February 23, 2025

ଲାଞ୍ଜିଗଡ଼ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ତରଫରୁ ବିଶାଳ ରାଲୀ 

Share

ଲାଞ୍ଜିଗଡ଼ – (ପୁରନ୍ଦର ଦଣ୍ଡସେନା ) ଲାଞ୍ଜିଗଡ଼ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ତରଫରୁ ଏକ ରାଲି ବେଦାନ୍ତ ନଗର ଠାରୁ ବାହାରି ଆଲୁମିନା ପ୍ରକଳ୍ପର ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଯାଇଥିଲା l ଏହି ରାଲିରେ ନିୟମଗିରିର ଆଦିବାସୀ ଠାରୁ ଆରମ୍ଭ କରି ଲାଞ୍ଜିଗଡ଼ ଅଞ୍ଚଳର ସବୁ ବର୍ଗର ଲୋକେ ସାମିଲ ହୋଇଥିଲେ l ସେଠାରେ ଏକ ସଭାର ଏକ ସଭାର ଆୟୋଜନ ହୋଇଥିଲା l ଲାଞ୍ଜିଗଡ଼ ବ୍ଲକର ସମସ୍ତ କଂଗ୍ରେସ କର୍ମକର୍ତ୍ତାଙ୍କ ସହିତ କଳାହାଣ୍ଡି ଅନେକ କଂଗ୍ରେସ କର୍ମୀ ଓ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଭକ୍ତଚରଣ ଦାସ ମଧ୍ୟ ଯୋଗଦାନ କରିଥିଲେ l 20 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବେଦାନ୍ତ କମ୍ପାନୀ ଲାଞ୍ଜିଗଡ଼ରେ ଅବସ୍ଥାପିତ ହୋଇଥିଲେ ମଧ୍ୟ ଏ ଅଞ୍ଚଳର ଆଦୌ ବିକାଶ ହୋଇପାରିନାହିଁ l ଲାଞ୍ଜିଗଡ଼ ବ୍ଲକଟି ସମ୍ପୂର୍ଣ ରୂପେ ଅବହେଳିତ ହୋଇ ରହିଛି l ସଭାରେ ଅଞ୍ଚଳର ବିକାଶ ନିମନ୍ତେ ସରକାରଙ୍କ ନିକଟରେ ବିଭିନ୍ନ ଦାବି ଉପସ୍ଥାପନ କରା ଯାଇଥିଲା l ସେ ସବୁ ମଧ୍ୟରେ ନିୟମଗିରିରେ ବାସ କରୁଥିବା ଝରଣିଆ, ଡଙ୍ଗରିଆ ଆଦିବାସୀ ମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଆଦିବାସୀ ପ୍ରୋଜେକ୍ଟ ଘୋଷଣା,ଜମି ପଟ୍ଟା ପାଇ ନ ଥିବା ନିୟମଗିରିରେ ବାସ କରୁଥିବା ସମସ୍ତ ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ,ନିୟମଗିରିରେ ବାସ କରୁଥିବା ସମସ୍ତ ଆଦିବାସୀ ପରିବାରକୁ ଇନ୍ଦିରା ଆବାସ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ଯଥା ଶୀଘ୍ର ଗୃହ ଯୋଗାଈ ଦେବା,ପ୍ରତ୍ୟେକ ଆଦିବାସୀ ଗ୍ରାମକୁ ରାସ୍ତା, ପାନୀୟ ଜଳ, ବିଜୁଳି ଆଲୁଅ, ଶିକ୍ଷା ଏବଂ ସ୍ୱାସ୍ଥ୍ୟର ସୁବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଥିଲା l ଶ୍ରୀଯୁକ୍ତ ଭକ୍ତଚରଣ ଦାସ କହିଲେ, ପ୍ରତ୍ୟେକ ଆଦିବାସୀଙ୍କୁ ପନ୍ଦର କିଲୋ ଚାଉଳ ଦିଆ ଯିବା ସହିତ ସେମାନଙ୍କର ବଞ୍ଚିବାର ସମସ୍ତ ବ୍ୟବସ୍ଥା କରିବା ପାଇଁ ବେଦାନ୍ତ ଓ ସରକାରଙ୍କ ନିକଟରେ ଦାବୀ କରିଥିଲେ l ପ୍ରକଳ୍ପ ଦ୍ୱାରା ପ୍ରଭାବିତ ବସନ୍ତପଡ଼ା, ବୁଣ୍ଡେଲ,କପାଗୁଡ଼ା ଓ ସିନ୍ଧିବାହାଲି ଗ୍ରାମ ସବୁକୁ ବିସ୍ଥାପନ କରିବା ପାଇଁ ମଧ୍ୟ ଦାବୀ କରାଯାଇଥିଲା l

କିଛି ଦିନ ତଳେ ନିୟମଗିରି ବାସ କରୁଥିବା ତିନି ଜଣ ଆଦିବାସୀଙ୍କୁ ପୋଲିସ ଉଠାଇ ନେଇ ଯିବା ଘଟଣାକୁ ତୀବ୍ର ବିରୋଧ କରାଯାଇଥିଲା l ଯେଉଁ ମାନଙ୍କୁ ପୋଲିସ ଉଠାଇ ନେଇଛି, ସେମାନେ ହେଲେ, କୁନାକାଡ଼ୁ ଗ୍ରାମର ଟଂଗରୁ ମାଝୀ, ରାଙ୍ଗେ ମାଝୀ ଓ ପାଲବେରୀ ଗ୍ରାମର ପାତ୍ର ମାଝୀ l କୌଣସି କାରଣ ନ ଦର୍ଶାଇ ସେମାନଙ୍କୁ ଜେଲରେ ଭର୍ତ୍ତି କରାଯାଇଛି ବୋଲି ସେମାନଙ୍କ ପରିବାର ଲୋକେ କହୁଛନ୍ତି l ସେମାନଙ୍କୁ ତୁରନ୍ତ ଛାଡ଼ି ଦେବା ପାଇଁ ଦାବୀ କରାଯାଇଥିଲା l ଆଦିବାସୀମାନଙ୍କ ଉପରେ ପୋଲିସର ଏଭଳି ଅତ୍ୟାଚାରକୁ ବରଦାସ୍ତ କରାଯିବ ନାହିଁ ବୋଲି କୁହାଯାଇଥଲା l କମ୍ପାନୀ ଦ୍ୱାରା ବିସ୍ଥାପିତ ପରିବାରକୁ କମ୍ପାନୀରେ ଚାକିରୀ ଦେବାପାଇଁ ଦାବୀ କରାଯାଇଥିଲା l ଏହା ବ୍ୟତୀତ ଆହୁରି ଅନେକ ଦାବୀ ବିଷୟରେ ମଧ୍ୟ କୁହା ଯାଇଥିଲା ଯାହା କି ଦାବୀ ପତ୍ରରେ ଉଲ୍ଲେଖ ଅଛି l ଏହି ସଭାରେ ସହସ୍ରାଧିକ ଲୋକ ସାମିଲ ହୋଇଥିଲେ l

ଏହା ପରେ ସମସ୍ତେ ଲାଞ୍ଜିଗଡ଼ ଥାନାକୁ ଯାଇଥିଲେ ଏବଂ ସେଠାରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଥିଲେ l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର