ଚାଷୀ ଧାନ ଦେବେ ମଣ୍ଡିରେ , କଟନି ଛଟନି ବନ୍ଦ କରିବାକୁ ପରାମର୍ଶ ଦେଲେ ମନ୍ତ୍ରୀ
ବୁଗୁଡ଼ା : ତା ୧୮/୧୨/୨୫ : ସରକାରୀ ସ୍ତରରେ ଚଳିତ ମାସ ୨୩ ତାରିଖ ଠାରୁ ଖରିଫ ଋତୁ ଧାନ ସଂଗ୍ରହ କରିଯିବାକୁ ସ୍ଥିର ହୋଇଥିବାବେଳେ ଜିଲ୍ଲା ଓ ବ୍ଲକ ସ୍ତରରେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଏ ନେଇ ବାରମ୍ବାର ବୈଠକ ବସିବା ସହ ଚାଷୀ, ମିଲର, ସମବାୟ ବିଭାଗ ଓ ଯୋଗାଣ ବିଭାଗକୁ ନେଇ ଆଲୋଚନା ଚାଲିଛି l ଏହି ପରିପ୍ରେକ୍ଷୀରେ ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସରସ୍ଥ ସଭାଗୃହରେ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏଥିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ସରକାରଙ୍କ ନୀତି ନିୟମ ଅନୁଯାୟୀ ଚାଷୀମାନେ କେବଳ ମଣ୍ଡିରେ ଧାନ ଦେଇ ଏହାର ସଠିକ ମୂଲ୍ଯ ବାବଦକୁ କ୍ବିଣ୍ଟାଲ୍ ପିଛା ୩୧୦୦ ଟଙ୍କା ପାଇବା ସହ ସମ୍ପୂର୍ଣ୍ଣ ଭାବେ କଟନି ଛଟନି ପ୍ରଥାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ତହସିଲଦାର ତାପସ ରାଉତ, ବିଡ଼ିଓ ଦୁତିକୃଷ୍ଣ ପାତ୍ର, ବ୍ଲକ କୃଷି ଅଧିକାରୀ ହରପ୍ରିୟା ବେହେରା, ବ୍ଲକ ଯୋଗାଣ ନିରୀକ୍ଷକ ବିବେକାନନ୍ଦ ମହାନ୍ତି, ବ୍ଲକ ଅଧକ୍ଷା ପ୍ରତିନିଧି କେ.ନୀଳମାଧବ ଆଚାରୀ, ବ୍ଲକ ଉପାଧକ୍ଷ ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିବାବେଳେ କୃଷି ସମବାୟ ସମିତି ସଂଘର ସଭାପତି ପୂର୍ଣ୍ଣ ଚନ୍ଦ୍ର ବିଷୋୟୀ,ମିଲର୍ସ,କୃଷି ସମବାୟ ସମିତି ସମ୍ପାଦକଗଣ ଏବଂ ଅନେକ ଚାଷୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
