କାଳବୈଶାଖୀ ତାଣ୍ଡବ , ପ୍ରବଳ କୁଆପଥର ମାଡ, ବ୍ଯାପକ କ୍ଷୟକ୍ଷତି , ଫଳ ଚାଷୀ ହତାଶ
ବୁଗୁଡ଼ା : ତା ୨୭/୦୫/୨୩ : କାଳବୈଶାଖୀ ତାଣ୍ଡବ ଯୋଗୁଁ ବୁଗୁଡ଼ା ଅଞ୍ଚଳରେ ବ୍ଯାପକ କ୍ଷୟକ୍ଷତି ଘଟିଥିବା ଜଣାଯାଇଛି । ଆଜି ଅପରାହ୍ନରେ କାଳବୈଶାଖି ତାଣ୍ଡବ ରଚିଥିଲା । ପ୍ରବଳ ଝଡବର୍ଷା ସାଙ୍ଗକୁ ତୁହାକୁ ତୁହା କୁଆପଥର ବର୍ଷଣ ହୋଇଥିଲା । କେତେକ ଲୋକଙ୍କ ଘର ଝରକା କାଚ ଏବଂ ଯାତାୟତ କରୁଥିବା ଗାଡି କାଚ ମଧ୍ୟ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଗଛର ଶାଖା ପ୍ରଶାଖା ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା । ଖୋଳଖାଳି ପଞ୍ଚାୟତର ତାଳସାକର-ବାଘମରାସାହି ଠାରେ ଥିବା ନିଳାଦ୍ରୀ ବିହାରୀ ପ୍ରଧାନଙ୍କ ଅଅଁଳା ବଗିଚାରେ ଗଛ ଭାଙ୍ଗିଯାଇ ଫଳ ସବୁ ଧରାଶାୟୀ ହୋଇଯାଇଛି । ସେହିପରି ସୁଜାତା ପ୍ରଧାନଙ୍କ ଫାର୍ମ ହାଉସର ଟିଣ ଛପର ଘର ଭାଙ୍ଗିଯିବା ସହ ବାର କୁଇଣ୍ଟାଲରୁ ଉର୍ଦ୍ଧ ପରିମାଣର ଆମ୍ବ ଝଡା ଦେଇଛି । ଫଳରେ ଉଭୟଙ୍କ ଫଳ ଚାଷ ଉଜୁଡି ଯାଇ ଲକ୍ଷାଧିକ ଟଙ୍କାର କ୍ଷତି ସେମାନଙ୍କୁ ହତାଶ କରିଛି । ଅନ୍ୟପକ୍ଷରେ ପିପୁଲ୍ସ କଲେଜ ନିକଟରେ ଗଛ ଡାଳ ଭଙ୍ଗି ରାସ୍ତା ଅବରୋଧ ହୋଇଥିବା ବେଳେ ଲୋକେ ତାହାକୁ ହଟାଇ ଥିଲେ । ବୁଗୁଡା ସହରର ବିଭିନ୍ନ ସ୍ଥାନରେ ତାର ଝିଣ୍ଡି ଯାଇଥିବାରୁ ବିଦ୍ଯୁତ୍ ସେବା ବ୍ଯାହତ ରହିଥିଲା ।