April 27, 2025

ସ୍ବତନ୍ତ୍ର ଉତ୍କଳର ନିର୍ମାତା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଗଞ୍ଜାମ ଜିଲ୍ଲା ସ୍ତରୀୟ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ

Share

ଗଜପତି ମହାରାଜାଙ୍କ ବଳିଷ୍ଠ ନେତୃତ୍ବ ନିକଟରେ ଚିର କୃତଜ୍ଞ ଜଣାଇଲେ ବକ୍ତାଗଣ

ଓଡିଆ ଜାତିର ଏକତା ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ମହାରାଜାଙ୍କ ଅବଦାନ ଅତୁଳନୀୟ

ଛତ୍ରପୁର ତା.୨୬.୦୪.୨୫ ଉତ୍କଳ ମାଟିର ଅଗ୍ରଗଣ୍ୟ ବରପୁତ୍ର, ମହାମାନବ ତଥା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ, ପୂଣ୍ୟ ଶ୍ଲୋକ ପାରଳା ମହାରାଜା ଶ୍ରୀଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ ତମ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ଶନିବାର ପୂର୍ବାହ୍ନ ସମୟରେ ବ୍ରହ୍ମପୁର, ଗିରି ମାର୍କେଟ୍ ଠାରେ ସ୍ଥାପିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିରେ ବ୍ରହ୍ମପୁର ବିଧାୟକ କେ. ଅନୀଲ୍ କୁମାର, ମେୟର୍ ସଂଘମିତ୍ରା ଦଳେଇ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଓ ଅନ୍ୟାନ୍ୟ ଅତିଥିଗଣ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଅପରାହ୍ନ ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଉପ ନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ସୂଚନା ଓଲୋକ ସମ୍ପର୍କ ବିଭାଗ ରବି ନାରାୟଣ ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ ପରେ ମହାରାଜାଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ବନ୍ଦେ ଉତ୍କଳ ଜନନୀ ଗାନ ପରେପରେ ଉପ ନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ଶ୍ରୀ ବେହେରା ଏହି ଆଲେଚନା ଚକ୍ରରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କହିଥିଲେଯେ, ପ୍ରଶାସନିକ ବ୍ୟବସ୍ଥା ଦୃଷ୍ଟିକୋଣରୁ ଓଡିଶାକୁ ଇଂରେଜ ମାନେ ଖଣ୍ଡବିଖଣ୍ଡିତ କରିଦେଇଥିଲେ । ତତ୍କାଳିନ ତିନୋଟି ପାଶ୍ଚାତ୍ୟ ଶିକ୍ଷା କେନ୍ଦ୍ର ମାନ୍ଦ୍ରାଜ, କଲିକତା ଓ ବମ୍ବେ ଠାରେ ପ୍ରତିଷ୍ଠିତ ହୋଇ ଇଂରାଜୀ ଭାଷା ମାଧ୍ୟମରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଚାର ଓ ପ୍ରସାର କରିଥିଲେ । ପ୍ରଶାସନର ସହଯୋଗରେ ବଙ୍ଗାଳୀ ଓ ତେଲୁଗୁ ମାନେ ଓଡିଶାର ପ୍ରଶାସନିକ ବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଆପଣେଇ ନେଇଥିଲେ । ବଙ୍ଗାଳୀ ଓ ତେଲୁଗୁମାନେ ଓଡିଆ ଭାଷାର ବିଲୋପ ପାଇଁ ଯେଉଁ ଚକ୍ରାନ୍ତ ଆରମ୍ଭ କରିଥିଲେ ତାର ପ୍ରତିକ୍ରିୟା ସ୍ବରୂପ ଓଡିଆ ମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଓଡିଆ ଜାତୀୟତାବୋଧ । ଆତ୍ମରକ୍ଷାର ସ୍ବରୂପ ଓଡିଆ ମାନଙ୍କ ମନରେ ସୃଷ୍ଟି କରିଥିବା ଜାତୀୟତା ଭାବ, ଓଡିଆ ଜୀବନକୁ ପ୍ରଭାବିତ କରିଥିଲା ଏବଂ ପରିଣତି ସ୍ବରୂପ ଓଡିଆରେ ଜନ୍ମ ନେଇଥିଲା ଅନେକ ଅନୁଷ୍ଠାନ । ଉତ୍କଳ ସମ୍ମିଳନୀ ତନ୍ମଧ୍ୟରୁ ଅନ୍ୟତମ ।

