ମୃତ କର୍ମଚାରୀଙ୍କ ପରିବାରକୁ ଆର୍ଥିକ ସହଯୋଗର ହାତ ବଢ଼ାଇଲେ ପୁରାତନ ଛାତ୍ର
ପଡ଼ିଆ, ୧୩/୦୭ : ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ବାପନପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ନବୀନ ଚନ୍ଦ୍ର ମାଡକାମି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଗଠନପଲ୍ଲୀର ବିଜ୍ଞାନ ସହାୟକ ସୁଦର୍ଶନ ରାଓଙ୍କର ଗତ ଜୁଲାଇ ୭ ତାରିଖରେ ୫୮ ବର୍ଷ ବୟସରେ ଅକାଳ ବିୟୋଗ ଘଟିଥିଲା। ତାଙ୍କର ଆହୁରି ଦୁଇ ବର୍ଷର ଚାକିରି ଅବଶିଷ୍ଟ ଥିବାବେଳେ ତାଙ୍କ ଅକାଳ ମୃତ୍ୟୁ ପରିବାରକୁ ଗଭୀର ଶୋକ ସହ ଆର୍ଥିକ ସଙ୍କଟରେ ପକାଇଛି।ସୁଦର୍ଶନ ରାଓ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ମୃତ୍ୟୁ ପରେ ପରିବାର ସମ୍ମୁଖୀନ ହୋଇଥିବା କଠିନ ପରିସ୍ଥିତିକୁ ଅନୁଭବ କରି ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଓ ପୁରାତନ ଛାତ୍ରଛାତ୍ରୀମାନେ ସହଯୋଗର ହାତ ବଢ଼ାଇଛନ୍ତି। ସେମାନେ ସ୍ୱେଚ୍ଛାକୃତ ଭାବେ ଆର୍ଥିକ ସହାୟତା ସଂଗ୍ରହ କରି ଶୋକସନ୍ତପ୍ତ ପରିବାରକୁ ପ୍ରଦାନ କରିଥିଲେ। ଏହି ମହାନ ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ଅଭିଭାବକ ଓ ସାଧାରଣ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି। ବିପଦ ସମୟରେ ପୁରାତନ ଛାତ୍ରମାନଙ୍କ ଏଭଳି ମାନବିକ ପଦକ୍ଷେପ ସମାଜ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ବୋଲି ସମସ୍ତେ ମତ ପ୍ରକାଶ କରିଛନ୍ତି।
