ଖାଉଟିଙ୍କ ପାଇଁ ଏଯାଏଁ ବଢ଼ିନି କ୍ଷୀର ଦର, ୧୫ ଦିନ ପରେ ନିଷ୍ପତ୍ତି

ଭୁବନେଶ୍ବର ( ଦେବାଶିଷ ଦାଶ )
ଓମ୍ଫେଡ୍ କ୍ଷୀର ଦର ଲିଟର ପିଛା ୨ ଟଙ୍କା ବଢ଼ିବ ବୋଲି ‘ବିଶ୍ବ ଦୁଗ୍ଧ ଦିବସ’ ଅବସରରେ ସୂଚନା ଦିଆଯାଇଥିଲା। କିନ୍ତୁ ଏହି ବର୍ଦ୍ଧିତ ଦର ତତ୍କାଳ ଲାଗୁ ହେବ ନାହିଁ। ଆଗକୁ ଓମ୍ଫେଡ୍ର ସମସ୍ତ ସମବାୟ ସମିତି ଓ କମିଟିର ବୈଠକ ପରେ ଆବଶ୍ୟକତାକୁ ନଜରରେ ରଖି କ୍ଷୀର ଦର ବୃଦ୍ଧି ହେବ ବୋଲି ଓମ୍ଫେଡ୍ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି। ବର୍ଦ୍ଧିତ ଦର ଲାଗୁ ହେବାକୁ ପ୍ରାୟ ୧୫ ଦିନ ବିଳମ୍ବ ହେବ ବୋଲି ସେ କହିଛନ୍ତି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କୁଲାଙ୍ଗେ କହିଲେ, ଏବେ ଓମ୍ଫେଡ୍ କ୍ଷୀର ପ୍ୟାକେଟ୍ ଉପରେ ଇଂରାଜୀରେ ନୁହେଁ, ଓଡ଼ିଆରେ ସମସ୍ତ ବିବରଣୀ ଉଲ୍ଲେଖ କରାଯିବ। ଯାହାକି ଓଡ଼ିଆ ଭାଷାର ପ୍ରଚାରପ୍ରସାର ସହ ସମସ୍ତଙ୍କ ବୁଝିବାରେ ସହଜ କରିବ। ଅନ୍ୟପଟେ, ୨୦୨୪-୨୫ ଆର୍ଥିକ ବର୍ଷରେ ଓମଫେଡ୍ ସର୍ବକାଳୀନ ରେକର୍ଡ ପରିମାଣର କାରବାର କରିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ସଂସ୍ଥା ୮୫୫ କୋଟି ଟଙ୍କାର କାରବାର କରିଥିବା ବେଳେ ଗତ ଆର୍ଥିକ ବର୍ଷ ୨୦୨୪-୨୫ରେ ୧୦୨୮ କୋଟି ଟଙ୍କାର କାରବାର କରିଛି। ଅର୍ଥାତ୍ ଗତ ଆର୍ଥିକ ବର୍ଷରେ ୧୭୦ କୋଟି ଟଙ୍କା ଅଧିକ କାରବାର କରିଛି। ତେବେ ଓମଫେଡ୍ ଦୁଗ୍ଧ ଚାଷୀଙ୍କ ପାଇଁ ଲିଟଲ ପିଛା ୩ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି। ଏହା ଫଳରେ ରାଜ୍ୟର ଅଢ଼େଇ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏ ବାବଦରେ ରାଜ୍ୟ ସରକାର ୪୦ରୁ ୪୨ କୋଟି ଟଙ୍କା ବାର୍ଷିକ ବ୍ୟୟ କରିବେ। ପୂର୍ବରୁ ଦୁଗ୍ଧର ତିରୋଟ ସମୟରେ (ସେପ୍ଟେମ୍ବରରୁ ଫେବ୍ରୁଆରି) ୬ ମାସ ପାଇଁ ଦୁଗ୍ଧର ମାନ ଅନୁଯାୟୀ ଓମଫେଡ୍ ଦୁଗ୍ଧ ଚାଷୀମାନଙ୍କୁ ୧ ରୁ ୫ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ସିଧାସଳଖ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଉଥିଲା। ଅପରପକ୍ଷେ ଗତକାଲି ମୁଖ୍ୟମନ୍ତ୍ରୀ ଓମଫେଡ୍ ଦୁଗ୍ଧ ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବାକୁ ଘୋଷଣା କରିଛନ୍ତି। ମଇଁଷି ଉଦ୍ୟୋଗ ବିକାଶ, ମାଈ ବାଛୁରୀ ପାଳନ, ଗୋମହିଷାଦିଙ୍କ ବୀମାକରଣ, ଗୋପାଳକଙ୍କ ଆୟବୃଦ୍ଧି ନିମନ୍ତେ ନଗଦ ପ୍ରୋତ୍ସାହନ ଏବଂ ଘାସଚାଷ ପାଇଁ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଓଡ଼ିଶାକୁ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଆରମ୍ଭ କରିଛନ୍ତି। ଏବେ ସୁଦ୍ଧା ୩ ଲକ୍ଷ ଗୋ ଓ ମଇଁଷି ପାଳକ ଏହାର ସୁବିଧା ନେଇସାରିଲେଣି। ସେମାନଙ୍କୁ ୫୦ରୁ ୭୦% ରିହାତି ବାବଦରେ ୭୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ୧୫ ଲକ୍ଷ ଲୋକଙ୍କୁଏହି ଯୋଜନାରେ ସାମିଲ କରାଯିବ।