ନବମ ଦିନରେ ପଞ୍ଚ ଠାକୁରାଣୀ ଯାତ୍ରା , ମହା ଆଡମ୍ବରରେ ମା’ଙ୍କ ଘଟ ପରିକ୍ରମା, ଉତ୍ସବ ମୁଖର ବୁଗୁଡ଼ା ସହର 

Share

ବୁଗୁଡ଼ା : ତା ୦୩/୦୫/୨୫ : ଗତ ଏପ୍ରିଲ ୨୫ ତାରିଖରୁ ଆରମ୍ଭ ହୋଇଥିବା ବୁଗୁଡ଼ା ଠାକୁରାଣୀ ଯାତ୍ରା ଆଜି ନବମ ଦିନରେ ପହଞ୍ଚିଥିବା ବେଳେ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ବାଣ ରୋଷଣୀ ସହ ବିଭିନ୍ନ ବେଶଧାରୀଙ୍କୁ ନେଇ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟପକ୍ଷରେ ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ ସମ୍ପନ୍ନ ହେବା ସହ ସନ୍ଧ୍ୟାରେ ଆଳତି ପରେ ଘଟ ପରିକ୍ରମା ଆରମ୍ଭ ହୋଇଥିଲା । ମାନସିକଧାରୀ ମହିଳା ମମତା ସେନାପତି, ସବିତା ସୁବୁଦ୍ଧି, ବୈଜୟନ୍ତୀମାଳା ପାତ୍ର, ଗିରିଜା ସୁବୁଦ୍ଧି, ସସ୍ମିତା ପାତ୍ର ପ୍ରମୁଖ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ଆସ୍ଥାନରୁ ବାହାରି ବଳଦେବ ମନ୍ଦିର, ଥାନା ରୋଡ, ବଡଶଙ୍ଖ-ପେଟ୍ରୋଲ ପମ୍ପ, ପଞ୍ଚା ଗଳି, ଅରବିନ୍ଦ ସ୍କୁଲ, ଅରବିନ୍ଦ ନଗର-୧ମ ଓ ୨ୟ ଲାଇନ୍ , ତେଲି ସାହି, ମଦନ ମୋହନ ଛକ, ପୋଲସରା ରୋଡ ଓ ବଳଦେବ ମନ୍ଦିର ପଥ ପରିକ୍ରମା କରି ଆସ୍ଥାନକୁ ବିଜେ କରିଥିଲେ। ପରିକ୍ରମା କାଳରେ ବିଭିନ୍ନ ବାଦ୍ଯ ବାଜଣା ଓ ହୁଳହୁଳିରେ ପରିବେଶ ପ୍ରକମ୍ପିତ ହୋଇ ବୁଗୁଡ଼ା ସହର ଉତ୍ସବ ମୁଖରିତ ହୋଇ ଉଠିଛି । ଜନ ଗହଳି ମଧ୍ୟରେ ଯାନବାହାନ ଚଳାଚଳରେ ନିୟନ୍ତ୍ରଣ ସାଙ୍ଗକୁ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ନିୟୋଜିତ ରହିଥିଲେ ।