July 10, 2026

ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ସଂଘ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

IMG-20260709-WA0092
Share

 

 

ସମ୍ବଲପୁର: ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ଆଜି ସମ୍ବଲପୁର ସର୍କିଟ୍ ହାଉସଠାରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସାକ୍ଷାତ୍ କରି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ବିଭିନ୍ନ ସମସ୍ୟା, ସେବା ସୁରକ୍ଷା ଏବଂ କଲ୍ୟାଣ ସମ୍ବନ୍ଧୀୟ ଦାବିପତ୍ର ପ୍ରଦାନ କରାଯାଇଛି।

 

ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଥିଲା ଯେ, ରାଜ୍ୟରେ ଆଇସିଡିଏସ୍ (ICDS) ଯୋଜନାର ସଫଳ କାର୍ଯ୍ୟକାରିତା, ଶିଶୁ ପୁଷ୍ଟି, ମାତୃ ସ୍ୱାସ୍ଥ୍ୟ, ପ୍ରାକ୍-ପ୍ରାଥମିକ ଶିକ୍ଷା, ଟିକାକରଣ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ସେବା ସହ ବିଭିନ୍ନ ସରକାରୀ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଦୀର୍ଘଦିନ ଧରି ନିଷ୍ଠାର ସହ କାର୍ଯ୍ୟ କରିଆସୁଛନ୍ତି। କିନ୍ତୁ ସେମାନଙ୍କୁ ଏପର୍ଯ୍ୟନ୍ତ କର୍ମଚାରୀର ମାନ୍ୟତା, ଉପଯୁକ୍ତ ଭତ୍ତା ଓ ଦରମା, ସାମାଜିକ ସୁରକ୍ଷା, ପେନସନ୍, ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ବୀମା ଭଳି ମୌଳିକ ସୁବିଧା ମିଳିନାହିଁ।

 

ଏଥିସହ ସୁପରଭାଇଜର ପଦବୀକୁ ୧୦୦ ଶତକଡା ପଦୋନ୍ନତି ମାଧ୍ୟମରେ ପୂରଣ, ସହାୟିକାଙ୍କୁ ପଦୋନ୍ନତି ସୁଯୋଗ, ଅବସରକାଳୀନ ସମସ୍ତ ସୁବିଧା ସମୟରେ ପ୍ରଦାନ, ଦୀର୍ଘ ସେବା ପାଇଁ ପ୍ରୋତ୍ସାହନ ଭତ୍ତା ଏବଂ THR, SNP ଓ ଅଣ୍ଡା ଯୋଗାଣର ଦରକୁ ବର୍ତ୍ତମାନ ବଜାର ଦର ଅନୁଯାୟୀ ସଂଶୋଧନ କରିବାକୁ ମଧ୍ୟ ଦାବି କରାଯାଇଛି।

 

ସଂଘ ପକ୍ଷରୁ ଆହୁରି କୁହାଯାଇଛି ଯେ, ICDS ବାହାରର ଅନାବଶ୍ୟକ କାର୍ଯ୍ୟଭାର ବନ୍ଦ, ସରକାରୀ ବୈଠକ, ପ୍ରଶିକ୍ଷଣ, VHSND ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ TA/DA ପ୍ରଦାନ, 5G ମୋବାଇଲ୍ ଫୋନ୍ ଓ ଇଣ୍ଟରନେଟ୍ ସହାୟତା, GKS ରୁ ମୁକ୍ତି ଏବଂ ସରକାରୀ ଡ୍ୟୁଟି ପୂର୍ବରୁ ଲିଖିତ ସୂଚନା ପ୍ରଦାନ ଭଳି ଦାବି ମଧ୍ୟ ଦାବିପତ୍ରରେ ଉଲ୍ଲେଖ ରହିଛି।

 

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରତିନିଧି ଦଳର ଦାବିପତ୍ରକୁ ଗୁରୁତ୍ୱର ସହ ଗ୍ରହଣ କରି ଏହାର ସମସ୍ତ ଦିଗକୁ ବିଚାର କରାଯିବ ଏବଂ ନ୍ୟାୟସଙ୍ଗତ ଦାବିଗୁଡ଼ିକର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

 

ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘର ଆବାହକ ତଥା ଆଇନଜୀବୀ ପ୍ରଶାନ୍ତ ପାଢୀ, ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀ, ଜିଲ୍ଲା ସମ୍ପାଦକ ପ୍ରମିଳା ସିଂହ, ଅନିତା ନାୟକ, ଇନାଖି ପତି, ସଂଘମିତ୍ରା ପଟ୍ଟନାୟକ, ଇତି ରାଣୀ ସିଂ, ଜ୍ୟୋତି ମାନକି, ସବିତା ପାଢୀ, ଜୟନ୍ତୀ ନାୟକ, ସ୍ନେହଲତା ସେଠ, ଯଶୋନା ସାହୁ, ପଦ୍ମିନୀ ଧୁରୁଆଙ୍କ ସମେତ ସଂଘର ବହୁ ପଦାଧିକାରୀ ଓ ସଦସ୍ୟ ଉପସ୍ଥିତ ଥିଲେ।