ବଢିଛି ବାଘୁଆ ଜଳଭଣ୍ଡାର ଜଳସ୍ତର , ତଥାପି ସ୍ଥିତି ନଗଣ୍ୟ

ବୁଗୁଡା : ତା ୧୬/୦୯/୨୫ : ଏଇ କିଛି ଦିନ ହେଲା ଲଗାତର ଭାବେ ବର୍ଷା ହେବା ଯୋଗୁଁ ଏଠାକାର ବାଘୁଆ ଜଳଭଣ୍ଡାରର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ମଙ୍ଗଳବାର ସୁଦ୍ଧା ୯୧୩.୧୮ ହେକ୍ଟୋମିଟର ଜଳ ଗଚ୍ଛିତ ଥିବା ଜଣାଯାଇଛି। ୩୧୦୦ ହେକ୍ଟୋମିଟର ଜଳ ଧାରଣ କ୍ଷମତା ଥିବା ବାଘୁଆ ଜଳଭଣ୍ଡାରରେ ଗତ ୩୧ ଅଗଷ୍ଟରେ ୩୮୦.୦୧ ହେକ୍ଟୋମିଟର ଅର୍ଥାତ୍ ୧୨.୨୬% ଜଳ ରହିଥିଲା ବେଳେ ତାହା ଚିନ୍ତାର କାରଣ ପାଲଟିଥିଲା। ତେବେ ଗତ କେତେକ ଦିନରେ ବର୍ଷା ହେବା ହେତୁ ଜଳଭଣ୍ଡାରେ ଗଚ୍ଛିତ ଜଳର ପରିମାଣ ବୃଦ୍ଧି ପାଇ ସେପ୍ଟେମ୍ବର ୧୬ ସୁଦ୍ଧା ୯୧୩.୧୮ ହେକ୍ଟୋମିଟରରେ ପହଞ୍ଚିଥିଲେ ସୁଦ୍ଧା ସ୍ଥିତି ନଗଣ୍ଯ ରହିଛି। ଚଳିତ ସେପ୍ଟେମ୍ବର ମାସରେ ୧୬ ତାରିଖ ସୁଦ୍ଧା ବର୍ଷା ଯୋଗୁଁ ୫୩୩.୧୭ ହେକ୍ଟୋମିଟର ଅର୍ଥାତ୍ ୧୭.୨% ଜଳ ବୃଦ୍ଧି ପାଇ ଏବେ ୨୯.୪୬%ରେ ପହଞ୍ଚିଛି। ଅନ୍ୟପକ୍ଷରେ ବର୍ଷା ଯୋଗୁଁ ଚାଷୀଙ୍କ ଜମିକୁ ଜଳ ମିଳିବା ସାଙ୍ଗକୁ ବାଘୁଆ ଜଳଭଣ୍ଡାରର ଜଳସ୍ତରରେ ମଧ୍ୟ ବୃଦ୍ଧି ଘଟିଥିବାରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସାମାନ୍ୟ ଆସ୍ୱସ୍ତି ମିଳିଛି। ତେବେ ଅଞ୍ଚଳର ଚାଷୀଙ୍କ ଆବଶ୍ୟକତାକୁ ଭିତ୍ତିକରି ଆଗାମୀ ଅକ୍ଟୋବର ପ୍ରଥମ ସପ୍ତାହ ପରେ ବାଘୁଆ ଜଳଭଣ୍ଡାରର ଉଭୟ କେନାଲରେ ପାଳିକରି ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଉଥିବା ନେଇ ବିଭାଗୀୟ ସହକାରୀ କାର୍ଯ୍ଯନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ପାଳଙ୍କଠାରୁ ପ୍ରକାଶ ପାଇଛି।
