କୋଲେଷ୍ଟେରଲ୍‌ ବଢାଏ ଏହି ସବୁ ଖାଦ୍ୟ, ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ..

Share

 

 

ଯଦି କୋଲେଷ୍ଟେରଲ୍‌ ସ୍ତର ବଢିଯାଏ, ତେବେ ହାର୍ଟ ଆଟାକ୍‌ ଓ ଷ୍ଟ୍ରୋକ୍‌ ପରି ଘାତକ ସମସ୍ୟାର ଆଶଙ୍କା ବଢିଯାଇଥାଏ । ତେଣୁ ଏହାକୁ ନିୟନ୍ତ୍ରଣରେ ରଖିବା ଜରୁରି । ଆମର କିଛି ଭୁଲ୍‌ ଖାଦ୍ୟ ପାନୀୟ ଅଭ୍ୟାସ ଅଜଣତାରେ କୋଲେଷ୍ଟେରଲ୍‌କୁ ବଢାଇ ଦେଇଥାଏ । କେବଳ କୋଲେଷ୍ଟେରଲ୍‌ ବଢାଇ ନଥାଏ, ବରଂ ଶରୀରକୁ ରୋଗର ଘର କରି ଦେଇଥାଏ । ଯେପରିକି ହୃଦ୍‌ଘାତ, ଷ୍ଟ୍ରୋକ୍‌ ଓ ଉଚ୍ଚ ରକ୍ତଚାପକୁ ମଧ୍ୟ ବଢାଇଥାଏ । ସାମାନ୍ୟ ପ୍ରୟାସ କରିବା ଦ୍ୱାରା ସମସ୍ୟାକୁ ସାମ୍‌ନା କରିବା ପୂର୍ବରୁ ଖାଦ୍ୟ- ପାନୀୟରେ ନିୟନ୍ତ୍ରଣ ଆଣିପାରିବ । ପ୍ରଥମେ ଜାଣନ୍ତୁ କୋଲେଷ୍ଟେରଲ୍‌ ବଢାଉଥିବା ଖାଦ୍ୟଗୁଡିକ କ’ଣ? ତା’ ପରେ ସେଗୁଡିକରେ ନିୟନ୍ତ୍ରଣ ଆଣିବା ସହଜ ହେବ ।

 

ଟ୍ରାନ୍ସ ଫ୍ୟାଟ୍‌ ଓ ପ୍ରୋସେସଡ୍‌ ଫୁଡ୍‌ ଅଧିକ ଖାଇବା :

 

ଆଜିକାଲି ପ୍ରାୟ ଲୋକ ପ୍ରୋସେସଡ୍‌ ଫୁଡ୍‌, ଫାଷ୍ଟ ଫୁଡ୍‌, ବେକେରୀ ଉତ୍ପାଦ ଆଦିକୁ ବେଶୀ ଗୁରୁତ୍ୱ ଦେଉଛନ୍ତି । ଏସବୁ ଖାଦ୍ୟ କେବଳ ଖରାପ କୋଲେଷ୍ଟେରଲ୍‌କୁ ବଢାଇ ନଥାଏ, ବରଂ ଭଲ କୋଲେଷ୍ଟେରଲ୍‌କୁ କମାଇଥାଏ ମଧ୍ୟ । ତେଣୁ ଏସବୁ ଖାଦ୍ୟଠାରୁ ଦୂରେଇବା ସହ ଘରୋଇ ଖାଦ୍ୟକୁ ଗୁରୁତ୍ୱ ଦେବା ଆବଶ୍ୟକ ।

 

 

 

ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ଯୁକ୍ତ ଖାଦ୍ୟ :

 

ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ମୁଖ୍ୟତଃ ଘିଅ, ଖୁଆ, ମାଂସ, ଫ୍ୟାଟ୍‌ଯୁକ୍ତ ଡାଏରୀ ଉତ୍ପାଦରେ ବହୁ ମାତ୍ରାରେ ରହିଥାଏ । ଏହା ଶରୀରରେ ଏଲ୍‌ଡିଏଲ୍‌ର ମାତ୍ରାକୁ ବଢାଇବା ସହ ଧମନୀରେ ବ୍ଲକେଜ୍‌ ହେବାର କାରଣ ସାଜିଥାଏ । ସାଚ୍ୟୁରେଟେଡ୍‌ ଫୁଡ୍‌ ପରିବର୍ତ୍ତେ ଅନ୍‌ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଥିବା ଖାଦ୍ୟ ସାମିଲ୍‌ କରିବା ଆବଶ୍ୟକ । ଯେମିତିକି ଅଲିଭ୍‌ ଅଏଲ୍‌, ଅଖରୋଟ୍‌ ଓ ଆଳସୀ ଆଦି ।

 

ଫାଇବରଯୁକ୍ତ ଖାଦ୍ୟର ଅଭାବ :

 

ଫାଇବର କୋଲେଷ୍ଟେରଲ୍‌କୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଶସ୍ୟଯୁକ୍ତ ଖାଦ୍ୟ, ଡାଲି, ଫଳ ଓ ପନିପରିବା ଆଦିରୁ ଫାଇବର ମିଳିଥାଏ, ଯାହା କୋଲେଷ୍ଟେରଲ୍‌କୁ ଶରୀରରୁ ବାହାର କରିବାରେ ସହଯୋଗ କରିଥାଏ । ଖାଦ୍ୟରେ ଫାଇବର ଅଭାବ ହେଲେ କୋଲେଷ୍ଟେରଲ୍‌ ବଢିବାର ଆଶଙ୍କା ବଢିଥାଏ ।

 

ଶର୍କରା ଓ ରିଫାଇନ୍‌ କାର୍ବୋ ଅଧିକ ଖାଇବା :

 

ଚିନି, ମଇଦା, ଧଳା ଚାଉଳ ଓ ଥଣ୍ଡା ପାନୀୟ ପରି ଖାଦ୍ୟ ଶରୀରରେ ଟ୍ରାଇଗ୍ଲିସରାଇଜଡ୍‌କୁ ବଢାଇଥାଏ, ଯାହା କୋଲେଷ୍ଟେରଲ୍‌ ସ୍ତରକୁ ପ୍ରଭାବିତ କରିଥାଏ । ଏହି ଖାଦ୍ୟ ମୋଟାପଣ ଓ ମଧୁମେହର କାରଣ ହେବା ସହ କୋଲେଷ୍ଟେରଲ୍‌କୁ ବଢାଇଥାଏ ।