ଗ୍ରାମ ରୋଜଗାର ସେବକ ନିଯୁକ୍ତିରେ ଲାଗୁ ହେବନି ସଂରକ୍ଷଣ, ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ..
( ଦେବାଶିଷ ଦାଶ )
ଗ୍ରାମ ରୋଜଗାର ସେବକ (ଜିଆର୍ଏସ୍) ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଝଟକା ଲାଗିଛି। ଜିଆର୍ଏସ୍ ଚୟନ ପ୍ରସଙ୍ଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ନୂଆ ନିୟମାବଳୀ ଜାରି କରାଯାଇ ୨୦୧୮ ଏପ୍ରିଲ ୬ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜିଆର୍ଏସ୍ ଚୟନ ବେଳେ ରାଜ୍ୟରେ ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷଣ ପାଇଁ ପ୍ରଣୟନ ହୋଇଥିବା ଓଆର୍ଭି ଆଇନ, ୧୯୭୫ରେ ଥିବା ବ୍ୟବସ୍ଥା ଓ ଏ ସଂକ୍ରାନ୍ତୀୟ ନିୟମ କଡ଼ାକଡ଼ି ପାଳନ କରାଯିବ ବୋଲି ନିୟମାବଳୀରେ ଉଲ୍ଲେଖ କରାଯାଇଥିଲା।
୨୦୧୮, ଏପ୍ରିଲ ୬ର ନିୟମାବଳୀରେ ଓଆର୍ଭି ଆଇନ ଓ ଏ ସଂପର୍କିତ ନିୟମ ପାଳନ ନେଇ ରହିଥିବା ବ୍ୟବସ୍ଥାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ମନରେଗା ଯୋଜନା ଅଧୀନରେ ଜିଆର୍ଏସ୍ ଏକ ଚୁକ୍ତିଭିତ୍ତିକ ପଦ ଓ ଏଥିରେ ପ୍ରଥମେ ଏକ ବର୍ଷ ପାଇଁ ନିଯୁକ୍ତି ଦିଆଯିବ। ଏହା ପରେ ଯଦି ପ୍ରଦର୍ଶନ ସନ୍ତୋଷଜନକ ରୁହେ ଓ ବିଡିଓ ଅନୁମୋଦନ କରନ୍ତି ତେବେ ଜିଆର୍ଏସ୍ଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ।
ଚୟନ ପ୍ରକ୍ରିୟାରେ ଓଆର୍ଭି ଆଇନ ଓ ଏ ସଂପର୍କିତ ନିୟମାବଳୀ କଡ଼ାକଡ଼ି ପାଳନ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଜିଆର୍ଏସ ପଦରେ ସଂରକ୍ଷଣକୁ ବିରୋଧ କରି ଆବେଦନକାରୀ ୨୦୧୮ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜିଆର୍ଏସ୍ ସରକାରଙ୍କ ଅଧୀନରେ ଏକ ସିଭିଲ୍ ପୋଷ୍ଟ ନୁହେଁ। ଓସିଏସ (ସିସିଏ) ନିୟମ ଅନୁସାରେ ଏହା ଏକ ସେବା ମଧ୍ୟ ନୁହେଁ। ତେଣୁ ଏଥିରେ ସଂରକ୍ଷଣ ନିୟମ ଲାଗୁ ହେବା କଥା ନୁହେଁ ବୋଲି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା।