ବରିଷ୍ଠ ଆଇନଜୀବୀ ବ୍ରଜ ମୋହନ ଆଚାର୍ଯ୍ୟ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, କୃଷ୍ଣଚନ୍ଦ୍ର ଗଜପତି କେବଳ ଜଣେ ପ୍ରଜା ବତ୍ସଳ ଜନ ସେବକ ନଥିଲେ, ସେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ଥିଲେ । ସେ ଥିଲେ ପ୍ରଥମ ପ୍ରଧାନମନ୍ତ୍ରୀ । ସାହିତ୍ୟ, ସଂସ୍କୃତି, ଶିକ୍ଷା ଓ ସେବାକୁ ପ୍ରୋତ୍ସାହନ ଦେଇଥିଲେ । ମହାରାଜା ଗଜପତିଙ୍କୁ ସ୍ମରଣ କରିବା ପାଇଁ ବ୍ରହ୍ମପୁର ଠାରେ ତାଙ୍କ ନାମରେ ଏକ ଭେଷଜ ମହାବିଦ୍ୟାଳୟ ସ୍ଥାପନ କରାଯାଇଛି । ଛତ୍ରପୁର ଠାରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଶ୍ରୀ ଆଚାର୍ଯ୍ୟ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ । ଅନ୍ୟତମ ଅତିଥି ଭାବେ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀର ଅଧ୍ୟକ୍ଷ ରାଜେନ୍ଦ୍ର ଦାଶ ତାଙ୍କ ବକ୍ତବ୍ୟରେ ସୂଚନା ଦେଇଥିଲେ ସାଇମନ୍ କମିଶନ୍ ମହାରାଜାଙ୍କ କଥାକୁ ଗୁରୁତ୍ବ ଦେଇ ସମସ୍ତ ବିଛିନ୍ନାଞ୍ଚଳକୁ ଏକତ୍ରୀକରଣ କରାଇ ଗଞ୍ଜାମ, ଗଜପତିରେ ମିଶାଇ ପାରିଥିଲେ । ପାରଳାଖେମୁଣ୍ଡି ଠାରେ ଉତ୍କଳ ସମ୍ମିଳନୀର ଦଶମ ବାର୍ଷିକ ଅଧିବେଶନ ଆୟୋଜନ କରିଥିଲେ । ଅନ୍ୟତମ ଅତିଥି ଭାବେ ବରିଷ୍ଠ ନାଗରିକ ପ୍ରଫୁଲ୍ଲ ପଟ୍ଟନାୟକ ଯୋଗଦେଇ ଜଣାଇଥିଲେ, ପ୍ରଥମ ବିଶ୍ବଯୁଦ୍ଧ ସମୟରେ କୃଷ୍ଣଚନ୍ଦ୍ର ଗଜପତି ସେନାବାହିନୀର ଅବୈତନିକ କମିଶନ୍ ପଦ ସହିତ ଅବୈତନିକ ସେକେଣ୍ଡ ଲେଫ୍ଟନାଣ୍ଟ ଓ ପରେ କ୍ୟାପଟେନ୍ ପଦଲାଭ କରିଥିଲେ । ସେ ମଧ୍ୟ ଜଣେ ଅବୈତନିକ ସୈନ୍ୟ ସଂଗ୍ରାହକ ଅଫିସର ହୋଇ ନିଜ ରାଜ୍ୟର ବହୁ ସଂଖ୍ୟକ ଲୋକଙ୍କୁ ସୈନ୍ୟ ବାହିନୀରେ ଭର୍ତ୍ତି କରାଇଥିଲେ । ସେ ଜାତୀୟ ପ୍ରତିରକ୍ଷା ସମିତିର ସଭ୍ୟ ଭାବରେ ଏକ ଲକ୍ଷ ଟଙ୍କା ଦାନ କରିଥିଲେ । ତତ୍ ସହିତ ତତ୍କାଳିନ ସମୟରେ ଏକ ଲଢୁଆ ବିମାନ କିଣିବା ପାଇଁ ସେନା ବାହିନୀକୁ ପାଞ୍ଚ ହଜାର ପାଉଣ୍ଡ ଦାନ କରିଥିଲେ । ସାହିତ୍ୟ ଓ ସଂସ୍କୃତିର ବିକାଶ ନିମନ୍ତେ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଅବଦାନ ଅବିସ୍ମରଣୀୟ । ଉତ୍କଳ ସମ୍ମିଳନୀର ପ୍ରଥମ ନଅଟି ଅଧିବେଶନ ଓଡିଆ ଭାଷାଭାଷୀ ଅଞ୍ଚଳକୁ ଏକ ଶାସନାଧୀନ କରିବା ନିମନ୍ତେ ଦାବି କରିଆସୁଥିବା ବେଳେ ଦଶମ ଅଧିବେଶନରେ ପ୍ରଥମ ଥର ନିମନ୍ତେ ସ୍ବତନ୍ତ୍ର ପ୍ରଦେଶ ଗଠନର ଦାବୀ ଉପସ୍ଥାପିତ କରାଯାଇଥିଲା । ଡିସେମ୍ବର ୨୮ ,୧୯୧୪ ମସିହାରେ ଆୟୋଜିତ ଏହି ସମାରୋହର ସମସ୍ତ ବ୍ୟୟ ଭାର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ବହନ କରିଥିଲେ । ଛତ୍ରପୁର ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ସୁମିତା ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ଜଣାଇଥିଲେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡିଆ ଭାଷାକୁ ବଞ୍ଚେଇବା ପାଇଁ, ବିଛିନ୍ନାଞ୍ଚଳକୁ ଏକତ୍ରିକରଣ କରିବା ପାଇଁ , ଏ ମାଟି, ଏ ଭାଷା ଓ ଜାତି ପାଇଁ ସେ ନିଜକୁ ଉତ୍ସର୍ଗୀକୃତ କରିଥିଲେ । ତାଙ୍କ ଆହ୍ବାନରେ ମଧୁସୂଦନ, ଫକୀର ମୋହନ, ଉତ୍କଳମଣି ଗୋପବନ୍ଧୁ, ବିଶ୍ବନାଥ କର, ଗୋଦାବରୀଶ ମିଶ୍ର, ଜଗବନ୍ଧୁ ସିଂହଙ୍କ ପରି ଅନେକ ପ୍ରତିଭାବାନ ପୁରୁଷ ଏହି ଉତ୍ସବରେ ଯୋଗଦାନ କରିଥିଲେ । ଦଶମ ଅଧିବେଶନରେ ସ୍ବତନ୍ତ୍ର ପ୍ରଦେଶର ଦାବୀ ପ୍ରଚାରିତ ହୋଇ ସାରିବା ପରେ ଓଡିଶାର ବିଭିନ୍ନ ଅଞ୍ଚଳରୁ ସମର୍ଥନ ପ୍ରଦାନ କରାଯାଇଥିଲା । ଏହାର ପ୍ରଭାବରେ ମଣ୍ଟେଗୁ ଚେମସ୍ ଫୋର୍ଡ କମିଟି ଅନ୍ୟାନ୍ୟ ସ୍ବତନ୍ତ୍ର ପ୍ରଦେଶର ଦାବିକୁ ଅଗ୍ରାହ୍ୟ କରିଦେଇଥିଲେ ମଧ୍ଯ ଓଡିଶାକୁ ସମର୍ଥନ ଜଣାଇଥିଲେ । ୧୯୧୪ ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପରବର୍ତ୍ତି ସମୟରେ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଉଦ୍ୟମରେ ସଫଳତା ପ୍ରାପ୍ତି ହୋଇଥିଲା ଏବଂ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଓଡିଶାର ଛଅଟି ଜିଲ୍ଲାକୁ ନେଇ ସ୍ବତନ୍ତ୍ର ପ୍ରଦେଶ ଗଠିତ ହୋଇଥିଲା ।

