March 18, 2026

ଗେଡିଆପଲ୍ଲୀରେ ‘ଜଳ ଅର୍ପଣ ଦିବସ’ ଓ ‘ଜଳ ମହୋତ୍ସବ’ ଅନୁଷ୍ଠିତ: ପାନୀୟ ଜଳର ସୁରକ୍ଷା ପାଇଁ ଗ୍ରାମବାସୀଙ୍କ ସଂକଳ୍ପ

IMG-20260318-WA0003
Share

ଖୋର୍ଦ୍ଧା-: (ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗେଡିଆପଲ୍ଲୀ ଗ୍ରାମ ପଞ୍ଚାୟତ ପରିସରରେ ଆଜି ମହାସମାରୋହରେ ‘ଜଳ ଅର୍ପଣ ଦିବସ’ ଏବଂ ‘ଜଳ ମହୋତ୍ସବ’ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଳ ସଂରକ୍ଷଣର ଗୁରୁତ୍ୱ ଏବଂ ଆଗାମୀ ପିଢ଼ି ପାଇଁ ଏହାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ପରିଷଦର ସିଡିଓ ଶ୍ରୀ ଜ୍ୟୋତିଶଙ୍କର ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ଗୋପୀନାଥ ମହାରଣା ଏବଂ ଜୋନ୍-୨୬ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପ୍ରଦୀପ୍ତ କିଶୋର ଛୋଟରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ।

​ଅନ୍ୟମାନଙ୍କ ମଧ୍ୟରେ ବୋଲଗଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ହୁଳାସ ପ୍ରଧାନ, ଉପ-ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ସାହୁ, ବୋଲଗଡ଼ ବିଡିଓ ଶ୍ରୀମତୀ ସୁମନ ସୁଧା କୁଣ୍ଡୁ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର (RWSS) ଅଧୀକ୍ଷଣ ଯନ୍ତ୍ରୀ ଇଂ ରଶ୍ମିତା ଦାଶ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କବିତା ମଞ୍ଜରୀ ତ୍ରିପାଠୀ ଏବଂ ସମିତି ସଭ୍ୟ ଶ୍ରୀ ରଞ୍ଜନ ପଣ୍ଡା ପ୍ରମୁଖ ଏହି ଉତ୍ସବରେ ସାମିଲ ହୋଇଥିଲେ।

​କାର୍ଯ୍ୟକ୍ରମର ପ୍ରାରମ୍ଭରେ ସକାଳୁ ଏକ ସଚେତନତା ଶୋଭାଯାତ୍ରା ବା ‘ପ୍ରଭାତ ଫେରି’ ମାଧ୍ୟମରେ ସାଧାରଣ ଲୋକଙ୍କୁ ବିଭିନ୍ନ ଜନକଲ୍ୟାଣକାରୀ ସରକାରୀ ଯୋଜନା ବିଷୟରେ ଅବଗତ କରାଯାଇଥିଲା। ଅତିଥିମାନଙ୍କ ଦ୍ୱାରା ରିବନ୍ କଟାଯିବା ସହ ‘ଜଳ ବନ୍ଧନ’ ଓ ‘ଜଳ ଅର୍ପଣ’ ଭଳି ପାରମ୍ପରିକ ରୀତିନୀତି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପାନୀୟ ଜଳର ସୁରକ୍ଷା, ସଂରକ୍ଷଣ ଏବଂ ଏହାର ଅପବ୍ୟବହାର ରୋକିବା ପାଇଁ ଉପସ୍ଥିତ ସମସ୍ତ ଜନସାଧାରଣ ସମୂହ ଶପଥ ଗ୍ରହଣ କରିଥିଲେ। ଶେଷରେ ସରପଞ୍ଚ ଉପସ୍ଥିତ ସମସ୍ତ ଅତିଥି ଓ ଗ୍ରାମବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed