ନିଆରା ପରମ୍ପରା ରଜ ସଂକ୍ରାନ୍ତିରେ ମା’କୋଶଳାଶୁଣୀଙ୍କ ପୀଠରେ ମାଛ ତରକାରୀ ଭୋଗ

ବୋଲଗଡ଼,୧୨/୬(ସୁଶାନ୍ତ କୁମାର ପ୍ରଧାନ):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଆରିକମା ଗ୍ରାମରେ ମା’ କୋଶଳାଶୁଣୀଙ୍କ ପୀଠ। ପ୍ରାକୃତିକ ପରିବେଶ ଓ ଜଙ୍ଗଲ ମଧ୍ୟରେ ଥିବା ପ୍ରସିଦ୍ଧ ଓ ରହସ୍ୟମୟ ମନ୍ଦିର ଅଟେ। ଏହାର ଆଧ୍ୟାତ୍ମିକ ଏବଂ ପାରମ୍ପାରିକ ମାନ୍ୟତା ପାଇଁ ବେଶ୍ ଜଣାଶୁଣା। ଏହି ପୀଠ ସ୍ଥାନୀୟ ଅଞ୍ଚଳରେ ଅତ୍ୟନ୍ତ ମହିମାମୟ ଏବଂ ଶ୍ରଦ୍ଧାର କେନ୍ଦ୍ର ବିନ୍ଦୁ ଅଟେ। କିମ୍ବଦନ୍ତୀ ଅନୁସାରେ ମା’ କୋଶଳାଶୁଣୀ ବହୁ ପୂର୍ବେ କୋଶଳ ରାଜ୍ୟରୁ ଆସି ଏହି ସ୍ଥାନରେ ଅବସ୍ଥାନ କରିଥିଲେ। ଏହା ଏକ ଶାନ୍ତ ଓ ସୁନ୍ଦର ପରିବେଶ ଥିବାରୁ ବହୁ ଭକ୍ତ ମାନେ ମା ଙ୍କ ଦର୍ଶନ ସହିତ ପ୍ରାକୃତିକ ପରିବେଶ ମଧ୍ୟ ଉପଭୋଗ କରିଥାନ୍ତି। ମା’ କୋଶଳାଶୁଣୀଙ୍କୁ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ଭାବରେ ଅତ୍ୟନ୍ତ ନୀତିନିୟମ ସହିତ ବହୁ ନିଷ୍ଠାରେ ପୂଜା କରାଯାଏ। ବର୍ଷର ବିଭିନ୍ନ ସମୟରେ ପୀଠରେ ବିଭିନ୍ନ ପାର୍ବଣରେ ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହୋଇଥାଏ। ବିଶେଷ କରି ରଜ ସଂକ୍ରାନ୍ତି ଅବସରରେ ମା’ ଙ୍କ ନିକଟରେ ମାଛ ତରକାରୀ ଭୋଗ ଲଗାଯିବାର ଏକ ସ୍ବତନ୍ତ୍ର ପରମ୍ପରା ରହିଛି। ଯାହାକି ଉତ୍କଳ ଭୂଭାଗ ବହୁ ସଂସ୍କୃତି ଏବଂ ପରମ୍ପରାକୁ ନେଇ ସମୃଦ୍ଧ । ଏହି ରାଜ୍ୟରେ ବାରମାସରେ ତେରପର୍ବ ପାଳନ କରାଯାଉଥିବା ବେଳେ ଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ଏହା ଗର୍ବ ଅନୁଭବ କରେ । ହିନ୍ଦୁଧର୍ମରେ ଆମୀଂଷ ଭକ୍ଷଣକୁ ବାରଣ କରାଯାଇଥିବାବେଳେ ଅନେକ ଯାଗାରେ ଦୈବ୍ୟ କୃପାଲାଭ ପାଇଁ ବଳି ପ୍ରଥା ମଧ୍ୟ ରହିଅଛି । ଅନେକ ଏହି ବଳିପ୍ରଥାକୁ ତାନ୍ତ୍ରୀକ ଉପାସକଙ୍କ ମାନସ ପୂଜା ବୋଲି ଧରିନେଇଥାନ୍ତି। ବିଶେଷ କରି ରଜ ପର୍ବରେ ଏହି ପୀଠରେ ମା’ଙ୍କର ରଜ ସଂକ୍ରାନ୍ତିରେ ଆମିଷ ଭୋଗ ଅନୁଷ୍ଠିତ ହୁଏ । କେଉଁ ଆବାହମାନ କାଳରୁ ଏଇ ଦିନଟିକୁ ସ୍ଥାନୀୟ ଶ୍ରଦ୍ଧାଳୁ ଭକ୍ତମାନେ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି । ଅର୍ଦ୍ଧରାତ୍ରିରେ କାଳେସୀ ମାନଙ୍କ ଦ୍ୱାରା କ୍ଷୀର, ହଳଦୀ, ଚନ୍ଦନ, ଚୁଆ, ଅଗୁରରେ ମାଜଣା ହୋଇ ସ୍ନାନ ସମାପ୍ତି ପରେ ମା’ଙ୍କୁ ନୂତନ ପାଟବସ୍ତ୍ର ପରିଧାନ କରିଥାନ୍ତି । ଘଣ୍ଟ ଘଣ୍ଟା, ଢୋଲ ମାଦଳର ତାଳେ ତାଳେ, ହରିବୋଲ ହୁଳହୁଳି ଧ୍ୱନୀରେ କାଳେସୀଙ୍କ ଦେହରେ ମା’ କୋଶଳାଶୁଣି ପ୍ରକଟ ହୁଅନ୍ତି । ପରେ ଏକ ବୃହତ ତେନ୍ତୁଳି ଗଛରେ ମାଡିଥିବା ଆନ୍ତୁଣ୍ଡି ଲଇରେ ନିର୍ମିତ ଦୋଳୀ ଆରୋହଣ କରନ୍ତି । କିଟିକିଟିଆ ଅନ୍ଧାର ରାତିରେ ପ୍ରାୟ ଷାଠିଏ ଫୁଟ ଉଚ୍ଚର ଏହି ଦୋଳୀ ଖେଳ ଦେଖିବାର ଦୃଶ୍ୟ ଅତ୍ୟନ୍ତ ମନୋରମ । ପ୍ରାୟ ଦଶମିନିଟ୍ ଖେଳିଲା ପରେ ତଳକୁ ଓହ୍ଲେଇ ମାନସିକ ଧାରୀ ଗୁହାରୀଆଙ୍କ ଦୁଃଖ ବୁଝନ୍ତି । ପରେ ଭକ୍ତ ମାନଙ୍କ ଗ୍ରହଣରେ ଗ୍ରାମ ପରିକ୍ରମା କରିଥାନ୍ତି । ବାଟରେ ନିର୍ଦିଷ୍ଟସ୍ଥାନ ମାନଙ୍କରେ ପୁଞ୍ଜି ଭୋଗ ଖାଇବା ସହିତ ଭକ୍ତମାନଙ୍କ ଦ୍ୱାରା ରାସ ଓ ବଗଳାମୁଖୀ ସ୍ତ୍ରୋତ ପାଠ ହୋଇଥାଏ । ମା’ ବାଟ ସାରା ପ୍ରସାଦ ବାଣ୍ଟି ବାଣ୍ଟି ଗାଁ ଜଙ୍ଗଲ ମଧ୍ୟରେ ଥିବା ସ୍ୱମନ୍ଦିରକୁ ଫେରନ୍ତି। ଏଠାରେ ମା’ଙ୍କ ଅନୁମତିରେ ରଜ ସଂକ୍ରାନ୍ତିରେ ମାଛ ଭୋଗ କରାଯାଇଥାଏ । ଗ୍ରାମରେ ନେଳିଆ ପୋଖରୀ ରୁ ମାଛ ଧରିବା ପରେ ମାଛତରକାରୀ ହୋଇ ମାଙ୍କ ନିକଟରେ ଭୋଗ ଲାଗି ହୋଇଥାଏ। ଗ୍ରାମ ର ସମସ୍ତ ପରିବାରକୁ ଭୋଗ ବଣ୍ଟା ଯାଇଥାଏ। ସଦସ୍ୟ ମାଛ ଭୋଗ କରି ଆନନ୍ଦ ଉଲ୍ଲାସର ସହିତ ପ୍ରସାଦ ଭାବରେ ଏହାକୁ ସେବନ କରନ୍ତି । ଏହି ବିରଳ ପରମ୍ପରାକୁ ଦେଖିବାପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେବା ସହିତ ବିଦେଶୀ ପର୍ଯ୍ୟଟକମାନେ ଏଠାରେ ରହି ହିନ୍ଦୁ ଧର୍ମର ବିଭିଦତାକୁ ଅନୁଭବ କରିଥାନ୍ତି । ରଜ ପର୍ବ ରେ ମଧ୍ୟ ଏଠି ବିଭିନ୍ନ୍ ପ୍ରକାର ସାଂସ୍କୃତିକ କାର୍ଯ୍ୟ କ୍ରମ ହୋଇଥାଏ। ଏଥି ସହିତ ପୋଲିସ ପ୍ରସାଶନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି ପାଳନ ହୁଏ।
