ବିଜେଡି ତରଫରୁ ନାରୀ ସୁରକ୍ଷା ଓ ଅଧିକାର ନେଇ ପ୍ରତିବାଦ ସଭା ଓ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼ ଠାରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ତରଫରୁ ନାରୀ ସୁରକ୍ଷା ଓ ଅଧିକାରକୁ ନେଇ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି। ସର୍ବପ୍ରଥମେ, ବିଜେଡିର ଶହ ଶହ ମହିଳା ଓ ପୁରୁଷ କର୍ମୀ ଧର୍ମଗଡ଼ ଡାକ ବଙ୍ଗଳା ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନାରୀ ସୁରକ୍ଷା ଓ ଅଧିକାରକୁ ନେଇ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଧର୍ମଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ଏହାପରେ ଜିଲ୍ଲା ବିଜେଡି ସଭାନେତ୍ରୀ ସବିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ନର୍ଲା ବିଧାୟିକା ମନୋରମା ମହାନ୍ତି, ଗୋବର୍ଦ୍ଧନ ଦାସ, ବଦ୍ରି ପଟ୍ଟନାୟକ ଓ ଦୁଷ୍ମନ୍ତ ନାଏକ ପ୍ରମୁଖ ପୂର୍ବତନ ବିଧାୟକ ମାନେ ଉକ୍ତ ପ୍ରତିବାଦ ସଭାରେ ଉପସ୍ଥିତ ଥିଲେ। ଏହି ସଭାରେ ସମସ୍ତ ନେତା ଓ ନେତ୍ରୀ ମାନେ ନିଜ ନିଜର ବକ୍ତବ୍ୟରେ କହିଥିଲେ ଯେ’ ବର୍ତ୍ତମାନ ସରକାରଙ୍କ ଅମଳରେ ରାଜ୍ୟରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡୁଥିବାବେଳେ, ନାରୀ ନିର୍ଯ୍ୟାତନା ହାର ଭୟଙ୍କର ରୂପ ନେଇଛି। ସମଗ୍ର ରାଜ୍ୟରେ ନାରୀମାନେ ବର୍ତ୍ତମାନ କୌଣସି ପ୍ରକାରେ ସୁରକ୍ଷିତ ନଥିବାବେଳେ, ଚଳିତ ସରକାର ଆଇନ ଶୃଙ୍ଖଳା ରକ୍ଷା କରିବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି। ଏହାଛଡା ନାରୀ ସଶକ୍ତିକରଣ ଉପରେ ମଧ୍ୟ ଚର୍ଚ୍ଚା କରାଯାଇ, ବିଗତ ରାଜ୍ୟ ସରକାର ସମ୍ପୂର୍ଣ ସମର୍ଥନ ଜଣାଇଥିବା ମହିଳା ସଂରକ୍ଷଣ ବିଲ-୨O୨୩ କୁ ଯଥା ଶୀଘ୍ର କାର୍ଯ୍ୟକାରୀ କରି ଲୋକସଭାରେ ମହିଳାଙ୍କୁ ସଂରକ୍ଷଣ ଦେବାପାଇଁ ଦାବି କରାଯାଇଥିଲା। ସଭା ଶେଷରେ ବିଜେଡି ତରଫରୁ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ନାରୀ ସୁରକ୍ଷା ଓ ଅଧିକାର ନେଇ ଦାବି ପତ୍ର ପ୍ରଦାନ କରାଯାଇଛି।