ସମ୍ମାନୀତ ଅତିଥି ଭାବେ ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଯୋଗଦେଇ କହିଥିଲେଯେ, ଓଡିଶାରେ ଶିକ୍ଷାର ବିକାଶ ନିମନ୍ତେ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଅବଦାନ ଅତୁଳନୀୟ । ନିଜ ରାଜ୍ୟ ପାରଳାଖେମୁଣ୍ଡି ସହରରେ ପିତାଙ୍କ ଦ୍ବାରା ପ୍ରତିଷ୍ଠିତ ‘ ରାଜାସ୍ କଲେଜ ‘ କୁ ଗ୍ରେଡ୍ ଓ୍ବାନ୍ କଲେଜକୁ ଉନ୍ନୀତ କରିବା, ସଂସ୍କୃତ ଶିକ୍ଷାର ପ୍ରଚାର ଓ ପ୍ରସାର ନିମନ୍ତେ ସଂସ୍କୃତ କଲେଜ ସ୍ଥାପନ, ନାରୀ ଶିକ୍ଷାର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ବାଳିକା ବିଦ୍ୟାଳୟର ପ୍ରତିଷ୍ଠା, ରାଜ୍ୟରେ ଶିକ୍ଷାର ଅଗ୍ରଗତି ନିମନ୍ତେ ଗୋଟିଏ ଗୋଟିଏ ମାଇଲ୍ ଖୁଣ୍ଟ । ଚାରିଗୋଟି ମହାବିଦ୍ୟାଳୟ ଯଥା କଟକରେ ରେଭେନ୍ସା କଲେଜ୍, ପାରଳା ଖେମୁଣ୍ଡିରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି କଲେଜ, ବ୍ରହ୍ମପୁରରେ ଖଲ୍ଲିକୋଟ କଲେଜ, କଟକରେ ରାଧାନାଥ ଟ୍ରେନିଂ କଲେଜ ଏବଂ ଅନେକ ଉଚ୍ଚ ବିଦ୍ୟାଳୟକୁ ନେଇ ୧୯୪୩ ମସିହାରେ ପ୍ରତିଷ୍ଠା କରିଥିଲେ ଉତ୍କଳ ବିଶ୍ବ ବିଦ୍ୟାଳୟ । ୧୯୪୩ ମସିହାରେ କଟକ ଠାରେ ମେଡିକାଲ୍ କଲେଜ ପ୍ରତିଷ୍ଠା, ୧୯୪୪ ରେ ଖ୍ରୀଷ୍ଟ କଲେଜର ପ୍ରତିଷ୍ଠା କ୍ଷେତ୍ରରେ ମହାରାଜାଙ୍କ ଆର୍ଥିକ ପ୍ରୋତ୍ସାହନ ଆଲୋଚନାକୁ ଅଧିକ ଗୁରୁତ୍ବ ପ୍ରଦାନ କରେ । ୧୯୧୩ ମସିହାରେ ମହାରାଜାଙ୍କ ଅନୁଦାନରେ ପ୍ରତିଷ୍ଠିତ ଛାତ୍ରାବାସ ଅନେକ ଗରିବ ଛାତ୍ରଙ୍କ ଉଜ୍ଜଳ ଭବିଷ୍ୟତ ଗଠନରେ ସହାୟକ ହୋଇଥିଲା ।

