ସାମ୍ନାକୁ ଆସିଲା ପୁଣି ଏକ ଅବହେଳିତ ଟ୍ରାନ୍ସଫର୍ମର, ଲତା-ବୁଦା ଘେରରେ ବିପଦରେ ସାଧାରଣ ଲୋକ
ସାମ୍ନାକୁ ଆସିଲା ପୁଣି ଏକ ଅବହେଳିତ ଟ୍ରାନ୍ସଫର୍ମର, ଲତା-ବୁଦା ଘେରରେ ବିପଦରେ ସାଧାରଣ ଲୋକ
ଅନୁଗୋଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଗ୍ରାମର ଯାତ୍ରା ପଡ଼ିଆ ନିକଟରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମରର ଅବ୍ୟବସ୍ଥା ପୁଣି ଥରେ ସାମ୍ନାକୁ ଆସିଛି। ଟ୍ରାନ୍ସଫର୍ମରଟି ଚାରିପାଖରେ ଘନ ଲତା-ବୁଦା ଘେରି ରହିଥିବା ବେଳେ, ନିକଟରେ ଏକ ସାଧାରଣ ବ୍ୟବହାରର କୂଅ ଥିବାରୁ ଅଞ୍ଚଳବାସୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କୂଅ ପାଖରେ ଲୋକମାନେ ବସିବା ପାଇଁ ଏକ କଂକ୍ରିଟ ଚୌକି ଅଛି ,ପ୍ରତିଦିନ ଲୋକ ମାନେ ଏହି କୂଅରୁ ପାଣି ଆଣିବା, ଲୁଗାପଟା ସଫା କରିବା ଓ ଗାଧୋଇବା ପାଇଁ ଆସୁଛନ୍ତି। କୂଅ ନିକଟରେ ଟ୍ରାନ୍ସଫର୍ମର ଥିବାରୁ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି। ବିଶେଷକରି ବର୍ଷା ଋତୁରେ ଲତା-ବୁଦା ଓ ଆର୍ଦ୍ର ପରିବେଶ ବିଦ୍ୟୁତ ଦୁର୍ଘଟଣାର ବିପଦକୁ ଆହୁରି ବଢ଼ାଇ ଦେଉଛି।
ଅଭିଯୋଗ ହେଉଛି, ଦୀର୍ଘ ଦିନ ଧରି ବିଦ୍ୟୁତ ବିଭାଗ ପକ୍ଷରୁ ଏହି ଟ୍ରାନ୍ସଫର୍ମରର କୌଣସି ରକ୍ଷଣାବେକ୍ଷଣ କିମ୍ବା ସଫେଇ କାର୍ଯ୍ୟ କରାଯାଇନାହିଁ। ଫଳରେ ଟ୍ରାନ୍ସଫର୍ମର ଚାରିପାଖରେ ଅନିୟନ୍ତ୍ରିତ ଭାବେ ଲତା-ବୁଦା ବଢ଼ି ଯାଇଛି ।
ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଯେ, ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରତିବର୍ଷ ରକ୍ଷଣାବେକ୍ଷଣ ବାବଦରେ ବହୁ ଅର୍ଥ ବ୍ୟୟ କରାଯାଉଥିବା କୁହାଯାଉଛି। ମାତ୍ର ବାସ୍ତବ କ୍ଷେତ୍ରରେ ଏହାର କୌଣସି ପ୍ରତିଫଳନ ଦେଖିବାକୁ ମିଳୁନାହିଁ। ଏପରି ଅବହେଳା ଯୋଗୁଁ ଯଦି କୌଣସି ଦୁର୍ଘଟଣା ଘଟେ, ତାହା ପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି। ଅଞ୍ଚଳବାସୀ ବିଦ୍ୟୁତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରି ଟ୍ରାନ୍ସଫର୍ମର ଚାରିପାଖରେ ଥିବା ଲତା-ବୁଦା ସଫା କରିବା, ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ନିୟମିତ ରକ୍ଷଣାବେକ୍ଷଣ କରିବାକୁ ଦାବି କରିଛନ୍ତି। ସମୟ ଥାଉଁଥାଉଁ ପଦକ୍ଷେପ ନିଆନଗଲେ ଭବିଷ୍ୟତରେ ଏକ ବଡ଼ ଅଘଟଣ ଘଟିବାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ।
