June 18, 2026

ମଣ୍ଡିରୁ ଉଠୁନି ଧାନ, ଅତାବିରା ମଣ୍ଡିରେ ତାଲା ପକାଇଲେ ଚାଷୀ

IMG-20250608-WA0001
Share

 

ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ସେଠାରେ ସେହି ଧାନକୁ କ୍ରୟ ସଂସ୍ଥା କିଣୁ ନାହିଁ। ଫଳରେ ମଣ୍ଡିରେ ଧାନ ପକାଇ ଚାଷୀଙ୍କୁ ବହୁ ହଟହଟାର ସମ୍ମୁଖୀନ ହେବାକୁ ପଡୁଛି। ଏପରି ଏକ ପରିସ୍ଥିତି ଦେଖିବାକୁ ମିଳିଛି ଅତାବିରା ମଣ୍ଡିରେ l ଚାଷୀ ସମସ୍ୟାର ପ୍ରତିବାଦରେ ଆଜି ଶନିବାର ପୂର୍ବାହ୍ନ ୧୧ଟାରେ ଚାଷୀମାନେ ଅତାବିରା ମଣ୍ଡି କାର୍ଯ୍ୟାଳୟ ସମ୍ମୁଖରେ ଆଗରେ ଧାନ ପକାଇବା ସହିତ ମଣ୍ଡିରେ ତାଲା ପକାଇ ଦେଇଛନ୍ତି। ଧାନ ବିକ୍ରିରେ ଦେଖାଦେଇଥିବା ଅଚଳାବସ୍ଥା ଚାଷୀଙ୍କୁ ଚିନ୍ତାଗ୍ରସ୍ତ କରିଛି l ଦିନକୁ ଦିନ ମଣ୍ଡିଗୁଡିକରେ ଧାନ ବଢ଼ିବାରେ ଲାଗିଛି l ଲକ୍ଷାଧିକ ପ୍ୟାକେଟ ଧାନ ବିଭିନ୍ନ ମାର୍କେଟ ୟାର୍ଡ଼ ରେ ପଡ଼ି ରହିଛି l କ୍ରୟ ସଂସ୍ଥା ମଣ୍ଡିରୁ ଧାନ ଉଠାଉ ନ ଥିବାରୁ ସମସ୍ୟା ବଢ଼ିବାରେ ଲାଗିଛି l ଯାହା ଆଗରୁ ଅନୁମାନ କରାଯାଉଥିଲା ଆଜି ତାହା ଘଟିଛି l ଅସନ୍ତୁଷ୍ଟ ଚାଷୀ ଅତାବିରା ମଣ୍ଡି କାର୍ଯ୍ୟାଳୟରେ ଶହ ଶହ ବସ୍ତା ଧାନ ପକାଇ ତାଲା ମାରି ଆନ୍ଦୋଳନ କରିଥିଲେ l ଖବର ପାଇ ବରଗଡ଼ ଉପ ଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ପ୍ରସନ୍ନ କୁମାର ପାଣ୍ଡେ ଘଟଣା ସ୍ଥଳକୁ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ l ତେବେ ଚାଷୀ ଧାନ ଉଠାଇବାକୁ ଜିଦ ଧରିଥିଲେ l ଖବର ପାଇ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଅତାବିରା ମଣ୍ଡିକୁ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ l ପରେ ପ୍ରଶାଶନିକ ଅଧିକାରୀ, ଚାଷୀ, ଓ ବିଧାୟକ ତ୍ରୀପାକ୍ଷିକ ଆଲୋଚନା କରି ଧାନ ଉଠାଣକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟବସ୍ଥା କରିବାକୁ କହିଥିଲେ l ୭ ଟି ଟ୍ରକ ରେ କ୍ରୟ ସଂସ୍ଥା ଧାନ ଉଠାଇବାକୁ ପ୍ରତିଶୃତି ଦେବା ପରେ ଚାଷୀ ଶାନ୍ତ ହୋଇଛନ୍ତି l ତେବେ ଧାନ ଉଠାଣରେ ମନ୍ଥରତା ଦେଖା ଦେଲେ ପୁଣି ତାଲା ବନ୍ଦ ଆନ୍ଦୋଳନ କରାଯିବ ବୋଲି ଚାଷୀ ରୋକ୍ ଠୋକ୍ ଶୁଣାଇଛନ୍ତି l

You may have missed