October 30, 2026

ପ୍ଲାଷ୍ଟିକ ବୋତଲ ରେ‌ ପେଟ୍ରୋଲ ବିକ୍ରି ମନା ଖୋଲା ରେ ବିକ୍ରି ହେଲେ ହେବ ଚଢାଉ,

IMG-20250723-WA0000
Share

 

( ଦେବାଶିଷ ଦାଶ କ୍କ ରିପୋର୍ଟ )

 

ବାଲେଶ୍ବର ଏଫ୍‌ଏମ୍‌ କଲେଜ ଓ ବଳଙ୍ଗା ଘଟଣା ପରେ ରାଜ୍ୟରେ ପେଟ୍ରୋଲ ବିକ୍ରି ନିୟମକୁ ଅଧିକ କଡ଼ାକଡ଼ି କରିଛନ୍ତି ସରକାର। ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କୌଣସି ପେଟ୍ରୋଲ ପମ୍ପରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ କ୍ରୟକୁ ପ୍ରୋତ୍ସାହିତ ନ କରିବାକୁ ପେଟ୍ରୋଲିୟମ୍‌ ସଂଘ ସହ ରାଜ୍ୟ ସରକାର ଆଲୋଚନା କରିଛନ୍ତି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଲୋକସେବା ଭବନସ୍ଥିରେ ବିଭିନ୍ନ ପେଟ୍ରୋଲିୟମ୍‌ ସଂଘର କାର୍ଯ୍ୟକର୍ତ୍ତା ଓ ବିଭାଗୀୟ ଅଧିକାରୀମାନଙ୍କ ସହ ଏକ ବୈଠକରେ ବିସ୍ତୃତ ଭାବେ ଏ ସଂକ୍ରାନ୍ତରେ ଗତକାଲି ଆଲୋଚନା କରି ଧନଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ପେଟ୍ରୋଲ ବିକ୍ରିକୁ ନେଇ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଦ୍ୱାରା ପ୍ରଦତ୍ତ ନିୟମର କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ବିଭିନ୍ନ ଅନୁଷ୍ଠାନ, କୃଷକ ଓ ସରକାରୀ କାର୍ଯ୍ୟାଳୟର ବ୍ୟବହାର ପାଇଁ ଖୁଚୁରା ଭାବେ ପେଟ୍ରୋଲ ବିକ୍ରି କରାଯିବା ନେଇ ଥିବା ନିୟମ ବଳବତ୍ତର ରହିବ।

ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତା ପାର୍ଶ୍ୱ, ବିଭିନ୍ନ ଛୋଟ ଦୋକାନରେ ପେଟ୍ରୋଲ ବିକ୍ରି କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏ କ୍ଷେତ୍ରରେ ଅନୈତିକ ଭାବେ ସହଯୋଗ କରୁଥିବା ପେଟ୍ରୋଲ ପମ୍ପ କିମ୍ବା ବ୍ୟକ୍ତିଙ୍କ ବିରୁଦ୍ଧରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏ ସମ୍ପର୍କରେ ଉତ୍କଳ ପେଟ୍ରୋଲିୟମ୍‌ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ କହିଛନ୍ତି ଯେ, ବହୁ ପୂର୍ବରୁ ପେଟ୍ରୋଲ ପମ୍ପରୁ ପ୍ଲାଷ୍ଟିକ୍‌ ବୋତଲରେ ତେଲ ବିକ୍ରି ନେଇ କଟକଣା ରହିଛି। ଗ୍ରାହକ ଟିଣ କିମ୍ବା ଆଲୁମିନିୟମ୍‌ କଣ୍ଟେନରରେ ତେଲ ଟାଙ୍କିରୁ ପେଟ୍ରୋଲ କିଣିପାରିବେ। କେବଳ ୧-୨୫ ଲିଟର ପର୍ଯ୍ୟନ୍ତ ପେଟ୍ରୋଲ କଣ୍ଟେନରରେ ଦିଆଯିବ। ରାଜ୍ୟ ସରକାର ଏବଂ ପେଟ୍ରୋଲିୟମ୍‌ ଡିଲର ସଂଘ ମଧ୍ୟରେ ଆଜି ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ଏହି ନୂଆ ନିୟମ ମଙ୍ଗଳବାରଠାରୁ କଡ଼ାକଡ଼ି ଭାବେ ଲାଗୁ ହେବ। ଏହି ବୈଠକରେ ଯୋଗାଣ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀଧର ନାୟକ,ବୈଧ ଓଜନ ମାପ ବରିଷ୍ଠ ଯୁଗ୍ମ ନିୟନ୍ତ୍ରକ ହରୀଶ ଚନ୍ଦ୍ର ପଟ୍ଟନାୟକ, ବିପ୍ପଣି ଗୁପ୍ତବାର୍ତ୍ତା ଉପନିର୍ଦ୍ଦେଶକ ଦୀପକ ଶତପଥୀ, ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ରାଜ୍ୟ ସ୍ତରୀୟ ସଂଯୋଜକ କମଳ ସିଲ୍‌,କୋଷାଧ୍ୟକ୍ଷ ମହିନ୍ଦର୍‌ ସିଂ କଲ୍‌ସି, ଭୁବନେଶ୍ୱର ପେଟ୍ରୋଲିୟମ୍‌ ଡିଲର ଆସୋସିଏସନ୍‌ର ସମ୍ପାଦକ ଏସ୍‌.କେ. ରହମାନ୍‌ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।