September 22, 2026

ମିଲ୍ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ, ଅଭିଯୁକ୍ତ ଫେରାର 

IMG-20260608-WA0046
Share

 

ବୁଗୁଡା : ତା ୦୮/୦୬/୨୬ : ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଜନୈକ ରାଇସ୍ ମିଲ୍ ମାଲିକ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଥିବା ଜଣାଯାଇଛି । ଆକ୍ରମଣରେ ଆହତ ମିଲ୍ ମାଲିକ ଜଣକ ହେଲେ ସତ୍ରୁସୋଲ ଗ୍ରାମର ମହେନ୍ଦ୍ର କୁମାର ଦୋରା ଏବଂ ଆକ୍ରମଣକାରୀ ବାପ ଓ ପୁଅ ଦୁହେଁ ହେଲେ ସୁରେନ୍ଦ୍ର ଖଟେଇ ଓ ହରିଓଁ ଖଟେଇ।

ଏ ନେଇ ପୋଲିସ ଥାନାରେ କେସ୍ ନଂ ୨୮୭/୨୬ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି। ପ୍ରକାଶ ଯେ, ରବିବାର ଅପରାହ୍ନରେ ମହେନ୍ଦ୍ର ଖାଲି ଟ୍ରକ ଧରି ନିଜ ରାଇସ୍ ମିଲରୁ ଚାଉଳ ଆଣିବା ପାଇଁ ସତ୍ରୁସୋଲ ଗାଁକୁ ଯାଉଥିଲେ। ଗୋଲିଆ ଗାଁ ପଟରୁ ସତ୍ରୁସୋଲ ଗ୍ରାମାଭିମୁଖେ ଯାଇଥିବା ରାସ୍ତାକୁ ମଡାଇ ସୁରେନ୍ଦ୍ରଙ୍କ ସିମେଣ୍ଟ ମିକ୍ଚର ମେସିନଟି ରହିଥିଲା । ତାହାକୁ ରାସ୍ତା ଉପରୁ ହଟାଇବାକୁ ନେଇ ମହେନ୍ଦ୍ର ଓ ସୁରେନ୍ଦ୍ରଙ୍କ ମଧ୍ୟରେ ପାଟିତୁଣ୍ଡ ସହ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଗ୍ରାମର କେତେକ ଭଦ୍ରଲୋକ ହସ୍ତକ୍ଷେପ କରିବା ଫଳରେ ରାସ୍ତା ଉପରୁ ମିକ୍ଚର ମେସିନ ହଟିଥିଲା ଏବଂ ଟ୍ରକ ସତ୍ରୁସୋଲ ଗାଁକୁ ଯାଇଥିଲା। ସେଠାରୁ କୌଣସି କାମରେ ମହେନ୍ଦ୍ର ଗୋଲିଆ ଗାଁକୁ ଆସୁଥିବା ବେଳେ ବାପ ସୁରେନ୍ଦ୍ର ଓ ପୁଅ ହରିଓଁ ଉଭୟେ ତାଙ୍କୁ ଅଟକାଇ ଆକ୍ରମଣ କରିଥିଲେ ଏବଂ ମାରି ଦେବାକୁ ଧମକ ଦେଇ କାତି ଧରି ଗୋଡାଇ ଥିଲେ। ଆକ୍ରମଣରେ ମହେନ୍ଦ୍ରଙ୍କ ମୁଣ୍ଡରେ ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା ଏବଂ ସେ ଚିକିତ୍ସା ପାଇଁ ବୁଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ଫେରାର ଅଭିଯୁକ୍ତ ବାପପୁଅ ଦୁହିଁଙ୍କୁ ପୋଲିସ ଖୋଜୁଥିବା ଜଣାଯାଇଛି।

You may have missed