କୈଳାଶକୋଟା ଘାଟିର କିଛି ସ୍ଥାନରେ ନାହଁ ସୂଚନା ଫଳକ, ବଢୁଛି ଦୁର୍ଘଟଣା ..

କୋଲନରା(ସଞ୍ଜୀବ କଣ୍ଡାଗରୀ) କୋଲନରା ବ୍ଲକ ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର କୈଳାସକୋଟା ଘାଟିର କିଛି ସ୍ଥାନରେ ସୂଚନା ଫଳକ ନ ଥିବା ହେତୁ ପ୍ରାୟ ବହୁ ସମୟରେ ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଛି।କେଉଁଠି ସୂଚନା ଫଳକ ପୋତା ଯାଇ ମୁଖ୍ୟ ବୋର୍ଡ ନାହିଁ ତ ଆଉ କେଉଁଠି ସୂଚନା ଫଳକ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଇଛି। ଫଳରେ ପ୍ରାୟ ସମୟରେ ଉକ୍ତ ଘାଟିରେ ଦୁର୍ଘଟଣା ଘଟିଛି। ଖାସକରି ବାହାରୁ ଆସୁଥିବା ଗାଡି ଗୁଡ଼ିକ ବିଭିନ୍ନ ବୁଲାଣିରେ ରାସ୍ତା ଜାଣି ନ ପାରି ଅଧିକ ସଂଖ୍ୟାରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ସୂଚନା ମୁତାବକ,କୈଳାସକୋଟା ଘାଟିରେ ମୋଟ ୧୨ରୁ ଉର୍ଦ୍ଧ ଛୋଟ ବଡ ବୁଲାଣି ରହିଥିବା ବେଳେ ଚାଳକ ମାନଙ୍କ ସହଜରେ ରାସ୍ତା ଜାଣିବା ଭଳି ସେମିତି କିଛି ବ୍ୟବସ୍ଥା କରାଯାଇ ନାହିଁ।ଏମିତି ବି କିଛି ସ୍ଥାନ ରହିଛି ଯେଉଁଠି ସୂଚନା ଫଳକ ଗୋଟିଏ ଜାଗାରେ ଓ ବୁଲାଣି ଆଉ ଗୋଟିଏ ଜାଗାରେ ରହିଛି।ଯାହା ଚାଳକ ମାନଙ୍କୁ ଭ୍ରମ ସୃଷ୍ଟି କରୁଛି।ଗଡାଣିଆ ଘାଟି ରାସ୍ତା ହେତୁ ହଠାତ୍ କୌଣସି ଉପାୟ ନ ଆସି ଦୁର୍ଘଟଣା ଗ୍ରସ୍ତ ହେଉଛି।୩୨୬ ନମ୍ବର ଜାତୀୟ ରାଜପଥର ଏହା ପ୍ରମୁଖ ରାସ୍ତା।ଏହି ରାସ୍ତା ଦେଇ ରାୟଗଡ଼ା ଠାରୁ ବ୍ରହ୍ମପୁର,କଟକ, ଭୁବନେଶ୍ୱର ଓ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଯାଇ ହୁଏ ଏବଂ ଗୁଣୁପୁର ଠାରୁ କୋରାପୁଟ, ଜୟପୁର,ନବରଙ୍ଗପୁର, ମାଲକାନଗିରି ଗମନାଗମନ କରିବା ସୁବିଧା ରହିଛି।ପ୍ରତ୍ୟେକ ଦିନ ହଜାର ସଂଖ୍ୟକ ଯାନବାହାନ ଏହି ରାସ୍ତା ଦେଇ ଚଳାଚଳ କରନ୍ତି। ବେଳେ ବେଳେ ଭାରି ଯାନ ଠିକ୍ ଭାବେ ରାସ୍ତା ଜାଣି ନ ପାରି ଘାଟିରେ ଫସି ରହୁଛି।ଯଦ୍ୱାରା ରାସ୍ତା ଜାମ୍ ର ପରିସ୍ଥିତି ମଧ୍ୟ ଅନେକ ଥର ହୋଇଥିବା ଦେଖିବାକୁ ମିଳିଛି। ତେଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ ବିଭାଗ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ସଠିକ୍ ସୂଚନା ଫଳକ ଲଗାଇବା ସହ ନୂଆ ସୂଚନା ଫଳକ ଲଗାଇବା ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି
ହେଉଛି।