କଳାହାଣ୍ଡି ଜିଲ୍ଲାରେ ଧାନ ଉଠାଣ ନେଇ ଅଚଳାବସ୍ଥା ସୃଷ୍ଟି। ଜୁନାଗଡ଼ ଠାରେ ଜାତୀୟ ରାଜପଥ ଅବରୋଧ

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ମଣ୍ଡିରୁ ଧାନ ଉଠାଣ ହେଉନଥିବା ଯୋଗୁଁ, ଶୀଘ୍ର ଧାନ ଉଠାଣ ଦାବିରେ ଆଜି ସକାଳ ୯ ଟା ସମୟରୁ ଜୁନାଗଡ଼ ସହରସ୍ଥ ମା’ ଲଙ୍କେଶ୍ୱରୀ ମନ୍ଦିର ନିକଟରେ ସ୍ଥାନୀୟ ଚାଷୀ ଭାଇଙ୍କ ଦ୍ୱାରା ଜାତୀୟ ରାଜପଥ-୨୬ କୁ ସମ୍ପୂର୍ଣ ଅବରୋଧ କରାଯାଇ ଆନ୍ଦୋଳନ ଜାରି ରହିଛି। ଯାହା ଫଳରେ ରାଜପଥର ଦୁଇ ପଟେ ହଜାର ହଜାର ସଂଖ୍ୟାରେ ଯାନ ବାହାନ ଗୁଡିକ ଅଟକି ରହିଛି। ବର୍ତ୍ତମାନ ସମଗ୍ର କଳାହାଣ୍ଡି ଜିଲ୍ଲାରେ ମଣ୍ଡିରୁ ଧାନ ଉଠାଣ ନେଇ ଚାଷୀ ଭାଇ ମାନେ ଘୋର ଅସନ୍ତୋଷ ଓ ଚିନ୍ତାରେ ଅଛନ୍ତି। ଜିଲ୍ଲାର ସମସ୍ତ ୧୬୨ ଗୋଟି ମଣ୍ଡିରେ ଲକ୍ଷ ଲକ୍ଷ ଟନ ଧାନ ପଡିରହିଥିବାବେଳେ, କଳାହାଣ୍ଡି ମିଲର୍ସଙ୍କ ମନମାନି ଯୋଗୁଁ ଧାନ ଗୁଡିକ ମଣ୍ଡିରୁ ଶୀଘ୍ର ଉଠି ପାରୁନାହିଁ। ଗତ ମେ’ ମାସ ୨O ତାରିଖରୁ ମଣ୍ଡି ଗୁଡ଼ିକରୁ ଧାନ ଉଠାଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। କିନ୍ତୁ ପ୍ରଶାସନିକ ଦୁର୍ବଳତା ଯୋଗୁଁ କଳାହାଣ୍ଡିର ମିଲର୍ସ ମାନେ ବିଭିନ୍ନ ସମସ୍ୟାର ବାହାନା ଦେଖାଇ ଧାନ ଉଠାଣରେ ବିଳମ୍ବ କରିଚାଲିଥିବା ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାର ଅଧିକାଂଶ ମଣ୍ଡିରେ ଧାନ ଉଠାଣରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏନେଇ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଚାଷୀଭାଇ ମାନେ ରାସ୍ତାରୋକ କରି ଆନ୍ଦୋଳନ ମଧ୍ୟ କରିଆସୁଛନ୍ତି ଏବଂ ଏନେଇ ଜିଲ୍ଲା ପ୍ରଶାସନ, ବିଭାଗୀୟ କର୍ତୃପକ୍ଷ ତଥା ବିଭିନ୍ନ ରାଜନେତା ମାନେ ବିଭିନ୍ନ ସମୟରେ ମଣ୍ଡି ଗୁଡିକ ପରିଦର୍ଶନ କରି ମଧ୍ୟ କିଛି ପଦକ୍ଷେପ ନେଉନଥିବା ନେଇ ଚାଷୀଭାଇ ତଥା ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଅନ୍ୟପଟେ ଯେଉଁ କିଛି ମିଲର୍ସ ଅତି ମନ୍ଥର ଗତିରେ ବିଭିନ୍ନ ମଣ୍ଡିରୁ ଧାନ ଉଠାଣ କରୁଛନ୍ତି, ସେଠାରେ ମଧ୍ୟ ଦଲାଲଙ୍କ ଉତ୍ପାତ ଓ କଟନୀ ଛଟନି ଚାଷୀଭାଇଙ୍କ ଆହୁରି ମୁଣ୍ଡ ବିନ୍ଧାର କାରଣ ହୋଇଥିବା ସାଙ୍ଗକୁ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ କାଳ ବୈଶାଖୀ ଜନିତ ବର୍ଷା ଚାଷୀଙ୍କୁ ଆହୁରି ଚିନ୍ତାରେ ପକାଇଛି। ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୯ ଲକ୍ଷ ୬୧ ହଜାର ୫୫O କ୍ୱିଣ୍ଟାଲ ଧାନ ଉଠାଣର ଟାର୍ଗେଟ ଆସିଥିବାବେଳେ, ପଡୋଶୀ ବଲାଙ୍ଗୀର ଜିଲ୍ଲାର ୨୨ ଜଣ ମିଲର୍ସ କଳାହାଣ୍ଡିରୁ ଧାନ ଉଠାଣ ପାଇଁ ଆଗ୍ରହ ପ୍ରକାଶ କରି କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗକୁ ଚିଠି ଲେଖିଥିଲେ।ଶେଷରେ ଧାନ ଉଠାଣ ସମସ୍ୟାର ଶୀଘ୍ର ସମାଧାନ ସକାଶେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ବାଧ୍ୟ ହୋଇ ପଡୋଶୀ ବଲାଙ୍ଗୀର ଜିଲ୍ଲାର ମିଲର୍ସଙ୍କ ସହ କଳାହାଣ୍ଡିରୁ ଧାନ ଉଠାଇବା ନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯାଇଛି ଏବଂ ସେଥିମଧ୍ୟରୁ ବଲାଙ୍ଗୀର ଜିଲ୍ଲାର ୭ ଜଣ ମିଲର୍ସ କଳାହାଣ୍ଡି ଆସି ଏଗ୍ରିମେଣ୍ଟ କରିଥିବାବେଳେ, ଅବଶିଷ୍ଟ ୧୫ ଜଣ ମିଲର୍ସ ଆସନ୍ତା ଶୁକ୍ରବାର ଦିନ ଏଗ୍ରିମେଣ୍ଟ କରିବେ ଏବଂ ଏହାପରେ ମଣ୍ଡିରୁ ଧାନ ଉଠା ସମସ୍ୟାର ସମାଧାନ ହୋଇପାରିବ ବୋଲି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୂଚନା ପ୍ରଚାରିତ ହେବାପରେ ଜିଲ୍ଲାର ଚାଷୀଭାଇ କିଛି ପରିମାଣରେ ଆଶ୍ବସ୍ତି ଅନୁଭବ କରିଥିବାବେଳେ, ପରବର୍ତ୍ତୀ ପରିସ୍ଥିତି ଉପରେ ଚାଷୀଭାଇ ଓ ଜନସାଧାରଣଙ୍କ ନଜର ରହିଛି।
