April 20, 2025

ଆଇଆଇଏମ୍ ସମ୍ବଲପୁରର ନବମ ସମାବର୍ତ୍ତନ ଉତ୍ସବ

Share

 

ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ ଦ୍ଵାରା ୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ରାଷ୍ଟ୍ର-ଡ଼କ୍ଟର ପ୍ରମୋଦ କୁମାର ମିଶ୍ର

 

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ରୂପେ ଗଢି ତୋଳିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ ଦ୍ଵାରା ଏହି ସ୍ବପ୍ନକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି । ଏହି ପ୍ରକ୍ରିୟାରେ ଛାତ୍ରଛାତ୍ରୀ ମାନଙ୍କର ଏକ ବିଶେଷ ଭୂମିକା ରହିଛି। ତେଣୁ ଆଗାମୀ ଦୁଇ ତିନି ଦଶନ୍ଧି ଛାତ୍ରଛାତ୍ରୀ ଏବଂ ଦେଶ ପାଇଁ ବେଶ୍ ଗୁରୁତ୍ଵପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର କହିଛନ୍ତି ।

 

ଆଇଆଇଏମ୍ ସମ୍ବଲପୁରର ନବମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥ ରୂପେ ଯୋଗ ଦେଇ ଡକ୍ଟର ମିଶ୍ର ତାଙ୍କର ଦୀକ୍ଷାନ୍ତ ଅଭିଭାଷଣରେ କହିଥିଲେ ଯେ, କୋଭିଡ୍ ପରବର୍ତ୍ତୀ ସମୟର ଜଟିଳ ଅନ୍ତରାଷ୍ଟ୍ରୀୟ ସର୍ମକ ଉଭୟ ଅର୍ଥନୀତି ଓ ରାଜନୀତି ଉପରେ ଚାପ ସୃଷ୍ଟି କରୁଛି । ଜଗତୀକରଣକୁ ନେଇ ଏବେ ଯେମିତି ଆଭିମୁଖ୍ୟ ବଦଳୁଛି, ତାହା ପୂର୍ବରୁ କେବେ ଦେଖାଯାଇ ନ ଥିଲା। ନିକଟରେ ଆମେରିକା ଦ୍ବାରା ଲାଗୁ କରାଯାଇଥିବା ପାରସ୍ପରିକ ଶୁଳ୍କ ବିଶ୍ଵ ଅର୍ଥନୀତିରେ ସୁଦୂର ପ୍ରସାରୀ ପ୍ରଭାବ ପକାଇବ । ସମ୍ପ୍ରତି ବିଶ୍ଵ ଅର୍ଥନୀତି ଏକ ଆହ୍ବାନପୂର୍ଣ୍ଣ ସମୟ ଦେଇ ଗତି କରୁଛି। ଗୋଟିଏ ପଟେ ଅନ୍ତର୍ଜାତୀୟ ସମ୍ପର୍କରେ ବ୍ୟାପକ ପରିବର୍ତ୍ତନ ଏବଂ ଅନ୍ୟପଟେ ବୈଷୟିକ ଜ୍ଞାନକୌଶଳର ଭବିଷ୍ୟତର ରୂପରେଖ ପ୍ରସ୍ତୁତ ଅଭୂତପୂର୍ବ ବିକାଶ ଭିତରେ ଭାରତକୁ ନିଜର କରିବା ପାଇଁ ପଡିବ ।

 

ଡକ୍ଟର ମିଶ୍ର ପୁଣି କହିଥିଲେ ଯେ, ମହିଳା ମାନଙ୍କ ବିଭିନ୍ନ କ୍ଷେତ୍ରରେ ମହିଳା ମାନଙ୍କ ସଂରକ୍ଷଣ ନେଇ ଦାବି ହେଉଛଥିବା ବେଳେ ଆଇଆଇଏମ୍ ସମ୍ବଲପୁରରେ ୬୦ ପ୍ରତିଶତ ଛାତ୍ରୀ ଅଧ୍ୟୟନ କରୁଥିବା ଏକ ଶୁଭ ସଂକେତ। ବିଶ୍ଵ ମାନଚିତ୍ରରେ ଭାରତ ଏବେ ମର୍ଯ୍ୟାଦାଜନକ ସ୍ଥାନ ହାସଲ କରିଛି। କ୍ରମବର୍ଦ୍ଧିଷ୍ଣୁ ଅର୍ଥନୀତି, ଯୁବ ଜନସଂଖ୍ୟା, ଉନ୍ନତ ଭିଡି ଭିତ୍ତଭୂମି ଏବଂ ବୈଷୟିକ ଜ୍ଞାନ କୌଶଳ ଭାରତର ସ୍ଥିତିକୁ ବିଶ୍ଵ ପ୍ରେକ୍ଷାପଟରେ ମଜବୁତ କରିଛି। ଭାରତକୁ ବାର୍ଷିକ ୮-୧୦ ମିଲିୟନ୍ ନିଯୁକ୍ତି ସୃଷ୍ଟି କରିବାର ଆବଶ୍ୟକତା ଅଛି । ସରକାରଙ୍କ ଡିଜିଟାଲ୍ ଇଣ୍ଡିଆ ଓ ସ୍କିଲ୍ ଇଣ୍ଡିଆ ପାଇଁ ଘରୋଇ ଶିଳ୍ପରେ ଦକ୍ଷ ଯୁବକ/ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ପଡିବ । ସଫଳତା ପାଇଁ କେବ ବୈଷୟିକ ଜ୍ଞାନ ପର୍ଯ୍ୟାପ୍ତ ନୁହେଁ । ବ୍ୟକ୍ତିଗତ ପ୍ରଜ୍ଞା ଅପେକ୍ଷା ସାମୁହିକ ଭାବେ କାର୍ଯ୍ୟ କରିବାର ଦକ୍ଷତା ଅଧିକ ମହତ୍ତ୍ଵପୂର୍ଣ୍ଣ ଅଟେ ବୋଲି ଡକ୍ଟର ମିଶ୍ର କହିଥିଲେ ।

ଆଇଆଇଏମ୍ ସମ୍ବଲପୁରର ବୋର୍ଡ ଅଫ୍ ଗଭର୍ଣସ୍‌ର ଅଧ୍ୟକ୍ଷା ପଦ୍ମଶ୍ରୀ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କ ଅଧ୍ୟକ୍ଷତା ତଥା ଅମୃତ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ବୋଷ୍ଟନ କନସଲଟିଂ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଆଶୀଷ ଗର୍ଗ ସମ୍ମାନିତ ଅତିଥୁ ରୂପେ ଯୋଗ ଦେଇଥିଲେ। ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟୱାଲ ଅତିଥି ପରିଚୟ ଏବଂ ବିବରଣୀ ପାଠ କରିଥିଲେ । ଏହି ଅବସରରେ ୩୧୩ ଜଣ ଏମ୍.ବି.ଏ, ୩୮ ଜଣ ଏକ୍‌ଜିକ୍ୟୁଟିଭ୍ ଏମ୍.ବି.ଏ ଛାତ୍ରଛାତ୍ରୀ, ୧୦ ଜଣ ଏମ୍.ବି.ଏ ଫର୍ ୱାର୍କି ପ୍ରଫେସନାଲ, ୬ ଜଣ ପି.ଏଚ୍.ଡି ସ୍କୋଲାରଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ଏହାଛଡ଼ା ଉତ୍କୃଷ୍ଟ ଶିକ୍ଷାଗତ ଉତ୍କର୍ଷ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିଲା।