ବିକାଶ ଦୌଡ଼ରେ ପଛରେ ରହିଛି ବୋଲଗଡ଼,ବ୍ଲକ ଅଞ୍ଚଳ ହୋଇ ମଧ୍ୟ ନାହିଁ ସେଲ୍ଫି ପଏଣ୍ଟ…
ବୋଲଗଡ଼(ସୁଶାନ୍ତ କୁମାର ପ୍ରଧାନ)ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଉପରେ ଅବସ୍ଥିତ ବୋଲଗଡ଼।ଖୋର୍ଦ୍ଧା ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ଲକ। ପ୍ରତି ଦିନ ହଜାର ହଜାର ଯାନବାହନ ଏହି ରାଜପଥ ଦେଇ ଯାତାୟାତ କରୁଥିବା ବେଳେ ବୋଲଗଡ଼ ବଜାର ମଧ୍ୟ ଜନ ଗହଳିରେ ସବୁ ବେଳେ ଚଳଚଞ୍ଚଳ ରହିଥାଏ।ବ୍ଲକ କାର୍ଯ୍ୟାଳୟ,ତହସିଲ,ସରକାରୀ ଡାକ୍ତରଖାନା,ବ୍ୟାଙ୍କ,ଶିକ୍ଷାନୁଷ୍ଠାନ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଥିବା ସତ୍ତ୍ୱେ ବୋଲଗଡ଼ର ପରିଚୟ ବହନ କରୁଥିବା ଏକ ସେଲ୍ଫି ପଏଣ୍ଟ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇ ପାରିନାହିଁ। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।ରାଜ୍ୟର ବିଭିନ୍ନ ସହର, ବ୍ଲକ ସଦର ଓ ପର୍ଯ୍ୟଟନ ସ୍ଥଳୀରେ ସ୍ଥାନର ନାମ ସହ ଆକର୍ଷଣୀୟ ସେଲ୍ଫି ପଏଣ୍ଟ ନିର୍ମାଣ କରାଯାଇଛି। ଏହା ଦ୍ୱାରା ସେହି ଅଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ପର୍ଯ୍ୟଟକ ଓ ଯାତ୍ରୀଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ର ପାଲଟିଛି। ସୋସିଆଲ ମିଡିଆ ଯୁଗରେ ଏଭଳି ସେଲ୍ଫି ପଏଣ୍ଟ କୌଣସି ଅଞ୍ଚଳର ପରିଚୟକୁ ରାଜ୍ୟ ତଥା ଦେଶ ବାହାରେ ପହଞ୍ଚାଇବାରେ ମଧ୍ୟ ବେଶ ସହାୟକ ହେଉଛି।କିନ୍ତୁ ବୋଲଗଡ଼ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବ୍ଲକ ସଦରରେ ଏପରି ବ୍ୟବସ୍ଥାର ଅଭାବ ସ୍ଥାନୀୟ ଲୋକଙ୍କୁ ନିରାଶ କରିଛି।ସ୍ଥାନୀୟ ଯୁବକ ଓ ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ, ବୋଲଗଡ଼ ନାମରେ ଏକ ସୁନ୍ଦର ଓ ଆଧୁନିକ ସେଲ୍ଫି ପଏଣ୍ଟ ନିର୍ମାଣ କରାଗଲେ ଏହା ଅଞ୍ଚଳର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ।ଜାତୀୟ ରାଜପଥ ଦେଇ ଯାତାୟାତ କରୁଥିବା ହଜାର ହଜାର ଲୋକ ଏଠାରେ ଅଟକି ଫଟୋ ଉଠାଇବା ସହ ବୋଲଗଡ଼ର ନାମକୁ ସୋସିଆଲ ମିଡିଆ ମାଧ୍ୟମରେ ଦୂରଦୂରାନ୍ତରେ ପହଞ୍ଚାଇ ପାରିବେ। ଏଥି ସହ ଅଞ୍ଚଳର ସୌନ୍ଦର୍ଯ୍ୟ କରଣ ଓ ପର୍ଯ୍ୟଟନ ସମ୍ଭାବନା ମଧ୍ୟ ବୃଦ୍ଧି ପାଇବ।ସ୍ଥାନୀୟ ବାସିନ୍ଦାଙ୍କ ମତରେ ସେଲ୍ଫି ପଏଣ୍ଟ ନିର୍ମାଣ ପାଇଁ ବହୁ ଅର୍ଥର ଆବଶ୍ୟକତା ନଥିଲେ ମଧ୍ୟ ଏହା ଅଞ୍ଚଳର ଗୌରବ ବଢ଼ାଇବାରେ ବଡ଼ ଭୂମିକା ନେଇପାରିବ।ତେଣୁ ଜିଲ୍ଲା ପ୍ରଶାସନ,ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧି ମାନେ ଏହି ଦିଗରେ ତୁରନ୍ତ ପଦକ୍ଷେପ ନେଇ ବୋଲଗଡ଼ରେ ଏକ ଆକର୍ଷଣୀୟ ସେଲ୍ଫି ପଏଣ୍ଟ ନିର୍ମାଣ କରିବାକୁ ସାଧାରଣରେ ଦାବି ଯୋର ଧରିଛି। ବିକାଶର ଚିତ୍ର କେବଳ କାଗଜ କଲମରେ ସୀମିତ ନ ରହି ବାସ୍ତବ ରୂପ ନେଉ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।
