ମାନବବାଦୀ ହେତୁବାଦୀ ସଙ୍ଗଠନର ” ସାମାଜିକ ବାସନ୍ଦ ଏକ ଅପରାଧ” ଆଲୋଚନା ଚକ୍ର ଅନୁଷ୍ଠିତ..

ବ୍ରହ୍ମପୁର ତା ୨୭.୦୬.୨୦୨୬ ରିଖରେ ମାନବବାଦୀ ହେତୁବାଦୀ ସଂଗଠନ ଗଂଜାମ ଜିଲ୍ଲା ପକ୍ଷରୁ ସ୍ଥାନୀୟ ସଂକଳ୍ପ ବିଦ୍ୟାଳୟ ପ୍ରାଙ୍ଗଣରେ *ସାମାଜିକ ବାସନ୍ଦ …ଏକ ଅପରାଧ* ବିଷୟରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ସଂଗଠନର ଉପସଭାପତି କିଶୋର ଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିଲେ। ପରିବେଶବିତ ପ୍ରଫୁଲ୍ଲ ସମନ୍ତରାୟ ଓ ପ୍ରଗତିଶୀଳ ଲେଖିକା ବିଧୁପ୍ରଭା ରଥ ମଞ୍ଚସୀନ ଥିଲେ।
ସମ୍ପାଦକ କେ ନନ୍ଦେଷୁ ସେନାପତି ସଂକ୍ଷେପରେ ସାମାଜିକ ବାସନ୍ଦ ଫଳରେ ବାସନ୍ଦ ହୋଇଥିବା ବ୍ୟକ୍ତି ଓ ପରିବାର କାହା ସହ କଥାବାର୍ତା ହୋଇପାରନ୍ତି ନାହିଁ , ପୋଖରୀରେ ଗାଧୋଇବା, କୂଅରୁ ପାଣି ନେବା ମନା, ଦୋକାନରୁ ସଉଦା ନେବା ମନା ସାମାଜିକ କିମ୍ବା ଧାର୍ମିକ କାର୍ଯ୍ୟରେ ଅଂଶ ଗ୍ରହଣ ବନ୍ଦ ଫଳରେ ପୀଡିତ ପରିବାର ଓ ବ୍ୟକ୍ତି ମାନସିକ ନିର୍ଯ୍ୟାତନା ଭୋଗ କରିଥାନ୍ତି । ଗାଁର ଘରଦ୍ୱାର, ସମ୍ପତ୍ତିବାଡି ଛାଡି ବାହାରେ କିଏ କୋଉଠି ଆଶ୍ରୟ ନିଆନ୍ତି । ଏହି ବ୍ୟବସ୍ଥା ସାଧାରଣତଃ ଗରୀବ ମଧ୍ୟବିତ୍ତଙ୍କ ଠାରେ ହିଁ ଦେଖାଯାଇଥାଏ ବୋଲି ସଂକ୍ଷିପ୍ତ ସୂଚନା ଦେଇଥିଲେ।
ବରିଷ୍ଠ ହେତୁବାଦୀ ତଥା ସ୍ଥମ୍ଭକାର ଭାଲଚନ୍ଦ୍ର ଷଡଙ୍ଗୀ ନିଜ ବକ୍ତବ୍ୟରେ ଗଂଜାମ ଜିଲ୍ଲାରେ ମୂଖ୍ୟତଃ ଗୁଣିଗାରେଡି ଓ ଆନ୍ତଃଜାତି ବିବାହ ପାଇଁ ବହୁ ନିରୀହ ଲୋକ ସାମାଜିକ ବାସନ୍ଦର ଶିକାର ହୋଇଥାନ୍ତି । ଏହା ଏକ ସାଧରଣ ଅପରାଧ ନୁହଁ ବରଂ ପିଡୀତ ବ୍ୟକ୍ତିଙ୍କ ମାନବିକ, ସାମ୍ଵିଧାନିକ ଓ ସାମାଜିକ ଅଧିକାରର ଉଲଂଘନ ବୋଲି କହିଥିଲେ । କୂଳ ସମାଜ ନାଁରେ କିଛି ଲୋକ ସାମାଜିକ ବାସନ୍ଦ ଜରିଆରେ ଜାତି ବ୍ୟବସ୍ଥାକୁ ବଞ୍ଚେଇ ରଖିବାକୁ ବେଆଇନ ଉଦ୍ୟମ କରିଥାନ୍ତି । ଯୁବକ ଯୁବତୀଙ୍କ ନିଜ ଇଛାରେ ଜୀବନସାଥୀ ବାଛିବାର ଅଧିକାର ଉପରେ ଏହା ଆକ୍ରମଣ । ଏହା ଜରିଆରେ କୂଳ ସମାଜ ଓ ଗାଁର କିଛି ଅସାମାଜିକ ଲୋକେ ବେଆଇନ ଭାବେ ସାଧାରଣ ଲୋକର ଆର୍ଥିକ ଶୋଷଣ କରୁଛନ୍ତି ବୋଲି କହିଥିଲେ । ସାମାଜିକ ବାସନ୍ଦ ଏକ କଳଙ୍କ ଏବଂ ଅମାନବିକ ଅଟେ । ଏଭଳି ବିଶେଷ ଅପରାଧର ନିରାକରଣ ପାଇଁ ସରକାର ସ୍ଵତନ୍ତ୍ର ଆଇନ କରିବା ଜରୁରୀ ବୋଲି କହିଥିଲେ । କେବଳ ମହାରାଷ୍ଟ୍ର ଓ କାର୍ଣ୍ଣାଟକରେ ଏହା ନିବାରଣ ପାଇଁ ଆଇନ ପ୍ରଣୟନ ହୋଇଥିବା ବେଳେ ଓଡ଼ିଶାରେ ସେଭଳି ଆଇନ ନଥିବାରୁ ଏଭଳି ଅପରାଧ ଅବ୍ୟାହତ ରହୁଛି । ଆଲୋଚନା ଚକ୍ରରେ ସାମାଜିକ ବାସନ୍ଦ ବିରୁଦ୍ଧରେ ସର୍ବଭାରତୀୟ ସ୍ଥରରେ ଆଇନ ପ୍ରଣୟନ ପାଇଁ ଦାବୀ କରାଯାଇଥିଲା ।
ନିଜର ଜଣେ ଭାଇ ଆନ୍ତଃଜାତି ବିବାହ କରିଥିବାରୁ ସାମାଜିକ ବାସନ୍ଦର ପୀଡିତ ଯୁବକ ଦାମୋଦର ସେଠି ନିଜର ତିକ୍ତ ଅଭିଜ୍ଞତା ରଖିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବୃନ୍ଦବନ ଖଟେଇ, ଶ୍ୟାମସୁନ୍ଦର ଖଡଙ୍ଗା, ଅବନୀ ଗୟା, ଶଙ୍କର ସାହୁ ନିଜ ନିଜର ବାକ୍ତବ୍ୟ ରଖିଥିଲେ। ଛାତ୍ରୀ ତାନ୍ୟା ସାହୁ ଇଖିତ ଏକ କବିତା ପାଠ କରିଥିଲେ ।
କେ ବାସବରାଜୁ, ଗଣପତି ବେହେରା, ସନ୍ତୋଷ କୁମାର ମିଶ୍ର, ଲଷ୍ମୀନୃସିଂହ ରଥ, ମଧୁ ସେଠି, ହାକିମ ଖାଁ, ଜଗନ୍ନାଥ ରାଓ ଆଦି ଆଲୋଚନା ଚକ୍ରରେ ଭାଗ ନେଇଥିଲେ।
ଡି.ମୋହନ ରାଓ ଧନ୍ୟବାଦ ଅର୍ପଣ କରିଥିଲେ।
