March 8, 2026

ଶ୍ରଦ୍ଧା ଓ ଭକ୍ତିର ସହିତ ପାଳିତ ହେଲା ସରସ୍ଵତୀ ପୂଜା*

IMG-20260123-WA0038
Share

 

 

ଲାଞ୍ଜିଗଡ଼ (ପୁରନ୍ଦର ଦଣ୍ଡସେନା) ୨୩/୦୧/୨୦୨୫

ଲାଞ୍ଜିଗଡ଼ରେ ଆଜି ଅତ୍ୟନ୍ତ ଶ୍ରଦ୍ଧା, ଭକ୍ତି ଓ ଆନନ୍ଦମୟ ପରିବେଶରେ ବିଦ୍ୟାର ଦେବୀ ମା ସରସ୍ଵତୀଙ୍କ ପୂଜା ପାଳିତ ହୋଇଯାଇଛି। ଗ୍ରାମର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ଆଶ୍ରମ ସ୍କୁଲ୍ ରେ ସରସ୍ଵତୀ ପୂଜା ଧୁମଧାମରେ ଆୟୋଜିତ ହୋଇଯାଇଛି।

 

ସକାଳୁ ସକାଳୁ ବିଦ୍ୟାଳୟ ପରିସରରେ ପୂଜା ମଣ୍ଡପଗୁଡ଼ିକୁ ରଙ୍ଗିନ ଫୁଲ, ଆଲୋକମାଳା ଓ ସୁନ୍ଦର ଶିଳ୍ପକଳାରେ ସଜାଯାଇଥିଲା। ଛାତ୍ରଛାତ୍ରୀମାନେ ପାରମ୍ପରିକ ପୋଷାକ ପିନ୍ଧି ମା ସରସ୍ଵତୀଙ୍କ ପ୍ରତିମା ସମ୍ମୁଖରେ ନିଜର ଭକ୍ତି ଓ ଶ୍ରଦ୍ଧା ଅର୍ପଣ କରିଥଲେ ।

 

ବୈଦିକ ରୀତିନୀତି ଅନୁସାରେ ପୂଜକଙ୍କ ଦ୍ଵାରା ପୂଜା ହୋମ ଯଜ୍ଞ କରା ଯାଇଥିଲା, ଛାତ୍ରଛାତ୍ରୀ ମାନେ ପୁଷ୍ପାଞ୍ଜଳି ଅର୍ପଣ କରି ଶିକ୍ଷା, ଜ୍ଞାନ ଓ ସଦ୍ବୁଦ୍ଧି ପାଇଁ ପ୍ରାର୍ଥନା କରିଥିଲେ।

 

ପୂଜା ଅବସରରେ ବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ—ଭଜନ, ସରସ୍ଵତୀ ବନ୍ଦନା, ନୃତ୍ୟ ଓ ଶିକ୍ଷାମୂଳକ ନାଟିକା—ଆୟୋଜିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ନିଜ ନିଜ ପ୍ରତିଭା ପ୍ରଦର୍ଶନ କରି ସମସ୍ତଙ୍କର ମନ ଜିତିଥିଲେ।

 

ଏହି ଅବସରରେ ଶିକ୍ଷକ-ଶିକ୍ଷିକାମାନେ କହିଥିଲେ ଯେ, ସରସ୍ଵତୀ ପୂଜା କେବଳ ଧାର୍ମିକ ପର୍ବ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ମନରେ ଶିକ୍ଷା, ଶିଷ୍ଟାଚାର ଓ ସଂସ୍କାରର ମୂଲ୍ୟବୋଧ ଜାଗ୍ରତ କରିବାର ଏକ ଅବସର। ଅଭିଭାବକମାନେ ମଧ୍ୟ ଏପରି ପର୍ବ ମାଧ୍ୟମରେ ଶିଶୁମାନଙ୍କ ମନୋବଳ ବୃଦ୍ଧି ପାଉଥିବା କଥା କହିଥିଲେ।

 

ପୂଜା ଶେଷରେ ପ୍ରସାଦ ସେବନ କରାଯାଇଥିଲା ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଖୁସିର ମହଲ୍ ଦେଖାଯାଇଥିଲା। ସମଗ୍ର ଲାଞ୍ଜିଗଡ଼ ଅଞ୍ଚଳ ଆଜି ଶିକ୍ଷା, ସଂସ୍କୃତି ଓ ଭକ୍ତିର ସୁଗନ୍ଧରେ ମହକିଉଠିଥିଲା।

 

*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ୍ ଉପାନ୍ତ ଖବର*