ସାମଗ୍ରୀକ ଭାବେ ଓଡିଶା ଗଠନରେ ପାରଳା ମହାରାଜା ତଥା ସ୍ବତନ୍ତ୍ର ଉତ୍କଳର ପ୍ରଥମ ପ୍ରଧା୍ନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଅନନ୍ୟ । ସୁ ସାହିତ୍ୟିକ ପ୍ରଶାନ୍ତ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରି ନିଜ ବକ୍ତବ୍ୟରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ବଦାନ୍ୟତା, ସାହିତ୍ୟ ପ୍ରିତି, ସମାଜସେବୀ ଭାବରେ ଅନେକ ବିଷୟରେ ଅବଗତ କରାଇଥିଲେ ।

ଏହି ଆଲୋଚନା ଚକ୍ରରେ ସହରର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀଗଣ ଯୋଗ ଦେଇଥିଲେ । ଏହି ଆଲୋଚନା ଚକ୍ରଟିକୁ ବିଶିଷ୍ଟ ସମାଜସେବୀ ଅରୁଣ କୁମାର ଶତପଥୀ ସଂଯୋଜନା କରିଥିବା ବେଳେ ଉପନିର୍ଦ୍ଦେଶକ ରବି ନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ହୋଇଥିଲା ।