June 7, 2025
Share

ଗୋଦାବରୀଶ ଦାସ

ଆଦିମ ଯୁଗରୁ ବଣ ଜଙ୍ଗଲରେ

ମଣିଷ କରିଛି ବାସ

ଫଳ ମୂଳ ଖାଇ ଜୀବନ ବଞ୍ଚାଇ

କରିଲା କ୍ରମ ବିକାଶ।

ପାହାଡ଼ ତଳରେ ନଦୀ ଉପକୂଳେ

ତିଆରି କରିଲା ଘର

ଚାଷବାସ କରି ସଭ୍ଯତା ଗଢିଲା

ବୃକ୍ଷ ଚିର ସହଚର।

ଘର ପାଇଁ ବୃକ୍ଷ କାଠ ଯୋଗାଇଲା

ଖାଇବାକୁ ଦେଲା ଫଳ

ରୋଗ ବଇରାଗ ଦୂରେଇ ଦେବାକୁ

ସଦା ଦେଲା ଚେରମୂଳ।

ଶୁଖିଲା କାଠକୁ ଜାଳେଣି କରିଣ

ମଣିଷ ରାନ୍ଧିଲା ଖାଦ୍ଯ

କାଠର ଗଣ୍ଡିକୁ ଖୋଦେଇ କରିଲା

ତିଆରିଲା ନାନା ବାଦ୍ଯ।

ମୁନି ଋଷିମାନେ ଅରଣ୍ଯ ମଧ୍ଯରେ

ସୃଷ୍ଟି କଲେ ତପୋବନ

ବନ୍ଯଜନ୍ତୁ ଗଣ ହୋଇ ଏକମନ

ଭ୍ରମିଲେ ନିର୍ଭୟେ ବନ।

ଅଙ୍ଗାରକାମ୍ଳକୁ ଶୋଷଣ କରିଣ

ବୃକ୍ଷ ଦିଏ ଅମ୍ଳଜାନ

ଶୁଦ୍ଧବାୟୁ ଟିକେ ଦେଲା ସେହି ବୃକ୍ଷ

ରଖିଲା ଆମ ଜୀବନ।

ମୃତ୍ତିକା କ୍ଷୟକୁ ରୋଧକରି ବୃକ୍ଷ

ମାଟି କଲା ସଂରକ୍ଷଣ

ନିର୍ଭୟରେ ସର୍ବ ବନ୍ଯ ଜନ୍ତୁଗଣ

କରୁଥିଲେ ବିଚରଣ।

ବନ୍ଯା ବାତ୍ଯା ସବୁ ନିୟନ୍ତ୍ରଣ କରି

ମରୁଡିକୁ କରେ ଦୂର

ବିପଦ ଆପଦେ ରକ୍ଷାକରିଥାଏ

ବୃକ୍ଷ ଆମ ଦରକାର।

ଜଳ ସ୍ତରକୁ ସେ ସାଇତି ରଖିଛି

ଅଳପ ଗଭୀର ତଳେ

ଅଧମ ମଣିଷ ବୁଝି ପାରେନାହିଁ

ଗଛକୁ କାଟଇ ହେଳେ।

ଝୁଣା ଲାଖ ମହୁ ପ୍ରଦାନ କରଇ

ବୃକ୍ଷତ ଆମର ବନ୍ଧୁ

ଆମ ଜୀବନକୁ ବଞ୍ଚାଇ ରଖିଛି

ଜୀବନର ରକ୍ତବିନ୍ଦୁ।

ନବୁଝି ମଣିଷ କାଟି ପକାଉଛି

ପ୍ରତିଦିନ କେତେ ବୃକ୍ଷ

ଜଙ୍ଗଲ ସମ୍ପଦ ନଷ୍ଟ ହେଉଅଛି

ଶୂନ୍ଯଯେ ଧରଣୀ ବକ୍ଷ।

ବରଷକୁ ଗୋଟେ ଗଛ ଲଗାଇଲେ

ହସିବ ଧରଣୀ ରାଣୀ

ଆମ ପରିବେଶ ସୁନ୍ଦର ହୋଇବ

ଫଳ ଦେବ ମନଜାଣି।

ଆମ ଚାରିପାଖ ନିର୍ମଳ ରଖିବା

ଆମେହିଁ କରିବା ଭୋଗ

ସୁସ୍ଥ ପରିବେଶେ ବାସ କରୁଥିଲେ

ଜୀବନେ ଆସେନି ରୋଗ।

ବୃକ୍ଷ ହିଁ ଜୀବନ ବୃକ୍ଷ ହିଁ ପରାଣ

ବୃକ୍ଷକୁ ନକର ତୁଛ

ଜୀବନରେ କେବେ ଭୂଲିଯିବାନାହିଁ

ଲଗାଇବା ପାଇଁ ଗଛ।

ପରିବେଶ ପାଇଁ ତାପ ବଢୁଅଛି

ସର୍ବେହୁଅ ସଚେତନ

ମହାମାରୀ ଭଳି ରୋଗ ମାଡିଆସେ

ହଜାଇବ ଭାଇ ଜ୍ଞାନ।

ନିଜ ପରିବେଶ ସୁନ୍ଦର ରଖିବା

ଅନ୍ଯେ ଦେବା ଉପଦେଶ

ସୁନ୍ଦର ଜୀବନ ଆମରି ହାତରେ

ସୁସ୍ଥ ରଖ ପରିବେଶ।

 

,,,,,,,,,,,,,,,,,,,,,,,,,,,,,,,,,,,,

ଶଙ୍ଖମୂଳ, ରଣପୁର

ଜିଲ୍ଲା, ନୟାଗଡ଼