ଶ୍ରୀ ବଳଦେବସ୍ବାମୀ ମନ୍ଦିରରେ ବଡ ଏକାଦଶୀ ଉତ୍ସବ ପାଳିତ

ବୁଗୁଡ଼ା : ତା ୦୩/୦୯/୨୫ : ସ୍ଥାନୀୟ ଶ୍ରୀ ବଳଦେବସ୍ବାମୀ ମନ୍ଦିରରେ ଶ୍ରୀବିଷ୍ଣୁ ପାର୍ଶ୍ଵପରିବର୍ତ୍ତନ ଏକାଦଶୀ ତଥା ବଡ ଏକାଦଶୀ ଉତ୍ସବ ଯଥା ରୀତିନୀତି ପ୍ରକାରେ ଶ୍ରଦ୍ଧାଳୁଙ୍କ ଗହଣରେ ପାଳିତ ହୋଇଯାଇଛି। ଏ ଅବସରରେ ପ୍ରାତଃ କାଳରେ ଠାକୁରଙ୍କ ଅବକାଶ ନୀତି ସମ୍ପନ୍ନ ପରେ ଶାଳଗ୍ରାମ ଗାଧୁଆ , ମହାସ୍ନାନ, ମନ୍ତ୍ରସ୍ନାନ ଏବଂ ପୂର୍ବାହ୍ନରେ ଷୋଡଶ ଉପଚାର ପୂଜା, ମଙ୍ଗଳ ଆଳତି ଓ ସୁନାବେଶ ବିଧି ପାଳନ କରାଯାଇଥିବା ବେଳେ ସନ୍ଧ୍ୟାରେ ଦୋଳଗୋବିନ୍ଦଙ୍କ ଏକାଦଶୀ ବେଢା ପରିକ୍ରମା ସାଙ୍ଗକୁ ରାଜପ୍ରସାଦ ଭୋଗ ନୀତି ଅନୁଷ୍ଠିତ ହୋଇଥିଲା। ଏହି ବଡ ଏକାଦଶୀ ଉତ୍ସବରେ ପୂଜକ ଲକ୍ଷ୍ମୀ ପାଣି, ଟୁଲୁ ପାଣି, ଟୁକୁନା ପାଣି ପ୍ରମୁଖ ଠାକୁରଙ୍କ ପୂଜାପାଠ କରିଥିବା ବେଳେ ଜଗନ୍ନାଥ ଅର୍ଚ୍ଚକ ଯୁବକ ସଂଘର ସଦସ୍ୟଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନୁକୂଳ ପାଗ ସତ୍ତ୍ୱେ ବଡ ଏକାଦଶୀ ଉତ୍ସବ ପାଳନ ନିମନ୍ତେ ବଳଦେବସ୍ବାମୀଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା।
