June 14, 2026

ଲାଞ୍ଜିଗଡ଼ ପ୍ରତି ସରକାରଙ୍କ ଏ ବୈମାତୃକ ଭାବ କାହିଁକି ?

IMG-20250823-WA0060
Share

 

ଲାଞ୍ଜିଗଡ଼(ପୁରନ୍ଦର ଦଣ୍ଡସେନା) ସବୁବେଳେ ଲାଞ୍ଜିଗଡ଼ ସବୁ ବିଷୟରେ ସରକାରଙ୍କ ଦ୍ୱାରା ଅବହେଳିତ ହୋଇ ରହିଆସିଛି। ଉନ୍ନତିର ତ ନାମ ନାହିଁ ବରଂ ଦିନକୁ ଦିନ ଅବନତି ଆଡ଼କୁ ଗତି କରୁଛି। ଏଠାରେ ଲାଗି ରହିଥିବା ସାମାନ୍ୟ ଅଥଚ ଅତ୍ୟାବଶ୍ୟକ ସମସ୍ୟା ଗୁଡ଼ିକର ମଧ୍ୟ ସମାଧାନ ହୋଇପାରୁନାହିଁ।ଯାହା ଦ୍ୱାରା କି ଏ ଅଞ୍ଚଳର ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପ୍ରଥମେ ସ୍ୱାସ୍ଥ୍ୟ କଥା ଦେଖାଯାଉ ଲାଞ୍ଜିଗଡ଼ ଥିବା ଅତି ପୁରୁଣା ଡାକ୍ତରଖାନା ଯାହା କି ଏବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପାଇଛି ତାର ଶୋଚନୀୟ ଅବସ୍ଥା କହିଲେ ନ ସରେ।ସାମାନ୍ୟ ବର୍ଷାରେ ଡାକ୍ତରଖାନା ପରିସର ମଧ୍ୟରେ ଆଣ୍ଠୁଏ ଲେଖାଏଁ ପାଣି ଜମିଯାଉଛି। ରୋଗୀ ମାନେ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପାଣି କାଦୁଅରେ ଯିବା କଷ୍ଟକର ହୋଇ ପଡୁଛି। ଏଥିପାଇଁ ରୋଗୀଙ୍କୁ ସେବା ଦେବା ପାଇଁ ଡାକ୍ତରଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।ଅନ୍ୟ ଏକ ସମସ୍ୟା ହେଲା ଡାକ୍ତରଖାନା ପରିସରରେ ଥିବା ଦୁଇଟି ନଳକୂପ ମଧ୍ୟରୁ ଗୋଟିଏ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି ଏବଂ ଆଉ ଗୋଟିଏ ନଳକୂପରୁ ଯଥେଷ୍ଟ ମାତ୍ରା ରେ ଜଳ ବାହାରୁ ନ ଥିବାରୁ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ଏହାଦ୍ୱାରା ରୋଗୀ ଓ ଡାକ୍ତରଖାନା କର୍ମଚାରୀ ସମସ୍ତେ ପ୍ରଭାବିତ ହେଉଛନ୍ତି।ଡାକ୍ତରଖାନାର ବହିର୍ବିଭାଗ ଓ ଅନ୍ତର୍ବିଭାଗ ଉଭୟ କୋଠାରେ ବର୍ଷା ପାଣି ଗଳିବା ଦ୍ୱାରା ରୋଗୀ ଓ କର୍ମଚାରୀ ହନ୍ତସନ୍ତ ହେଉଛନ୍ତି।ପୁଣି ମେଡିକାଲ କର୍ମଚାରୀ ରହିବା ପାଇଁ ଯେଉଁ ସବୁ ଗୃହ ନିର୍ମାଣ ହୋଇଛି ସେ ସବୁର କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ଯୋଗୁଁ ଛାତରୁ ପାଣି ଲିକ୍ ହୋଇ ପଲସ୍ତରା ଖସୁଛି।ଫଳରେ ସେମାନେ ସବୁ ସମୟରେ ଭୟଭୀତ ହୋଇ ରହୁଛନ୍ତି। କେତେ ବେଳେ ଯେ ଘର ଭୁଷୁଡି ନ ପଡ଼ିବ କିଏ କହିପାରିବ?ଏହା ବ୍ୟତୀତ ବାଉଣ୍ଡରି ୱାଲ ଭାଙ୍ଗି ଯାଇଛି ତାର ମରାମତି ଏବଂ ମୁଖ୍ୟ ଫାଟକ ର ମରାମତି ଓ ନୂତନ ଶୌଚାଳୟ ର ଆବଶ୍ୟକ ଅଛି ଯାହାକି ଅତି ଆବଶ୍ୟକ ଅଟେ।

