April 24, 2026

ଗାଙ୍ଗପୁର ପୋଲିସର ବଡ଼ ସଫଳତା,ବେଆଇନ କାଠ ମିଲ୍ ଉପରେ ଚଢ଼ାଉ ସହ ଦୁର୍ଦ୍ଦାନ୍ତ ଅପରାଧୀ ଲମ୍ବୁ ତାରିଣୀ ଓ ସହଯୋଗୀ ଗିରଫ, ୯ଏମ ଏମ ମଉଜର ସହ ଦୁଇ ଦେଶୀ ବନ୍ଧୁକ ଓ ଗୁଳି ଜବତ

IMG-20260423-WA0053
Share

 

ବେଲଗୁଣ୍ଠା-୨୩/୪- ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା, ସୋରଡ଼ା ବ୍ଲକ ଅନ୍ତର୍ଗତ ସିଆରିମାଳ ଗ୍ରାମରେ ଗାଙ୍ଗପୁର ପୋଲିସ ଏକ ବଡ଼ ଧରଣର ସଫଳତା ହାସଲ କରିଛି। ବେଆଇନ କାଠ ମିଲ୍ ଉପରେ ଚଢ଼ାଉ ସମୟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଲମ୍ବୁ ତାରିଣୀ ଓ ତା’ର ସହଯୋଗୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ବେଆଇନ ମାରଣାସ୍ତ୍ର ଜବତ କରାଯାଇଛି।୨୩ ଏପ୍ରିଲ ୨୦୨୬ ତାରିଖ ବିଳମ୍ବିତ ରାତି ପ୍ରାୟ ୧୨ଟା ୧୦ ମିନିଟ ସମୟରେ,ଉତ୍ତର ବନଖଣ୍ଡ ଅଧିକାରୀ ଭଞ୍ଜନଗରଙ୍କ ଅନୁରୋଧ କ୍ରମେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ୱରେ ଏକ ମିଳିତ ଟିମ୍ ସିଆରିମାଳ ଗ୍ରାମକୁ ବେଆଇନ କାଠ ମିଲ୍ ଚଢ଼ାଉ ପାଇଁ ଯାଇଥିଲେ। ଏହି କାଠ ମିଲ୍‌ଟି ସେହି ଗ୍ରାମର ଲମ୍ବୁ ଓରଫ ନାରାୟଣ ତାରିଣୀ (୪୯) ଦ୍ୱାରା ପରିଚାଳିତ ହେଉଥିଲା। ଚଢ଼ାଉ ସମୟରେ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, ଲମ୍ବୁ ତା’ର ଫାର୍ମହାଉସ୍‌ରେ ବେଆଇନ ଅସ୍ତ୍ରଶସ୍ତ୍ର ମଧ୍ୟ ରଖିଛି। ଭଞ୍ଜନଗରର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାରଙ୍କ ଉପସ୍ଥିତିରେ ଲମ୍ବୁର ଘର ଯାଞ୍ଚ କରାଯାଇଥିଲା। ସେଠାରେ ଲମ୍ବୁ ସହ ତା’ର ସହଯୋଗୀ ତଥା ଜଗନ୍ନାଥପ୍ରସାନ ଥାନା ଅନ୍ତର୍ଗତ କୁମ୍ପାପଡା ଗ୍ରାମର ବୁଧିଆ ପାତ୍ର (୩୦) ଶୋଇଥିବା ଅବସ୍ଥାରେ ମିଳିଥିଲେ।

ଲମ୍ବୁ ତାରିଣୀର ବେଆଇନ କାଠ ମିଲ୍ ନିକଟରେ ଥିବା ତା ଘର ଭିତରୁ ସନ୍ମିକା ଇଣ୍ଡଷ୍ଟ୍ରିଆଲ୍ ଲେଖାଥିବାଗୋଟିଏ ୯ ଏମ୍ ଏମ୍ ପିସ୍ତଲ ଓ ୩ ରାଉଣ୍ଡ ଜୀବନ୍ତ ଗୁଳି,୨ଟି ଦେଶୀ ତିଆରି ବନ୍ଧୁକ, ଗୋଟିଏ ଲୁହା ବୁଲେଟ୍ ଓ ବନ୍ଧୁକ ଲୋଡିଂ ରଡ୍, ଏକ ୨ ଫୁଟ ଲମ୍ବର ଷ୍ଟିଲ୍ ରଡ୍ ଏବଂ ଗୋଟିଏ ଲୁହା କଟୁରୀ, ନଗଦ ୫,୨୫୦ ଟଙ୍କା, ଏକ ସ୍ମାର୍ଟ ଓପୋ ମୋବାଇଲ୍ ଏବଂ ଏକ କଳା ରଙ୍ଗର ‘ହେକ୍ଟର’ କାର ଯାହାର ନମ୍ବର (ନମ୍ବର- ଓଡି- ୦୨-ସିଏକ୍ସ-୧୯୯୩) ଜବତ କରିଥିବା ପୋଲିସ ନିଜ ଆଡୁ ଦାଖଲ କରିଥିବା ଏଫ୍ ଆଇ ଆର୍ ରେ ଉଲ୍ଲେଖ କରିଛି ।

ପୋଲିସ ସୂଚନା ଅନୁଯାୟୀ, ନାରାୟଣ ତାରିଣୀ ଓରଫ ଲମ୍ବୁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ। ତା’ ନାମରେ ହତ୍ୟା, ଡକାୟତି ଓ ରାହାଜାନି ଭଳି ପ୍ରାୟ ୫୦ଟି ଅପରାଧିକ ମାମଲା ରହିଛି। ସେ ଅଞ୍ଚଳର କଣ୍ଟ୍ରାକ୍ଟର ଓ ବ୍ୟବସାୟୀଙ୍କ ଠାରୁ ଦାଦାବଟି ଆଦାୟ କରୁଥିଲା। ପୂର୍ବରୁ ଏକ ପୋଲିସ ଏନକାଉଣ୍ଟରରେ ସେ ନିଜର ଡାହାଣ ଗୋଡ଼ ହରାଇଥିଲେ ମଧ୍ୟ ସେ ନିଜର ଅପରାଧିକ ସାମ୍ରାଜ୍ୟ ଚଳାଇ ଆସୁଥିଲା। ଅପରାଧୀ ଭୟରେ କେହି ପୋଲିସକୁ ମଧ୍ୟ ସୂଚନା ଦେଇପାରୁନଥିଲେ ।ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିଥିବା ଯୋଗୁଁ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ବେଆଇନ ଅସ୍ତ୍ରଶସ୍ତ୍ର ଆଇନର ଧାରା ୨୫(୧)(ଏ)/୨୫(୧-ବି)(ଏ) ଏବଂ ୨୫(୧-ଏ) ଅନୁଯାୟୀ ମାମଲା ରୁଜୁ କରି ଗିରଫ କରାଯାଇଛି।ଅଧିକ ତଦନ୍ତ ଚାଲିଛି ବୋଲି ଥାନାଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed