ବିଶ୍ୱ ଶାନ୍ତି ପାଇଁ ମହେନ୍ଦ୍ରଗିରିରେ କୁମ୍ଭମେଳାର ଆୟୋଜନ ମୁଖ୍ୟ ଉଦେଶ୍ୟ ଅଟେ…… ମହେନ୍ଦ୍ରାଶ୍ରମର ମୁଖ୍ୟ ଲକ୍ଷ୍ମୀ ବାବା
ପାରଳାଖେମୁଣ୍ଡି:୨୭/୫)(ଗରୁଡ଼ ଧ୍ଵଜ ଚୌଧୁରୀ)ବିଶ୍ୱ କଲ୍ୟାଣ ସହ ସର୍ବ ସାଧାରଣଙ୍କ କଲ୍ୟାଣ ନିମନ୍ତେ ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ଠାରେ କୁମ୍ଭ ମେଳାର ଆୟୋଜନ ମୁଖ୍ୟ ଉଦେଶ୍ୟ ଅଟେ ବୋଲି ମହେନ୍ଦ୍ରାଶ୍ରମର ମୁଖ୍ୟ ଲକ୍ଷ୍ମୀ ବାବା ପ୍ରକାଶ କରିଛନ୍ତି. ଆଜି ପାରଳାଖେମୁଣ୍ଡି ଦେଉ ମଠ ପରିସରରେ ଆୟୋଜିତ ଏକ ପ୍ରେସମିଟରେ ମହେନ୍ଦ୍ରଗିରି ଠାରେ ଥିବା ମହେନ୍ଦ୍ରାଶ୍ରମର ମୁଖ୍ୟ ଲକ୍ଷ୍ମୀ ବାବା କହିଛନ୍ତି ବହୁ ପୁରାତନ କାଳରୁ ବିଶ୍ୱ ଶାନ୍ତି ଓ ଜନ କଲ୍ୟାଣ ପାଇଁ ପ୍ରତେକ ମଳ ମାସ ଅର୍ଥାତ ଯୋଡ଼ା ଜୈଷ୍ଠ ବା ପୁରୁଷୋତ୍ତମ ମାସରେ ଏହି କୁମ୍ଭ ମେଳା ଆୟୋଜନ ହୋଇ ଆସୁଛି. ପ୍ରାଚୀନ କାଳରୁ ବହୁ ମୁନି ରୁଷି ଗଣ ମଳ ମାସରେ ଏହି କୁମ୍ଭ ମେଳାକୁ ଅତ୍ୟନ୍ତ ପବିତ୍ରତାର ସହ ପାଳନ କରି ଜନ କଲ୍ୟାଣ ପାଇଁ ହୋମ ଯଜ୍ଞ ଆଦି କରି ଆସୁଥିଲେ. ଚଳିତ ଥର ଏହି କୁମ୍ଭ ମେଳାକୁ ପ୍ରଥମ କରି ଲୋକଲୋଚନକୁ ଆଣିବା ପାଇଁ ବଡ଼ ଆକାରରେ ଆୟୋଜନ ଚାଲିଛି. ଏଭଳି ଆୟୋଜନ ପାଇଁ ମହେନ୍ଦ୍ର ଆଶ୍ରମର ସମ୍ବଳ ଓ ସାହସର ଅଭାବ ରହିଛି. ମହେନ୍ଦ୍ରଗିରି ଶୈବପୀଠର ପରମ ଭକ୍ତ ବର୍ତ୍ତମାନର ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସମ୍ପୂର୍ଣ ସହଯୋଗରେ ମହେନ୍ଦ୍ରଗିରି ଠାରେ କୁମ୍ଭମେଳା ଆୟୋଜନ ହେବାକୁ ଯାଉଛି. ଜୁନ 1 ତାରିଖ ଠାରୁ 9 ତାରିଖ ପର୍ଯ୍ୟନ୍ତ 9 ଦିନ ଧରି ଏହି କୁମ୍ଭ ମେଳା ଅତ୍ୟନ୍ତ ଭକ୍ତିପୂତ ଭାବେ ପାଳନ ହେବ. ସମଗ୍ର ଦେଶର ବିଭିନ୍ନ ପ୍ରାନ୍ତରରୁ ବହୁ ସାଧୁସନ୍ଥ ମୁନି ରୁଷି ଗଣ ଏହି କୁମ୍ଭ ମେଳରେ ଯୋଗ ଦେବେ. ବର୍ତ୍ତମାନ ସୁଦ୍ଧା କେତେଜଣ ସାଧୁସନ୍ଥ ମେଳା ପାଇଁ ମହେନ୍ଦ୍ରଗିରି ପହଞ୍ଚି ସାରିଛନ୍ତି. ଏହି ପୁରୁଷୋତ୍ତମ ମେଳାରେ ହୋମ ଯଜ୍ଞ ସହ ହରିହରାତ୍ମକ ଯଜ୍ଞକୁ ଅତ୍ୟନ୍ତ ପବିତ୍ରତାର ସହ ସାଧୁସନ୍ଥ ଓ ମୁନିଋଷିମାନଙ୍କ ଦ୍ୱାରା ଆୟୋଜିତ ହେବ. ତେଣୁ ଏଭଳି ମହତ ଉଦେଶ୍ୟ ବିଶ୍ୱ ଶାନ୍ତି ଜନ କଲ୍ୟାଣ ପାଇଁ ଅନୁଷ୍ଠିତ ହେଉଥିବା କୁମ୍ଭମେଳାର ସଫଳ ରୂପାୟନ ପାଇଁ ଲକ୍ଷ୍ମୀବାବା ସମସ୍ତଙ୍କର ସହଯୋଗକୁ କାମନା କରିବା ସହ ଏହି ପବିତ୍ର ମେଳରେ ସର୍ବସାଧାରଣ ମହେନ୍ଦ୍ରଗିରିକୁ ଆସି ଏହି ମେଳାକୁ ଦର୍ଶନ କରନ୍ତୁ ବୋଲି ସେ ଅନୁରୋଧ ଜଣାଇଛନ୍ତି.
