ଗଜପତି:- ପୁନଃ ବିକଶିତ ଅମୃତ ଭାରତ ଷ୍ଟେସନ୍ ଯୋଜନା”ରେ ପାରଳାଖେମୁଣ୍ଡି ରେଳ ଷ୍ଟେସନ୍ ଉଦଘାଟନ
ରେଳବାଇ କ୍ଷେତ୍ରରେ ଗଜପତି ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ଆଜି ସାକାର ହୋଇଛି । କେନ୍ଦ୍ର ସରକାରଙ୍କ ପୁନଃ ବିକଶିତ ଅମୃତ ଭାରତ ଷ୍ଟେସନ୍ ଯୋଜନାରେ ପ୍ରାୟ ୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପାରଳାଖେମୁଣ୍ଡି ରେଳ ଷ୍ଟେସନ୍ ଅତ୍ୟାଧୁନିକ ଷ୍ଟେସନରେ ପରିଣତ ହୋଇ ଏହାର କାୟାକଳ୍ପ ସମ୍ପୂର୍ଣ ଭାବେ ବଦଳି ଯାଇଛି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଜାବର ଜଳନ୍ଧର କ୍ୟାଣ୍ଟ ରେଳ ଷ୍ଟେସନ୍ ଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଉଦଘାଟନ କରିଛନ୍ତି । ଦେଶବ୍ୟାପୀ ୭୫ ଟି ପୁନଃ ବିକଶିତ ଅମୃତ ରେଳ ଷ୍ଟେସନ ର ଉଦଘାଟନ କରିଥିବା ବେଳେ ଏହି ଯୋଜନାରେ ଓଡ଼ିଶାର ୭ଟି ରେଳ ଷ୍ଟେସନ୍ ତାଳଚେର, ବଲାଙ୍ଗୀର, ବରପାଲି, କେସିଙ୍ଗା, ବିମଲଗଡ , ବାରିପଦା ଏବଂ ସେଥିରେ ପାରଳାଖେମୁଣ୍ଡି ରେଳ ଷ୍ଟେସନ୍ ମଧ୍ୟ ରହିଛି ।
କେନ୍ଦ୍ର ସରକାରଙ୍କ ଅମୃତ ଭାରତ ଷ୍ଟେସନ୍ ଯୋଜନାରେ ଓଡ଼ିଶାର ଏହି ୭ଟି ରେଳ ଷ୍ଟେସନ୍ ର ନବୀକରଣ ପାଇଁ ୧୦୯ କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇ ପ୍ରାୟ ଜାତୀୟ ସ୍ତରୀୟ ଢାଞ୍ଚାରେ ନିର୍ମିତ କରାଯାଇଛି ।
ରେଳ ଷ୍ଟେସନ୍ ଓ ତାର ପରିସରରେ ମୁଖ୍ୟତଃ ସ୍ଥାନୀୟ ଓ ଜିଲ୍ଲାଞ୍ଚଳର ରହିଥିବା ଐତିହ୍ୟ ସବୁକୁ ବଜାୟ ରଖିବା ସହ ଆସୁଥିବା ଯାତ୍ରୀ ମାନଙ୍କୁ ଆଧୁନିକ ସେବା ଯୋଗାଇ ଦେବା ଏହି ଯୋଜନାର ମୂଳଲକ୍ଷ୍ୟ ।
ସମ୍ପୃକ୍ତ ଏହି ରେଳ ଷ୍ଟେସନ୍ ରେ ଯାତ୍ରୀ ମାନଙ୍କ ବିଶେଷ ସୁବିଧା ପାଇଁ ଆକର୍ଷଣୀୟ ଭାବେ ଷ୍ଟେସନ୍ ଭବନ ନିର୍ମାଣ କରା ଯାଇଥିବା ସହ ଯିବା ଆସିବା କରୁଥିବା ଯାନବାହାନ ନିୟନ୍ତ୍ରଣ ପାଇଁ ଏହାର ପ୍ରବେଶ ପଥକୁ ଓସାରିଆ କରା ଯାଇଥିବା ସହ ଷ୍ଟେସନ୍ ବାହାରେ ପାର୍କିଂ ସ୍ଥାନର ଉତ୍ତମ ବ୍ୟସ୍ଥା କରାଯାଇଛି । । ଯାତ୍ରୀ ମାନେ ରେଳ ଧାରଣା ଉପର ଦେଇ ଯିବା ଆସିବା କରିବା ପାଇଁ ୧୨ ମିଟର ଓସାରିଆ ପାଦଚଲା ଓଭର ବ୍ରିଜ୍ ବ୍ୟବସ୍ଥା , ପ୍ଲାଟଫର୍ମ ରେ ଉନ୍ନତ ମାନର ଆଶ୍ରୟସ୍ଥଳ , ଆରାମ ଦାୟକ ଅପେକ୍ଷା ଗୃହ , ସ୍ୱଚ୍ଛ ଶୌଚାଳୟ ,ପାନୀୟ ଜଳ ଏବଂ ଡିଜିଟାଲ ଯାତ୍ରୀ ସୂଚନା