ଉପରୋକ୍ତ ସମସ୍ୟା ସବୁକୁ ନେଇ ଏଠାରେ ଥିବା ଇନ୍ ଚାର୍ଜ ଡାକ୍ତର ଭଵାନୀ ଶଙ୍କର ଲେଙ୍କା,ଲାଞ୍ଜିଗଡ଼ ବିଡିଓ,କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀକୁ ଅନେକ ଥର ପତ୍ର ମାଧ୍ୟମରେ ଜଣାଇଛନ୍ତି।ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ।ଲାଞ୍ଜିଗଡ଼ ଡାକ୍ତରଖାନାକୁ ପ୍ରତିଦିନ ଶହ ଶହ ରୋଗୀ ଚିକିତ୍ସା ନିମନ୍ତେ ଆସି ଥାଆନ୍ତି।ଏଠାରେ ରୋଗୀଙ୍କୁ ଉନ୍ନତ ମାନର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଦାବୀ ହେଉଛି।

ଲାଞ୍ଜିଗଡ଼ରେ ଥିବା ଶତାଧିକ ବର୍ଷର ପୁରୁଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୋଠାଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।ବର୍ଷାରେ ପାଣି ତ ଗଳୁଛି, କିନ୍ତୁ ଯେ କୌଣସି ସମୟରେ ତାହା ଭୁଷୁଡି ଯାଇପାରେ ବୋଲି ଆଶଙ୍କା ସୃଷ୍ଟି ହେଉଛି।ଶହ ଶହ ଶିଶୁଙ୍କ ଜୀବନ ବିପନ୍ନ ରେ ପଡ଼ିପାରେ।ତେଣୁ ନୂତନ ଗୃହ ନିର୍ମାଣ ପାଇଁ ସରକାର ଶୀଘ୍ର ପଦକ୍ଷେପ ନେବା ପାଇଁ ଦାବୀ ହେଉଛି।

ଲାଞ୍ଜିଗଡ଼ ଗ୍ରାମ ଭିତର ମୁଖ୍ୟ ରାସ୍ତାର ସମ୍ପ୍ରସାରଣ ଶୀଘ୍ର କରାଯାଉ।ସଂକୀର୍ଣ୍ଣ ରାସ୍ତା ଏବଂ ଯାନବାହାନ ଭିଡ଼ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ଏବଂ ଦୁର୍ଘଟଣା ମାନ ଘଟୁଛି।ଲାଞ୍ଜିଗଡ଼ ଠାରୁ କଳାକୁପା ରାସ୍ତାର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ଯୋର ଦାବି ହେଉଛି।କାରଣ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଠିକ ଭାବେ ହେଉ ନ ଥିବାରୁ ଏହା ସବୁ ସମୟରେ ବିପଦ ସଂକୁଳ ଅବସ୍ଥାରେ ରହିଛି।ଯାହା ଦ୍ୱାରା କି ସେ ରାସ୍ତାରେ ଯାତାୟତ କରିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଛି ଏବଂ ଦୁର୍ଘଟଣା ମାନ ପ୍ରାୟ ଘଟୁଛି। ତେଣୁ ଯଥାଶୀଘ୍ର ସେ ଦିଗରେ ପଦକ୍ଷେପ ନେବା ପାଇଁ ଲାଞ୍ଜିଗଡ଼ ଅଞ୍ଚଳବାସୀ ଦାବୀ କରିଛନ୍ତି।

You may have missed