ବୁଗୁଡ଼ା ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ,ଗୁଳୁଗୁଳିରୁ ଲୋକେ ଛଟପଟ, ପାନୀୟ ଜଳ ଯୋଗାଣ ଠପ୍ , ବିଦ୍ୟୁତ ଉପଭୋକ୍ତାଙ୍କୁ କ୍ଷତିପୂରଣ ଦାବୀ

ବୁଗୁଡ଼ା : ତା ୦୭/୦୬/୨୬ : ରାଜ୍ୟ ସରକାର ଚବିଶି ଘଣ୍ଟା ବିଦ୍ୟୁତ୍ ଯୋଗାଣର ଡିଣ୍ଡିମ ପିଟୁଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ଘଟଣା ବୁଗୁଡା ଅଞ୍ଚଳବାସୀଙ୍କ ପାଇଁ ପରିହାସ ସଦୃଶ ହୋଇଛି | ମେଘ କିମ୍ବା ସାମାନ୍ୟ ପବନ ହେଲେ ବିଦ୍ୟୁତ୍ ଯୋଗାଣ ଠପ୍ ହୋଇ ଯାଉଥିବା ସାଧାରଣ ଘଟଣା ପାଲଟିଥିବା ବେଳେ ବିନା ମେଘ ପବନରେ ମଧ୍ୟ ଘଣ୍ଟା ଘଣ୍ଟା ଧରି ବାରମ୍ବାର ବିଦ୍ୟୁତ କାଟ ହେଉଥୁବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଅସହ୍ୟ ଗରମ ସାଙ୍ଗକୁ ଗୁଳୁ ଗୁଳିରେ ଲୋକେ ଛଟପଟ ହେଉଥିବାବା ବେଳେ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ଫଳରେ ଜଳ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହେଉଛି l ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ଯୋଗୁଁ ଇନଭେଟର୍ ମଧ୍ଯ କାମ କରୁନଥିବାରୁ କେବଳ ସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର କାର୍ଯ୍ୟରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଛି l ଗତକାଲି ବୁଗୁଡ଼ା ସହରରେ ସାମାନ୍ୟ ବର୍ଷା ହେବାରୁ ଅପରାହ୍ନ ୪ଟାରୁ ବିଦ୍ୟୁତ କଟିଗଲା ଯେ ପାହାନ୍ତିଆ ୪ଟା ସମୟରେ ବିଦ୍ୟୁତ ଆସିଲା । ଆଜି ବର୍ଷା ନାହିଁ କି ପବନ ନାହିଁ ତଥାପି ସକାଳ ୮ଟାରୁ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଲାଗି ରହିଥିଲା ଏବଂ ଅପରାହ୍ନ ୨ଟାରୁ ବିଦ୍ୟୁତ କଟିଲା ଯେ ଆଉ ଆସିବାର ନାଁ ଧରୁନି l ବୁଗୁଡ଼ା ସହର ବ୍ୟତୀତ ଗ୍ରାମାଞ୍ଚଳରେ ମଧ୍ୟ ବିଦ୍ୟୁତ କାଟ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରଚୁଲି ଓ ଗୋଲିଆ ପଞ୍ଚାୟତରେ ଶନିବାର ସକାଳ ୯ରୁ ବିଦ୍ୟୁତ କଟିଛି ଯେ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ବିଦ୍ୟୁତ ଆସି ନଥିଲା l କରଚୁଲି ଗ୍ରାମରେ କୂଅ ପୋଖରୀ ଶୁଖିଲା ପଡ଼ିଥିବା ବେଳେ ଲୋକେ ପାଇପ ପାଣି ଉପରେ ନିର୍ଭର କରି ଚଳୁଥିଲେ। ତେବେ ୩୬ ଘଣ୍ଟା ହେଲା ବିଦ୍ୟୁତ ଯୋଗାଣ ବନ୍ଦ ରହିଥିବାରୁ ଲୋକେ ପାଣି ପାଇଁ ଡହଳବିକଳ ହୋଇ ଗଲେଣି l କେଉଁ କାରଣରୁ ଏଭଳି ଅଘୋଷିତ ବିଦ୍ୟୁତ କାଟ ହେଉଛି ସେନେଇ ଗୁହାରି ଜଣାଇବାକୁ ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁ ନଥିବା ବେଳେ ସେମାନଙ୍କ ଫୋନ ମଧ୍ୟ ସ୍ବିଚ୍ ଅଫ୍ କରିଦେଉଛନ୍ତି l କୌଣସି ଅଞ୍ଚଳରେ ୬ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ କାଟ ହେଲେ ହିତାଧିକାରୀଙ୍କୁ କ୍ଷତିପୂରଣ ଦେବାକୁ ନିୟମ ଥିବା ବେଳେ ବୁଗୁଡ଼ା ଅଞ୍ଚଳରେ ଅଧିକାଂଶ ଦିନ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ପାଇଁ ଉପଭୋକ୍ତାମାନଙ୍କୁ କିଏ କ୍ଷତି ପୂରଣ ଦେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଜନ ଆନ୍ଦୋଳନ କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା ବେଳେ ଅସନ୍ତୁଷ୍ଟ ଜନତା ବିଦ୍ୟୁତ୍ ବିଭାଗର ମନମାନି ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଥିବା ଜଣାଯାଇଛି।
