June 15, 2026
IMG-20260615-WA0009
Share

ଲାଞ୍ଜିଗଡ଼, ୧୪/୬ ଉପାନ୍ତ ଖବର (ପୁରନ୍ଦର ଦଣ୍ଡସେନା): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ୍ ନିୟମଗିରି ପାହାଡ଼ର ପାଦଦେଶରେ ଥିବା କୁନ୍ନାକାଡୁ ଗାଁର ୪ ଜଣ ନାବାଳକ ବଜ୍ରପାତରେ ଗୁରୁତର ହୋଇଛନ୍ତି। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି | ଏହି ୪ ନାବାଳକ ଆଜି ମଧ୍ୟାହ୍ନ ସାଢ଼େ ୧୨ଟା ସମୟରେ କୁନ୍ନାକାଡୁ ଗାଁରୁ ୫ ଶହ ମିଟର ଦୂରରେ ଥିବା ଏକ ଆମ୍ବତୋଟାକୁ ଯାଇଥିଲେ । ସେଠାରେ ଆମ୍ବ ଗୋଟାଉଥିବା ବେଳେ ପବନ ସାଙ୍ଗକୁ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଆମ୍ବଗଛର ଡାଳଗୁଡ଼ିକ ଭାଙ୍ଗି ତଳେ ପଡ଼ିବା ସହ ଗଛ ତଳେ ଥିବା କୁନ୍ନାକାଡୁ ଗାଁର ରାଙ୍ଗେ ମାଝୀଙ୍କ ପୁଅ ମାନୁ ମାଝୀ (୧୧), ଲିକ୍ସା ମାଝୀଙ୍କ ପୁଅ ଡ୍ରିଞ୍ଜୁ ମାଝୀ (୧୦), ଆଦି ମାଝିଙ୍କ ପୁଅ ସେତ୍ରୁ ମାଝୀ (୯) ଓ ଟଙ୍ଗରୁ ମାଝୀଙ୍କ ପୁଅ ମାଣ୍ଡି ମାଝୀ (୮) ଅଚେତ ଅବସ୍ଥାରେ ପଡ଼ି ରହିଥିଲେ| ସେହି ସମୟରେ ଗାଁର ଥବିର ଗଉଡ଼ ନାମକ ଜଣେ ଯୁବକ କିଛି ଦୂରରେ ରହିଥିଲେ ବଜ୍ରପାତ ପରେ ସେ ସଙ୍ଗେ ସଙ୍ଗେ ଗଛ ତଳକୁ ଦୌଡ଼ି ଆସି ଜଣେ ପରେ ଜଣେ ଛାତ୍ରଙ୍କୁ ଉଠାଇଥିଲେ | ପ୍ରଥମେ ମାନୁ ମାଝୀଙ୍କ ଚେତା ଫେରିବା ପରେ ଧୀରେ ଧୀରେ ସମସ୍ତଙ୍କର ଚେତା ଆସିଥିଲା| ଥବିର ଗାଁକୁ ଯାଇ ପିଲାର ବାପା-ମା’ ଓ ଗ୍ରାମବାସୀଙ୍କୁ ଖବର ଦେବା ପରେ ସମସ୍ତେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ । ଗାଁର ଆଦିବାସୀ ଯୁବକମାନେ ଘଟଣା ସଂପର୍କରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମିୟ ରଞ୍ଜନ ପ୍ରଧାନ ଓ ଲାଞ୍ଜିଗଡ଼ ବିଡିଓ ଶଶାବ୍ଦ ପାତ୍ରଙ୍କୁ ଫୋନ୍‌ରେ ସୂଚନା ଦେବା ପରେ ଗୁରୁତର ଆହତଙ୍କୁ ଆମ୍ବଲାନ୍ସ ଯୋଗେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ବର୍ତ୍ତମାନ ୪ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବା ଲାଞ୍ଜିଗଡ଼ ସ୍ବାସ୍ଥ୍ୟ ଅଧିକାରୀ ଡା.ଭବାନୀ ଶଙ୍କର ଲେଙ୍କା ପ୍ରକାଶ କରିଛନ୍ତି।

 

*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିୟୁଜ୍ ଉପାନ୍ତ ଖବର*