଷରୁ ଜାରି ହୋଇଥିବା ବାହୁଡ଼ା ଓ ସୁନାବେଶ ଟ୍ରାଫିକ କଟକଣାକୁ ମାନି ପୁଲିସକୁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି । ଏହି ସମୟରେ ଟ୍ରାଫିକ ସୁପରିଚାଳନା ଦାୟିତ୍ୱରେ ରହିଥିବା ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅମିତାଭ ଠାକୁର ଉପସ୍ଥିତ ଥିଲେ ।