ଫଳକ ଓ ଖାଦ୍ୟପେୟ ଦୋକାନ ବ୍ୟବସ୍ଥା ମଧ୍ୟ ହୋଇଛି । ସେହିଭଳି ଯାତ୍ରୀ ମାନଙ୍କ ବିଶେଷ ସୁରକ୍ଷା ପାଇଁ ସି ସି ଟିଭି କ୍ୟାମେରା ଓ ଅଗ୍ନିଶମ ବ୍ୟବସ୍ଥା ସହ ଟ୍ରେନ ଚଳାଚଳ ସୂଚନା ସହ ଷ୍ଟେସନ୍ ପ୍ଲାଟଫର୍ମ ରେ ଟ୍ରେନର କେଉଁ ବଗି କେଉଁଠି ରହିବ ତା ପାଇଁ ମଧ୍ୟ ଡିଜିଟାଲ ବ୍ୟବସ୍ଥା କରାଯାଇଛି । ଷ୍ଟେସନ୍ ପ୍ଲାଟଫର୍ମ ପ୍ରବେଶ ପାଇଁ ଦିବ୍ୟାଙ୍ଗ ଯାତ୍ରୀମାନଙ୍କ ପାଇଁ ସ୍ଲୋପିଂ ରାସ୍ତା ଓପାଦଚଲା ଓଭରବ୍ରିଜ୍ ଯିବାପାଇଁ ଲିଫ୍ଟ ବ୍ୟବସ୍ଥା ମଧ୍ୟ କରାହୋଇଛି
ରେଳ ଷ୍ଟେସନ୍ ପୁନଃ ବିକଶିତ ର ନବୀକରଣ କ୍ଷେତ୍ରରେ ମୁଖ୍ୟ ଆକର୍ଷଣୀୟ ହେଉଛି ସୁନ୍ଦର କଳାକୃତି ସାଙ୍ଗକୁ ଷ୍ଟେସନ୍ ସମ୍ମୁଖ ପରିସରକୁ ସୁନ୍ଦର ଗାର୍ଡେନୀଙ୍ଗ କରାଯାଇଛି । ଷ୍ଟେସନରୁ ନିର୍ମାଣ ଶୈଳୀ ପ୍ରାୟତଃ ପାରଳା ମହାରାଜାଙ୍କ ପ୍ୟାଲେସ ଢାଞ୍ଚାରେ ନିର୍ମିତ । ତା ସାଙ୍ଗକୁ ସ୍ଥାନୀୟ ଅଞ୍ଚଳର ହସ୍ତ କଳାକୃତି, ପାରମ୍ପରିକ ଶିଳ୍ପ ଏବଂ ଆଦିବାସୀ କଳାର ଚିତ୍ରକୁ ପ୍ରାଧାନ୍ୟ ଦିଆହୋଇଛି , ଯାହାକି ଏହା ଜିଲ୍ଲାର ଗୌରବମୟ ପରିଚୟକୁ ପ୍ରଦର୍ଶିତ କରି ଲୋକାଭିମୁଖୀ କରିବାରେ ବେଶ୍ ସହାୟକ ହେବ ।
ଏହି ଅବସରରେ ଉଦଘାଟନୀ କାର୍ଯ୍ୟକ୍ରମରେ ରାୟଗଡ଼ା ରେଳ ଡିଭିଜନର ମହା ପ୍ରବନ୍ଧକ (ଡିଆରଏମ) ଶ୍ରୀ ଅମିତାଭ ସଙ୍ଘଲଙ୍କ ଅଧ୍ୟକ୍ଷତାରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ , ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଏବଂ ଏସପି ଶ୍ରୀ ପ୍ରହଲ୍ଲାଦ ସହାୟୀ ମୀନା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ଷ୍ଟେସନ୍ ଉଦଘାଟନୀ ଫଳକ ଉନ୍ମୋଚନ କରିଥିଲେ । ପରେ କାର୍ଯ୍ୟକ୍ରମ ସଭାରେ ମଞ୍ଚାସିନ ରହି ପାରଳାଖେମୁଣ୍ଡି ଓ ରେଳ ଷ୍ଟେସନର ଐତିହ୍ୟ ସମ୍ପର୍କରେ ଆଲୋଚନା କରି ଏ କ୍ଷେତ୍ରରେ ବିଶେଷ ଭୂମିକା ଥିବା ପାରଳା ମହାରାଜା ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସ୍ମୃତିଚାରଣ କରିଥିଲେ ।
କାର୍ଯ୍ୟକ୍ରମ ଅବସରରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରବିଭିନ ନୃତ୍ୟ ପରିବେଷଣ କରା ଯାଇଥିଲା ।
ଶେଷରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ ।
—————————————–
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————-
