ପାହାଡ କାଟି ଗାଁକୁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ
ସରକାର ଗମନାଗମନର ବିକାଶ ପାଇଁ ସରକାରୀ ପାଣ୍ଠିରୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।କିନ୍ତୁ ତାହା ବାସ୍ତବତାରେ ସଫଳ ରୂପାୟନ ହୋଇପାରୁନାହିଁ । ଏହାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଉପାନ୍ତ ଅଞ୍ଚଳ ହାଟଡିହୀ ବ୍ଲକରେ । ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ଯ ମୌଳିକ ସୁବିଧାରୁ ବଞ୍ଚିତ କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକର ବଣପାହାଡ ଘେରା ୪ ଟି ଗ୍ରାମ ର ଅଧିବାସୀ । ଦୀର୍ଘ ବର୍ଷ ଧରି ୪ଟି ଗ୍ରାମର ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟକୁ ସୁରୁଖୁରୁରେ ଯିବା ଆସିବା କରିପାରୁ ନଥିବାବେଳେ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରୁଥିଲେ । କିନ୍ତୁ କୌଣସି ସୁଫଳ ନମିଳିବାରୁ ଏବେ ନିଜେ ଶ୍ରମଦାନ କରି ପାହାଡ କାଟି ନିଜ ପଞ୍ଚାୟତକୁ ଯିବା ଆସିବା କରିବା ଲାଗି ରାସ୍ତା ନିର୍ମାଣ କରୁଛନ୍ତି। କେନ୍ଦୁଝର ଜିଲ୍ଲା ହଦଗଡ଼ ପଞ୍ଚାୟତର ଦଲକି, ପିତାନାଉ, ଜୁଣପସି, ରତ୍ନମରା, ଆଦି ଗ୍ରାମରେ ତିନି ହଜାରରୁ ଉର୍ଦ୍ଧ୍ବ ଲୋକ ବାସକରୁଛନ୍ତି । ସୂଚନାଯୋଗ୍ଯ ୧୯୬୬ ମସିହାରେ ହଦଗଡ ଜଳଭଣ୍ଡାର ନିର୍ମାଣ ସମୟରେ ବିସ୍ଥାପିତ ହୋଇ ଏହି ଗାଁମାନଙ୍କରେ ରହିଥିଲେ। କିନ୍ତୁ ଗାଁ ଗୁଡିକ ହଦଗଡର ବଣପାହାଡ ଘେରା ଜଙ୍ଗଲ ଭିତରେ ଥିବାରୁ ଏମାନଙ୍କ ପଞ୍ଚାୟତ କାର୍ଯ୍ୟାଳୟକୁ ଯାତାୟାତ ପାଇଁ ସେପରି କିଛି ସୁବିଧା ସୁଯୋଗ ନଥିଲା ।ଗ୍ରାମବାସୀ ହଦଗଡର ସାଳନ୍ଦୀ ନଦୀବନ୍ଧ ଦେଇ ହୁଲି ଡଙ୍ଗା ସାହାଯ୍ୟରେ ୪/୫ କିଲୋମିଟର ବାଟ ଆସି ହଦଗଡରେ ପହଞ୍ଚିଥାନ୍ତି। ନଚେତ୍ କାଠକଟା ରାସ୍ତାରେ ଘଞ୍ଚ ଜଙ୍ଗଲ ରାସ୍ତାରେ ୪୦ କି.ମି ପଥ ଅତିକ୍ରମ କରି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥାନ୍ତି। ଜଙ୍ଗଲିଆ ରାସ୍ତାଦେଇ କାର୍ଯ୍ୟାଳୟକୁ ଆସିଲେ ମାତ୍ର ୩ କିଲୋମିଟର ଦୂରତା ହେଉଥିଲା। ଏହାକୁ ନେଇ କିଛି ଯୁବକ ଏବେ ଏକତ୍ରିତ ହୋଇ ହାତରେ ଶାବଳ, କୋଦାଳ ଧରି ରାସ୍ତା ନିର୍ମାଣ କରିଛନ୍ତି। ରାସ୍ତା ତିଆରି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହାଦ୍ବାରା ସେମାନେ ପଞ୍ଚାୟତ କାର୍ଯ୍ୟାଳୟ ସହିତ ବ୍ଲକ୍, ତହସିଲ କିମ୍ବା ଡାକ୍ତରଖାନାକୁ ସ୍ଵଚ୍ଛନ୍ଦରେ ଯିବା ଆସିବା କରିପାରିବେ । ଏହି ରାସ୍ତା ଦ୍ଵାରା ସେମାନଙ୍କ ପିଲାମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ଅଗ୍ରସର ହୋଇପାରିବେ ବୋଲି ଗ୍ରାମବାସୀ କହିଛନ୍ତି ।ତେବେ ପ୍ରଶାସନିକ ସ୍ତରରେ ତାଙ୍କୁ ମୈଳିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସର୍ବସାଧାରଣରେ ଦାବି ହେଉଛି ।
କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।
