ହାଟଡ଼ିହି ପଞ୍ଚାୟତ ସମିତି ସାଧାରଣ ୪ର୍ଥ ବୈଠକ ଅନୁଷ୍ଠିତ
କେନ୍ଦୁଝର ଜିଲ୍ଲା ହାଟଡ଼ିହି ପଞ୍ଚାୟତ ସମିତି ସଭାଗୃହରେ ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ସାବିତ୍ରୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଙ୍କ ସହ ବିଡ଼ିଓ ବିନିତା ବିଜୟିନୀ, ହାଟଡ଼ିହି ତହସିଲଦାର ନରେନ୍ଦ୍ର କୁମାର ସେଠୀ, କେନ୍ଦୁଝର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲା ପରିଷଦ ସଭ୍ୟ ବିମ୍ବାଧର ବିଶ୍ୱାଳ, କୌଶଲ୍ୟା ସେଠୀ, ସୁକାନ୍ତି ଜେନା ପ୍ରମୁଖ ଉପସ୍ଥିତ ରହି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାନୀୟ ଜଳ, ଗମନା ଗମନ, ସାଧରଣ ବଣ୍ଟନ ଭଳି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ହାବଳେଶ୍ୱର ଓ ଆଇତିପୁର ଗ୍ରାମ ପଞ୍ଚାୟତ ର ହିତାଧିକାରୀମାନେ ଦୀର୍ଘ ମାସ ହେବ ଚାଉଳ ପାଉନଥିବା ଅଭିଯୋଗ ହୋଇଥିଲା । ସେହିପରି ଅକରୁଆ ଗ୍ରାମ ପଞ୍ଚାୟତରେ ସରପଞ୍ଚ ତା’ଙ୍କ ଅଗୋଚରରେ ଡ୍ରେନ୍ ନିର୍ମାଣ ବାବଦକୁ ଟଙ୍କା ବ୍ୟୟ ହୋଇଥିବା ପ୍ରସଙ୍ଗ ଉଠାଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଦାୟୀ କରିଥିଲେ । ଅଭିଯୋଗ ଅନୁଯାଇ ୨୦୨୨-୨୩ ଆର୍ଥିକ ବର୍ଷରେ ଅକରୁଆ ଗ୍ରା:ପ ଅନ୍ତର୍ଗତ ଦଧିବାମନପୁର ଗ୍ରାମର ମୁଖ୍ୟ ରାସ୍ତା ଠାରୁ ଅଭିରାମ ଜେନା ଙ୍କ ଘର ପର୍ଯ୍ୟନ୍ତ ଡ୍ରେନ୍ ନିର୍ମାଣ ବାବଦକୁ ମୋଟ୍ ୭ ଲକ୍ଷ ୧୦ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା, ଯାହାର କୋଡ଼ ନଂ ହେଉଛି ୨୪୦୩୦୦୯୦୦୨/ଡ଼ବ୍ଲୁସି/୧୦୫୧୪୦୯୯ । ଏହି ପ୍ରକଳ୍ପରେ ଏପର୍ଯ୍ୟନ୍ତ ୩ ଲକ୍ଷ ୪୯ ହଜାର ୬୮୬ ଟଙ୍କା ବ୍ୟୟ କରାଯାଇଥିଲେ ମଧ୍ୟ ସରପଞ୍ଚ କୌଣସି କାଗଜପତ୍ରରେ ଦସ୍ତଖତ କରିନଥିବା କଥା ପ୍ରକାଶ କରିଥିଲେ । ଅଭିଯୋଗର ଗୁରୁତ୍ୱକୁ ଅନୁଭବ କରି ବିଧାୟକ ବିଭାଗୀୟ ଅଧିକାରୀଙ୍କ ମତ ଲୋଡିଥିଲେ ମଧ୍ୟ ସମସ୍ତେ ଚୁପ୍ ରହିଥିଲେ । ଛେନାପଦୀ ଛକ ଠାରେ ଜନୈକ ବ୍ୟକ୍ତି ସରକାରୀ ଜାଗାରେ ନିର୍ମାଣ କରିଥିବା କୋଠାଘରକୁ ଉଚ୍ଛେଦ ନିମନ୍ତେ ବିଧାୟକ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ କର୍ମଚାରୀମାନେ ଜନପ୍ରତିନିଧିଙ୍କ ଫୋନ ଉଠାଉନଥିବା ହାଟଡ଼ିହି ସରପଞ୍ଚ ଚିନ୍ମୟ ନାୟକ ଅଭିଯୋଗ କରିଥିଲେ । ସେହିପରି ହାତୀ ଓ ଅନ୍ୟ ବନ୍ୟପ୍ରାଣୀଙ୍କ ଦାଉରୁ ଧନ ଜୀବନ ରକ୍ଷାକରିବା ଓ ଜନ ସାଧାରଣଙ୍କୁ ଘରବାଡ଼ି ପଟ୍ଟା, ଜଙ୍ଗଲ ଜମି ପ୍ରଦାନ କରିବାକୁ ସୋମନାଥ ଦାସ ଦାବି କରିଥିଲେ । ଉକ୍ତ ବୈଠକରେ ବ୍ଲକ କୃଷି ଅଧିକାରିଣୀ , ବ୍ଲକ ଶିକ୍ଷାଧିକାରୀ ଧନେଶ୍ୱର ଖଣ୍ତାଇ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ ।
କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।